ଜବତ ଚୋରି ବାଇକ୍‌ ଫେରାଇଲା ପୁଲିସ

୨୨ଜଣଙ୍କୁ ମିଳିଲା; ଆଉ ୨ଶହଙ୍କୁ ମିଳିବ, ୨୩ ଥାନାରେ ପଡ଼ିରହିଛି ୨ହଜାରରୁ ଊର୍ଧ୍ବ ଗାଡ଼ି

ଭୁବନେଶ୍ୱର : ଖୁବ୍‌ଶୀଘ୍ର ରାଜଧାନୀ ଓ ଆଖପାଖ ଅଞ୍ଚଳର ହଜାରେରୁ ଊର୍ଧ୍ବ ଲୋକ ସେମାନଙ୍କ ଚୋରି ଗାଡ଼ି ଫେରିପାଇବେ। ଦୀର୍ଘଦିନ ତଳେ ଚୋରି ହୋଇଥିବା ଗାଡ଼ିଗୁଡ଼ିକୁ ଗାଡ଼ିମାଲିକଙ୍କୁ ଫେରାଇବା ପାଇଁ କମିସନରେଟ୍‌ ପୁଲିସ ପ୍ରୟାସ ଆରମ୍ଭ କରିଛି। ଗୁରୁବାର ଦିନ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ମେଳା କାର୍ଯ୍ୟକ୍ରମରେ ଡିସିପି ଉମାଶଙ୍କର ଦାଶ ପ୍ରଥମ ପର୍ଯ୍ୟାୟରେ ୨୨ଗାଡ଼ି ମାଲିକଙ୍କୁ ସେମାନଙ୍କ ଚୋରି ଗାଡ଼ି ହସ୍ତାନ୍ତର କରିଛନ୍ତି। ‌ସେଥିରୁ ଜଟଣି ଥାନା ଅଞ୍ଚଳର ୧୧ଟି, ଖଣ୍ଡଗିରି ଥାନା ଅଞ୍ଚଳର ୩ଟି ଏବଂ ବଡ଼ଗଡ଼ ଥାନା ଅଞ୍ଚଳର ୮ଟି ଚୋରି ଗାଡ଼ି ଥିବା ଜଣାପଡ଼ିଛି।

ଭୁବନେଶ୍ବର ସହରାଞ୍ଚଳର ଥିବା ୨୩ ଥାନା ଅଞ୍ଚଳରେ ୨ ହଜାରରୁ ଊର୍ଧ୍ବ ଚୋରି ଗାଡ଼ିକୁ ଜବତ କରିଛି ପୁଲିସ। ଏହି ଜବତ ଗାଡ଼ିଗୁଡ଼ିକ ବିଭିନ୍ନ ଥାନାରେ ପଡ଼ିପଡ଼ି ନଷ୍ଟ ହେବାକୁ ବସିଥିବାବେଳେ କମିସନରେଟ୍‌ ପୁଲିସ ପକ୍ଷରୁ ଏହି ଗାଡ଼ିଗୁଡ଼ିକୁ ଏହାର ମାଲିକମାନଙ୍କୁ ଫେରାଇବାକୁ ପ୍ରୟାସ ଆରମ୍ଭ ହୋଇଛି। ଗାଡ଼ି ନମ୍ବର ଓ ଚେଚିସ୍‌ ନମ୍ବରୁ ଗାଡ଼ି ମାଲିକଙ୍କୁ ଚିହ୍ନଟ କରି ସେମାନଙ୍କ ଡାଟା ବେସ୍‌ ପ୍ରସ୍ତୁତ ହୋଇଛି। ବର୍ତ୍ତମାନ ସୁଦ୍ଧା ୨ଶହରୁ ଊର୍ଧ୍ବ ଗାଡ଼ିମାଲିକଙ୍କୁ ଚିହ୍ନଟ କରାଯାଇଛି। ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କୁ ଏହି ମେଳା ମାଧ୍ୟମରେ ଗାଡ଼ିଗୁଡ଼ିକୁ ହସ୍ତାନ୍ତର କରାଯିବ। ସେହିପରି କେତେକ ଚୋରି ଗାଡ଼ିର ଇନ୍ସ୍ୟୁରାନ୍ସ କ୍ଲେମ୍‌ କରି ଗାଡ଼ିମାଲିକମାନେ ଏ ବାବଦ ଅର୍ଥ ନେଇ ସାରିଥିବାରୁ ଇନ୍ସ୍ୟୁରାନ୍ସ ସଂସ୍ଥାଗୁଡ଼ିକ ସହ ମଧ୍ୟ ଯୋଗାଯୋଗ କରାଯାଇଛି। ଯେଉଁଗାଡ଼ି ଗୁଡ଼ିକର ଇନ୍ସ୍ୟୁରାନ୍ସ କ୍ଲେମ୍‌ ହୋଇଥିବ, ସେଗୁଡ଼ିକୁ ସମ୍ପୃକ୍ତ ଇନ୍ସ୍ୟୁରାନ୍ସ ସଂସ୍ଥାକୁ ଦିଆଯିବ। ଗାଡ଼ି ମାଲିକଙ୍କୁ ଏବଂ ଇନ୍ସ୍ୟୁରାନ୍ସ ସଂସ୍ଥାକୁ ଗାଡ଼ି ହସ୍ତାନ୍ତର ପରେ ବାକି ଯେଉଁ ଗାଡ଼ିଗୁଡ଼ିକ ରହିଯିବ ସେଗୁଡ଼ିକୁ ନିଲାମ୍‌ କରାଯିବ ବୋଲି ଡିସିପି ଶ୍ରୀ ଦାଶ କହିଛନ୍ତି। ଫଳରେ ବର୍ଷ ବର୍ଷ ଧରି ଥାନା ଗୁଡ଼ିକରେ ଅଯଥା ଜାଗା ମାଡ଼ି ବସିଥିବା ସ୍ଥାନକୁ ଖାଲି କରାଯାଇ ଥାନାର ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବ।

