ଭୁବନେଶ୍ବର: କମିସନରେଟ୍ ପୁଲିସର ଚିନ୍ତା ବଢ଼ାଇଲାଣି ଜମି ବିବାଦ ବା ‘ରେଭିନ୍ୟୁ ଡିସ୍ପ୍ୟୁଟ୍’। ଜମିଜମା ଗଣ୍ଡଗୋଳକୁ ନେଇ ପ୍ରତ୍ୟେକ ଦିନ ଥାନାରେ ଭିଡ଼ ଜମୁଛି। କେଉଁଠି ନକଲି ବାପାକୁ ଛିଡ଼ା କରି ପୁଅ ଜମି ନେଇଗଲାଣି ତ ଆଉ କେଉଁଠି ପଡ଼ୋଶୀ ଘର ଦୁଆରମୁହଁରେ ପାଚେରି ତିଆରି କଲାଣି। କେତେବେଳେ ବାପା ନାମରେ ଅଭିଯୋଗ ଆଣି ପୁଅ ଥାନାରେ ପହଞ୍ଚିଲାଣି ତ କେତେବେଳେ ପୁଅ ନାମରେ ଏତଲା ଦେଲାଣି ବାପା। ଦଲାଲକୁ ନେଇ ଅଭିଯୋଗ ତ ଅତି ସାଧାରଣ କଥା। କେଉଁଠି ଗୋଟିଏ ଜମିକୁ ୪ ଥର ବିକି ଦେଲାଣି ତ କେଉଁଠି ମାଲିକ ନ ଜାଣି ଜମି ଚାଲିଗଲାଣି। କେବଳ ଥାନା ନୁହେଁ, ଡିସିପି ଓ କମିସନରଙ୍କ ଅଭିଯୋଗ ପ୍ରକୋଷ୍ଠରେ ବି ଏଭଳି ମାମଲାକୁ ନେଇ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଜମିଜମା ବିବାଦ ନେଇ ଗଣ୍ଡଗୋଳ ସମାଧାନ ହେବା ପରେ ମଧ୍ୟ ଅନେକ ମାମଲା ଥାନାକୁ ଆସୁଛି। ରାଜସ୍ବ ମାମଲା କୋର୍ଟରେ ଫଇସଲା ହେବାକୁ ବିଳମ୍ବ ହେଉଥିବାରୁ ପୁଲିସ ଉପରେ ଚାପ ବଢ଼ିବାରେ ଲାଗିଛି। ରାଜଧାନୀରେ କମିସନରେଟ୍ ପୁଲିସର ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ବିକ୍ଷୋଭ, ଧାରଣା, ଆନ୍ଦୋଳନ ଓ ଭିଆଇପି ଡ୍ୟୁଟି ସାଙ୍ଗକୁ ଏହି କ୍ରମବର୍ଦ୍ଧିଷ୍ଣୁ ରାଜସ୍ବ ମାମଲା ପୁଲିସ ପାଇଁ ଅଧିକ ଚିନ୍ତାର କାରଣ ହୋଇଛି।
କେହି ମାନୁନାହାନ୍ତି ୧୪୪ ଧାରା
୧୪୪ ଧାରା ଏକ ପ୍ରହସନ ହୋଇଛି। କମିସନରେଟ୍ ପୁଲିସ କୋର୍ଟ ଏକ ନିର୍ଦ୍ଦିଷ୍ଟ ଜମିରେ ୧୪୪ ଧାରା ଜାରି କରିବା ପରେ କେହି ଜଗିବାକୁ ନାହାନ୍ତି। ପ୍ରତ୍ୟେକ ଦିନ ଘଟଣାସ୍ଥଳକୁ ଯାଇ ପୁଲିସ ଜଗିବା ସମ୍ଭବ ହେଉନଥିବାରୁ ଅପରପକ୍ଷ ଏହାକୁ ଅମାନ୍ୟ କରିବା ସହଜ ହେଉଛି। ଫଳରେ ଅଭିଯୋଗକାରୀ ଥାନାକୁ ଦଉଡ଼ୁଛି। ଅନେକ ସମୟରେ କୋର୍ଟ ଅବମାନନା ଅଭିଯୋଗ ଧରି କମିସନରେଟ୍ ପୁଲିସ କୋର୍ଟରେ ପହଞ୍ଚୁଛି। ଫଳରେ କୋର୍ଟରେ ମଧ୍ୟ ଭିଡ଼ ବଢ଼ିବାରେ ଲାଗିଛି।
