ଭୁବନେଶ୍ବର: କାର୍ରେ କଳାକାଚ ବା ବ୍ଲାକ୍ ଫିଲ୍ମସ୍ ଲଗାଇବା ମହଙ୍ଗା ପଡ଼ିଲା। ରାସ୍ତା ଉପରେ ଗାଡ଼ି ଅଟକାଇ ଟ୍ରାଫିକ୍ ପୁଲିସ ୫୧ଟି କାର୍ରୁ କଳାକାଚ ହଟାଇଛି। ଏହା ସହିତ ଗାଡ଼ି ପିଛା ୫ଶହ ଟଙ୍କା ଲେଖାଏ ଜରିମାନା ମଧ୍ୟ ଆଦାୟ କରାଯାଇଛି। ଟ୍ରାଫିକ୍ ଡିସିପିଙ୍କ ପକ୍ଷରୁ ଏନେଇ ରାଜଧାନୀରେ ଶନିବାର ଠାରୁ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି। ପ୍ରଥମ ଦିନରେ ପ୍ରାୟ ୪୦ଗାଡ଼ି ଚାଳକ ତଣ୍ଡ ଗଣିବା ସହ କଳାକାଚ ହଟାଇଥିବା ବେଳେ ଦ୍ବିତୀୟ ଦିନରେ ୧୧ଟି ଗାଡ଼ିରୁ କଳାକାଚ ହଟାଇବା ସହ ଜରିମାନା ଆଦାୟ କରାଯାଇଛି। ଏହି କ୍ରମରେ ୫୧ ଗାଡ଼ିଚାଳକଙ୍କ ପାଖରୁ ୨୫ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଆଜି ଟ୍ରାଫିକ୍ ପୁଲିସ ପକ୍ଷରୁ ମାଉସୀ ମା’ ଛକ, ରାଜମହଲ, ରସୁଲଗଡ଼, ଫାଲକନ୍ ହାଉସ୍ର ଗୋଲେଇ ଛକ, ନନ୍ଦନକାନନ ରୋଡ୍, ପଟିଆ ଆଦି ଅଞ୍ଚଳରେ ଧରପଗଡ଼ ହୋଇଥିଲା। ପୁଲିସ ଚେକିଂ ଦେଖି କିଛି ଲୋକ କାର୍ କାଚକୁ ଡାଉନ୍ କରିଦେଇଥିଲେ। ମାତ୍ର ପୁଲିସ ସନ୍ଦିଗ୍ଧ କାର୍ ଗୁଡ଼ିକୁ ଅଟକାଇ ସେଗୁଡ଼ିକର କାଚ ଯାଞ୍ଚ କରିଥିଲା।
ତେଣୁ ନିୟମ ଖିଲାପକାରୀ ଟ୍ରାଫିକ୍ ପୁଲିସର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିପାରିନଥିଲେ। ଏନେଇ ଟ୍ରାଫିକ୍ ଏସିପି ସ୍ବସ୍ତିକ୍ ପଣ୍ଡା କହିଛନ୍ତି, ମୋଟର ଭେଇକିଲ୍ ଆକ୍ଟ୍ର ଧାରା ୧୭୭ ଅନୁଯାୟୀ, ଗାଡ଼ିରେ କଳାକାଚ ବା ବ୍ଲାକ୍ ଫିଲ୍ମସ୍ ବ୍ୟବହାର କରିପାରିବେ ନାହିଁ। ଏନେଇ ସୁପ୍ରିମକୋର୍ଟ ୨୦୧୨ ମେ’ ୪ ରେ କଳାକାଚ ବ୍ୟବହାର ଉପରେ ରୋକ୍ ଲଗାଇଥିଲେ। କେବଳ ସୁରକ୍ଷା ଦୃଷ୍ଟିରୁ ଅର୍ଥାତ୍ ପୁଲିସ ବା ଗୃହ ମନ୍ତ୍ରଣାଳୟ ଏବଂ ଜେଡ୍ ଓ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଉଥିବା ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀଙ୍କ ପାଇଁ ଏହି ନିୟମରେ କୋହଳ କରାଯାଇଛି। ତେଣୁ ଏସବୁକୁ ବାଦ୍ ଦେଲେ ଅନ୍ୟ ସମସ୍ତଙ୍କ ପାଇଁ କାର୍ରେ ସ୍ବଚ୍ଛ କାଚ ବ୍ୟବହାର କରିବା ବାଞ୍ଛନୀୟ। ବାରମ୍ବାର ଧରପଗଡ଼ ସତ୍ତ୍ବେ ଜରିମାନା ଦେଇ କାର୍ରେ କଳା କାଚ ଲଗାଉଥିବା ନଜରକୁ ଆସିଲେ ଗାଡ଼ି ଜବତ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/25-9.jpg)