ଭୁବନେଶ୍ୱର: ଓଡ଼ିଶାରୁ ଡକାୟତି କରି ଦିଲ୍ଲୀରେ ଧରାପଡ଼ିଥିବା ୨ ବାଂଲାଦେଶୀ ଆଜି ଭୁବନେଶ୍ବର ପହଞ୍ଚିଛନ୍ତି। ଅପରାହ୍ନ ଗୋଟାଏ ବେଳେ ଏସ୍ଡିଜେଏମ୍ଙ୍କ କୋର୍ଟରେ ସେମାନଙ୍କୁ ହାଜର କରାଯାଇଛି। ଦିଲ୍ଲୀରୁ ମିଳିଥିବା ଦୁଇଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡ ଆଜି ଶେଷ ହୋଇଛି। ପଚରାଉଚୁରା ପାଇଁ କମିସନରେଟ୍ ପୁଲିସ ୩ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ଦୁଇଦିନ ରିମାଣ୍ଡ ମିଳିଛି। ଆଜି ସନ୍ଧ୍ୟାରୁ ଉଭୟ ଇନ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ଆରମ୍ଭ କରିଛନ୍ତି। ଆସନ୍ତାକାଲି ସକାଳେ ଅଭିଯୁକ୍ତମାନେ ଘଟଣାସ୍ଥଳକୁ ଯାଇ ଡେମୋ ଦେଖାଇବେ ବୋଲି ପୁଲିସ କହିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ବାଂଲାଦେଶର ମହମ୍ମଦ ସାହିଦ୍ ଓ ମହମ୍ମଦ ମଜରୁଲ। ଜାଲ୍ ପାସ୍ପୋର୍ଟ ବଳରେ ସେମାନେ କୋଲକାତା ଆସିବା ପରେ ଓଡ଼ିଶା ଆସି ବିଭିନ୍ନ ଅପରାଧରେ ସାମିଲ ଥିଲେ। ଏମାନଙ୍କ ନାମରେ ଇନ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରହିଛି। ଦୁଇଟି ବଡ଼ ଡକାୟତିରେ ଏମାନେ ସାମିଲ ଥିବା ସ୍ବୀକାର କରିଛନ୍ତି। ଏମାନେ ଭୁବନେଶ୍ବରର ଦୁଇଟି ବସ୍ତିରେ ରହିବା ସହ ବଡ଼ ବଡ଼ିଆଙ୍କ ଉପରେ ନଜର ପକାଉଥିଲେ। ବିଳମ୍ବିତ ରାତିରେ ଡକାୟତି କରି ଟ୍ରେନ୍ ଯୋଗେ ଫେରାର ହୋଇ ଯାଉଥିଲେ। ତେବେ ଭୁବନେଶ୍ବରର କେଉଁ ବସ୍ତିରେ ରହୁଥିଲେ? କେଉଁମାନେ ଏହି ଡକାୟତଙ୍କୁ ଘରେ ରହିବାର ସୁଯୋଗ ଦେଉଥିଲେ? ସେମାନଙ୍କୁ ପୁଲିସ ଖୋଜିବ କି ନାହିଁ? କେବଳ ଏମାନେ ନା ଆଉ କେହି ଡକାୟତ ଏହି ବସ୍ତିବାସିନ୍ଦାଙ୍କ ଲିଙ୍କ୍ରେ ରହିଛନ୍ତି? କମିସନରେଟ୍ ପୁଲିସ ଠାରୁ ଏ ସବୁ ପ୍ରଶ୍ନର ଉତ୍ତର ରାଜଧାନୀବାସୀ ଅପେକ୍ଷା କରିଥିବା କେତେକ ବରିଷ୍ଠ ନାଗରିକ କହିଛନ୍ତି।
ଗତ ଫେବ୍ରୁଆରି ମାସରେ ଏହି ଦୁଇଜଣଙ୍କ ସମେତ ୧୨ ଜଣ ଡକାୟତ ଫେଜ୍-୧, ଏଚ୍ଆଇଜି ୧୬୪ରେ ରହୁଥିବା ଅବସରପ୍ରାପ୍ତ ସୈନିକ ସୁଧାକର ଦାସଙ୍କ ଘରୁ ଡକାୟତି କରିଥିଲେ। ପରିବାର ଲୋକ ଶୋଇଥିବାବେଳେ ଗୋଡ଼ହାତ ବାନ୍ଧିବା ସହ ବେକରେ ଭୁଜାଲି ଲଗାଇ ୧୦ଲକ୍ଷ ଟଙ୍କାର ସୁନାଗହଣା, ୨ଲକ୍ଷ ଟଙ୍କାର ରୁପା ଗହଣା, ୮୦ ହଜାର ଟଙ୍କା ୭ଟି ଦାମୀ ମୋବାଇଲ୍ ନେଇ ଯାଇଥିଲେ। ସେହିଭଳି ମେ’ ୩ ତାରିଖରେ ଇନଫୋସିଟି ଥାନା ଅଧୀନ ମାରୁତି ଭିଲ୍ଲାରେ ରହୁଥିବା ଠିକାଦାର କାଶୀନାଥ ଯାଦବଙ୍କ ଘରୁ ସମାନ ଢଙ୍ଗରେ ଡକାୟତି ହୋଇଥିଲା। ରାତି ପ୍ରାୟ ୩ଟାରେ ୧୨ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପରିବାର ଲୋକଙ୍କ ହାତଗୋଡ଼ ବାନ୍ଧି ୫ହଜାର ଟଙ୍କା, ୧୦ଲକ୍ଷ ଟଙ୍କାର ସୁନା ଗହଣା ଓ ଦାମୀ ଜିନିଷପତ୍ର ଲୁଟି ନେଇଥିଲେ।
ଦିଲ୍ଲୀରୁ ଆସିଲେ ବାଂଲାଦେଶୀ ଡକାୟତ, ଦୁଇଦିନିଆ ରିମାଣ୍ଡରେ ନେଲା ପୁଲିସ
/sambad/media/post_attachments/wp-content/uploads/2019/02/Jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)