ଭୁବନେଶ୍ୱର: ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ ଖାଦାନ ଖନନ ଓ ଚୋରା ବନ୍ଧୁକ କାରବାର ମାମଲାରେ ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ନାରାୟଣ ନଗରର ପ୍ରଫୁଲ୍ଲ କୁମାର ନାୟକ ଓରଫ ଟୁନାକୁ ରିମାଣ୍ଡରେ ଆଣିବ ଏସ୍ଟିଏଫ୍। ଗତ ୧୦ ତାରିଖରେ ଗିରଫ ହୋଇଥିବା ଟୁନାକୁ ୪ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଭୁବନେଶ୍ବର ଏସ୍ଡିଜେଏମ୍ ସ୍ବୀକୃତି ପ୍ରଦାନ କରିଛନ୍ତି। ଆସନ୍ତାକାଲି ଏସ୍ଟିଏଫ ତାକୁ ରିମାଣ୍ଡରେ ଆଣି ପଚରାଉଚରା କରିବ। ଗତ ୧୦ ତାରିଖ ଦିନ ଏସ୍ଟିଏଫ୍ ଟୁନାକୁ କୋର୍ଟ ଚାଲାଣ କରିବା ସମୟରେ ରିମାଣ୍ଡ ଆବେଦନ କରିଥିଲା। ଗତକାଲି କୋର୍ଟ ଏହି ସ୍ବୀକୃତି ପ୍ରଦାନ କରିଛନ୍ତି। ପୂର୍ବାହ୍ନରେ ତାକୁ ଝାରପଡ଼ାରୁ ଏସ୍ଟିଏଫ୍କୁ ଅଣାଯାଇ ପଚରା ଉଚରା କରାଯିବ ବୋଲି ଏସ୍ଟିଏଫ୍ ପକ୍ଷରୁ ସୂଚନା ମିଳିଛି। ଆବଶ୍ୟକ ପଡ଼ିଲେ ଟୁନା ସହ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ଖୋର୍ଦ୍ଧା କୁମାରବସ୍ତର ଅବନୀକାନ୍ତ ସାମନ୍ତରାୟକୁ ମଧ୍ୟ ରିମାଣ୍ଡରେ ଅଣାଯିବ ବୋଲି ଏସ୍ଟିଏଫ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ୨୦୧୮ ମସିହାରେ ଖୋର୍ଦ୍ଧା ଥାନା ଅଧୀନରେ ଏକ ବନ୍ଧୁକ କାରବାର ମାମଲାରେ ପ୍ରଫୁଲ୍ଲର ସମ୍ପୃକ୍ତି ଜଣାପଡ଼ିବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ହେଲେ କିଛି ଦିନ ପରେ ପରେ ମାମଲା ଶିଥିଳ ପଡ଼ି ଯାଇଥିଲା। ବେଆଇନ ଖଣି କିଙ୍ଗ୍ପିନ୍ କୁହାଯାଉଥିବା କୈଳାସ ଚନ୍ଦ୍ର ପରିଜା ଗିରଫ ହେବା ପରେ ପୁଣିଥରେ ଟୁନା ବାବଦରେ ଏସ୍ଟିଏଫ୍ ସୂଚନା ପାଇଥିଲା। ପ୍ରଥମେ କୋଲକାତା ଓ ପରେ ବାଲେଶ୍ବର ଏଭଳି ବିଭିନ୍ନ ଜାଗାରେ ସେ ଲୁଚୁଥିବା ଏସ୍ଟିଏଫ୍ ଜାଣିବାକୁ ପାଇଥିଲା। ଟୁନା ୫ରୁ ଊର୍ଦ୍ଧ୍ବ ମାମଲାରେ ପୁଲିସ ଓ ଏସ୍ଟିଏଫ୍ର ୱାଣ୍ଟେଡ୍ ଥିଲା। ବାହାର ରାଜ୍ୟରୁ ବନ୍ଧୁକ ଆଣି ଖୋର୍ଦ୍ଧା ସମେତ ପୁରୀ, କଟକ ଓ ଭଦ୍ରକ ଅଞ୍ଚଳରେ ସପ୍ଲାଇ କରୁଥିବା ଅଭିଯୋଗ ରହିଥିଲା। ଦୀର୍ଘ ବର୍ଷେ ହେବ ଫେରାର ରହିବା ପରେ ଗତ ୧୦ ତାରିଖ ରାତିରେ ଖୋର୍ଦ୍ଧା ବଜାରରୁ ଏସ୍ଟିଏଫ୍ର ଏକ ସ୍ବତନ୍ତ୍ର ଦଳ ଉଭୟଙ୍କୁ ଗିରଫ କରିଥିଲା। ଏହି ବେଆଇନ ଖଣି କାରବାରରେ ଏଯାବତ୍ ୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୧୫ ଜଣ ଏସ୍ଟିଏଫ୍ ଟାର୍ଗେଟ୍ରେ ରହିଛନ୍ତି। ଏହି ୱାଣ୍ଟେଡ୍ ତାଲିକାରେ ଜଣେ ମହିଳା ମଧ୍ୟ ରହିଛନ୍ତି। ହାଇକୋର୍ଟରୁ ଆଗୁଆ ଜାମିନ୍ ଆବେଦନ ଖାରଜ ହେବା ପରେ ସେମାନେ ଆତ୍ମଗୋପନ କରିଛନ୍ତି।