ଭୁବନେଶ୍ବର: ଚଳିତ ମାସ ୪ ତାରିଖର ଘଟଣା। ବହୁ ଦିନ ଧରି ଫେରାର ଥିବା ଜଣେ ଅଭିଯୁକ୍ତ ହେମନ୍ତ ସେନାପତିକୁ ଗିରଫ କରିବା ପାଇଁ ଏୟାର୍‌ଫିଲ୍‌ଡ ଥାନା ପୁଲିସ କୁହା ଗାଁସ୍ଥିତ ଏକ ଫାର୍ମ ହାଉସ୍‌ରେ ଚଢ଼ଉ କରିଥିଲା। ସେତେବେଳେ ପରିବାର ଲୋକେ ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ଛଡ଼ାଇ ନେଇଥିଲେ। ଏହି ମାମଲାରେ ଆଜି ଏୟାର୍‌ଫିଲ୍‌ଡ ଥାନା ପୁଲିସ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୁହା ଗ୍ରାମର ଶରତ ସେନାପତି(୫୭), ତାଙ୍କ ସ୍ତ୍ରୀ ସୁଲୋଚନା ସେନାପତି(୫୪) ଓ ସେମାନଙ୍କ ପୁଅ ସୌମ୍ୟ ରଞ୍ଜନ ସେନାପତି(୨୯)। ପୁଲିସ ସୂଚନାନୁଯାୟୀ ୨୦୨୪ ମସିହାରେ ଶରତ ଓ ତାଙ୍କ ଭାଇ ହେମନ୍ତ ଏକ ଜମିକୁ ଜାଲିଆତି କରି ବିକ୍ରି କରିଥିଲେ। ଜମି କ୍ରେତା ଠକାମିର ଶିକାର ହେବା ଜାଣିବା ପରେ ହେମନ୍ତ ନାଁରେ ଅଭିଯୋଗ କରିଥିଲେ ଏବଂ ସେବେଠୁ ହେମନ୍ତ ଫେରାର ଥିଲା। ୪ ତାରିଖ ରାତିରେ କୁହାସ୍ଥିତ ଏକ ଫାର୍ମ ହାଉସ୍‌ରେ ହେମନ୍ତ ଥିବା ଖବର ପାଇ ପୁଲିସ ଟିମ୍‌ ସେଠାରେ ଚଢ଼ଉ କରିଥିଲା।

Advertisment

ହେମନ୍ତ ଖସିବାକୁ ବାଟ ପାଇନଥିଲା। ପୁଲିସ ତାକୁ ଧରି ଥାନାକୁ ଫେରିବାବେଳେ ହଠାତ୍ ହେମନ୍ତର ଭାଇ ଶରତଙ୍କ ପରିବାର ଲୋକେ ଭ୍ୟାନ୍‌ ଆଗକୁ ଆସି ଅଟକାଇଥିଲେ। ପୁଲିସ ଅଧିକାରୀ ଗାଡ଼ିରୁ ଓହ୍ଲାଇ ସେମାନଙ୍କୁ ବୁଝାସୁଝା କରିଥିଲେ ହେଁ ସେମାନେ ତାଙ୍କୁ ମାଡ଼ମାରିବା ସହ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ପୁଲିସ ଅଧିକାରୀ ଅଣନିଶ୍ବାସୀ ହୋଇ ଗଁ ଗଁ ହେଉଥିବା ଦେଖି ଅନ୍ୟ ପୁଲିସ କର୍ମଚାରୀମାନେ ତାଙ୍କୁ ବଞ୍ଚାଇବାକୁ ଶରତଙ୍କ ପରିବାର ଲୋକଙ୍କ ସହ ଲଢ଼ିଥିଲେ। ଏହି ମଉକାରେ ହେମନ୍ତ ପିସିଆର୍‌ ଭ୍ୟାନ୍‌ରୁ ଡେଇଁ ଅନ୍ଧାରରେ ପଞ୍ଚୁପଲ୍ଲୀ ଗାଁ ଦିଗରେ ଦୌଡ଼ି ଫେରାର ହୋଇଯାଇଥିଲା। ସେହିଭଳି ପୁଲିସ କର୍ମଚାରୀମାନେ ଆହତ ଅଧିକାରୀଙ୍କୁ ଉଦ୍ଧାର କରୁଥିବା ମଉକାରେ ଶରତଙ୍କ ପରିବାର ଲୋକେ ସେଠାରୁ ପଳାଇଥିଲେ ଏବଂ ସେବେଠୁ ଫେରାର ଥିଲେ। ବାପା ଶରତ ଓ ପୁଅ ସୌମ୍ୟ ନାଁରେ ପୂର୍ବରୁ ମାମଲା ରହିଛି।