କାର୍‌ ଭିତରେ ଫସିଗଲେ, ଉଦ୍ଧାର କଲା ପୁଲିସ

ଭୁବନେଶ୍ବର: ମଙ୍ଗଳବାର ଅପରାହ୍‌ଣ ୨ଟା ୧୫। ଏଜି ଛକରେ ଏକ ଧଳା କାର୍‌କୁ ଘେରି ଯାଇଥିଲେ ପୁଲିସ। ଗାଡ଼ିକୁ ପିଟୁଥିଲେ। କେହି ଜଣେ ଏକ ଇଟା ଧରି ଡୋର୍‌ କାଚକୁ ଭାଙ୍ଗୁଥିଲେ। ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ କେତେକ ଯାତ୍ରୀ ଅଟକି ଯାଇଥିଲେ। କ୍ରମଶଃ ସେଠାରେ ଲୋକଙ୍କ ଭିଡ଼ ଜମିଗଲା। କେତେକ ଟ୍ରାଫିକ୍‌ ପୁଲିସ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ଗାଡ଼ିଗୁଡ଼ିକ ହଟାଉଥିଲେ। ସମସ୍ତେ ଭାବୁଥିଲେ ବିଚରା ଗାଡ଼ି ଚାଳକ ନିୟମ ଭାଙ୍ଗି ଫସି ଯାଇଛି। କେହି କେହି ସମବେଦନା ବି ଜଣାଇ କହୁଥିଲେ, ‘ ପାସ୍‌ ନ ଥାଇ କାହିଁକି ଗାଡ଼ି ନେଇ ଆସୁଥିଲା!’ ହେଲେ ବାସ୍ତବତା ଥିଲା ଭିନ୍ନ। କାର୍‌ ଭିତରେ ଫସି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଗାଡ଼ିର କାଚ ଭଙ୍ଗା ଯାଉଥିଲା। ଶେଷରେ କାଚ ଭଙ୍ଗାଯାଇ ବ୍ୟକ୍ତିଙ୍କୁ ଉଦ୍ଧାର କରାଗଲା। ମେଡିକାଲ ନିଆଯିବା ପରେ ସେ ସୁସ୍ଥ ହେଲେ।

ସୂଚନା ମୁତାବକ, ଅପରାହ୍‌ଣରେ ଏକ ଏନ୍‌ଜିଓ ସଂସ୍ଥା ସୁଲଭ ଇଣ୍ଟରନାସନାଲର ବରିଷ୍ଠ ଅଧିକାରୀ ବିନୋଦ ଶର୍ମା ଗାଡ଼ି ଚଳାଇବା ବେଳେ ବେହୋସ ହୋଇଗଲେ। ଫଳରେ ଗାଡ଼ି ହଠାତ୍‌ ରହିଯିବା ସହ ଷ୍ଟାର୍ଟ ବନ୍ଦ ହୋଇଗଲା। ସେ ସେଠାରୁ ବାହାରି ପାରି ନ ଥିଲେ। ସେଠାରେ କାର୍ଯ୍ୟରତ ପୁଲିସ ଇନ୍‌ସ୍‌ପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ସେ ଓ ପିସିଆର-୨ର କର୍ମଚାରୀମାନେ ସେଠାକୁ ଦଉଡ଼ି ଆସିଥିଲେ। ‌ଡୋର୍‌ ଖୋଲିବା ପାଇଁ ଉଦ୍ୟମ କରିଥିଲେ। ହେଲେ ସମ୍ଭବ ହୋଇ ନ ଥିଲା। ଏଣୁ ଡୋର୍‌ କାଚ ଭାଙ୍ଗିବା ପାଇଁ ଯୋଜନା ହୋଇଥିଲା। ଶେ‌ଷରେ ଡୋର୍‌ ଭଙ୍ଗାଯାଇ ତାଙ୍କୁ ଉଦ୍ଧାର କରାଯାଇଥିଲା। ସେତେବେଳକୁ ସେ କଥା କହିପାରୁ ନ ଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ଆଉ ବିଳମ୍ବ ହୋଇଥିଲେ କିମ୍ବା ସେଠାରେ ପୁଲିସ ନ ଥିଲେ କୌଣସି ଏକ ଅଘଟଣ ଯେ ନିଶ୍ଚୟ ଘଟିଥାନ୍ତା ତାହା ସମସ୍ତେ କହୁଥିଲେ। କୋଭିଡ୍‌-୧୯ ମୁକାବିଲାରେ ଯୋଦ୍ଧା ସାଜିଥିବା ପୁଲିସକୁ ଆଜିର ଏଭଳି କାମ ପାଇଁ ବାହାବା ମିଳିଛି।

ସମ୍ବନ୍ଧିତ ଖବର