ଗାଡ଼ି ଚୋରିର କିଛି ରୋଚକ କାହାଣୀ
ଲୁଟେରା କାହା ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ି ଛଡ଼ାଇ ନେଇଥିଲା ତ ଆଉ କାହା ଘର ସମ୍ମୁଖରୁ ଚତୁରତାର ସହ ଗାଡ଼ି ‌ନେଇ ଯାଇଥିଲା ଚୋର। କାହାର ୨ ମାସର ନୂଆ ଗାଡ଼ି ଚୋରି ହୋଇ ଯାଇଥିଲା ତ କିଏ ଚୋରି ଗାଡ଼ିର କିସ୍ତି ଏଯାଏ ସୁଝି ନଥିବା କହିଥିଲେ। ଦୀର୍ଘଦିନ ପରେ ନିଜ ଚୋରି ଗାଡ଼ି ଫେରି ପାଇ ଆଜି ଗାଡ଼ିମାଲିକମାନେ ଖୁବ୍‌ ଖୁସି ହୋଇଥିଲେ। ଆଉ ଗାଡ଼ି ଫେରିପାଇବାର ସବୁ ଶ୍ରେୟ କମିସନରେଟ୍‌ ପୁଲିସକୁ ଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ସେମାନଙ୍କ ଗାଡ଼ି କିପରି ଚୋରି ହୋଇଥିଲା ତାହାର ରୋଚକ କାହାଣୀ ବଖାଣିଥିଲେ।

ଗତ ୨୦୧୭ ମସିହାରେ ଜିନିଷ କିଣାକିଣି ପାଇଁ ମୁଁ ଗୋପ ବଜାରକୁ ଯାଇଥିଲି। ବଜାର ‌ସାରି ଫେରିବା ବେଳକୁ କେହି ମୋ ବାଇକ୍‌କୁ ନେଇଯାଇଥିଲା। ସେତେବଳେକୁ ଗାଡ଼ିରେ ମୋର ୪ଟି କିସ୍ତି ବାକି ଥାଏ। ଗାଡ଼ି ବି ଗଲା, କିସ୍ତି ଟଙ୍କା ସୁଜିବାକୁ ବି ପଡ଼ିଲା। ଏନେଇ ମୁଁ ଗୋପ ଥାନାରେ ଅଭିଯୋଗ କଲି। ହେଲେ ପୁଲିସ ଶୁଣିଲାନି। ହେଲେ ଆଜି ଗାଡ଼ି ଫେରିପାଇବା ପରେ ମୁଁ ବହୁତ ଖୁସି।
ସୁଦର୍ଶନ ସାହୁ, ଗୋପ, ପୁରୀ

୫ବର୍ଷ ତଳେ ମୁଁ ବାଇକ୍‌ କିଣିଥାଏ। ଏହି ସମୟରେ ଭଞ୍ଜନଗର ଅଞ୍ଚଳରେ କାମ ମିଳିଥିବାରୁ ସେଠିକୁ ଗାଡ଼ି ନେଇ ପଳେଇଥିଲି। ଗାଡ଼ି ମାସଟେ ବି ଚଳାଇନି। ଦିନେ ସନ୍ଧ୍ୟା ସମୟରେ ଭଞ୍ଜନଗର ତାରାସିଂ ଅଞ୍ଚଳରେ ଯାଉଥିବା ବେଳ ହଠାତ୍‌ ୩ଜଣ ଯୁବକ ମୋତେ ପିଛାକରି ଅଟକାଇଥିଲେ। ମୁଁ ଅଟକିବା ପରେ ସେମାନେ ମୋତେ ମାଡ଼ ମାରିବା ସହ ମୁଣ୍ଡରେ ବନ୍ଧୁକ ଲାଗାଇ ବାଇକ୍‌ ନେଇଯାଇଥିଲେ। ପୁଲିସରେ ଅଭିଯୋଗ କରିଥିଲି। ହେଲେ ଏତେ ଦିନ ପରେ ମୋତେ ମୋ ଗାଡ଼ି ମିଳିବ ଭାବି ନଥିଲି।
ସୁଦର୍ଶନ ବେହେରା, କଟକ, ବଡ଼ମ୍ବା

ପ୍ରାୟ ୫ମାସ ତଳେ ମୁଁ ପିପିଲି ମଙ୍ଗଳପୁର ବଜାରକୁ ଯାଇଥାଏ। ଫେରିବା ବେଳକୁ କେହି ଦୁର୍ବୃତ୍ତ ଗାଡ଼ି ନେଇ ପଳାଇଥିଲା। ଏନେଇ ଥାନାରେ ଅଭିଯୋଗ କଲି। ହେଲେ ସ୍ଥାନୀୟ ପୁଲିସର ସେଭଳି କୌଣସି ପଦକ୍ଷେପ ନଥିଲା। ଆଜି ଯଦି ମୁଁ ଗାଡ଼ି ଫେରିପାଇଛି, ଏଥିପାଇଁ ସବୁ ଶ୍ରେୟ କମିସନରେଟ୍‌ ପୁଲିସକୁ ଦେବି।
ଦୀନବନ୍ଧୁ ଭଟ୍ଟ, ପିପିଲି, ପୋଟଳ

ସମ୍ବନ୍ଧିତ ଖବର