ଖୁବ୍ଶୀଘ୍ର ସ୍ବତନ୍ତ୍ର ବ୍ୟବସ୍ଥା
ପ୍ରତ୍ୟେକ ଦିନ ଜମିଜମା ବିବାଦକୁ ନେଇ ଅଭିଯୋଗ ଆସୁଛି। ଯେତିକି ମାମଲା ସବୁ ଗଡ଼ୁଛି ତାହାର ସମାଧାନ କରିବା ପାଇଁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ଥାନାସ୍ତରରେ ଅଭିଯୋଗକାରୀକୁ ନ୍ୟାୟ ପ୍ରଦାନ କରିବା ପାଇଁ ମଧ୍ୟ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଜମିଜମା ବିବାଦର ଶୀଘ୍ର ସମାଧାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଚିନ୍ତା କରୁଛୁ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ।
ଖୋଲିବ କି ସ୍ପେସାଲ ସେଲ୍
ରାହାଜାନି ଅନୁସନ୍ଧାନ ପାଇଁ କମିସନରେଟ୍ ପୁଲିସ ସମସ୍ତ ଥାନାରେ ସ୍ବତନ୍ତ୍ର ଅଧିକାରୀଙ୍କୁ ନେଇ ସ୍କ୍ବାଡ୍ ତିଆରି କରିଛି। ତିନିମାସ ତଳେ କମିସନରେଟ ପୁଲିସ ସାଇବର ଅପରାଧ ଅନୁସନ୍ଧାନ ପାଇଁ ଏକ ସ୍ବତନ୍ତ୍ର ସେଲ୍ ଗଠନ କରିଛି। ଅଭିଯୋଗକାରୀ ବାରଦୁଆର ନ ବୁଲି ଯେ କୌଣସି ଥାନା ଅଞ୍ଚଳର ଘଟଣା ହେଉନା କାହିଁକି ଗୋଟିଏ ଜାଗାରେ ଅଭିଯୋଗ କରିବାକୁ ସୁବିଧା ପାଇଛି। ଉଭୟ ପ୍ରସଙ୍ଗରେ ପୁଲିସକୁ ମଧ୍ୟ ବେଶ୍ ସଫଳତା ମିଳିଛି। ତେବେ ଏହି ରାଜସ୍ବ ବିବାଦକୁ ନେଇ ସ୍ବତନ୍ତ୍ର ସେଲ୍ ଖୋଲିବାକୁ ନେଇ ବିଭିନ୍ନ ମହଲରୁ ଦାବି ହୋଇଛି।
ଗଡ଼ୁଛି ୪ଶହ ଜମିଜମା ମାମଲା
ଜମିବାଡ଼ିକୁ ନେଇ କମିସନରେଟ୍ ପୁଲିସର ବିଭିନ୍ନ ଥାନାରେ ୪ଶହରୁ ଊର୍ଦ୍ଧ୍ବ ମାମଲା ଗଡ଼ୁଛି। ବାପ-ପୁଅ, ଜମି ମାଲିକ-ଦଲାଲ, ଜବରଦଖଲ ପ୍ରଭୃତି ମାମଲା ସର୍ବାଧିକ ରହିଛି। ମାମଲା କୋର୍ଟକୁ ଗଲେ ଫଇସଲା ବିଳମ୍ବ ହେବ ଭାବି ଲୋକେ ପୁଲିସ ଜରିଆରେ ତୁରନ୍ତ ସମାଧାନ ଚାହୁଛନ୍ତି। ପୁଲିସ ଡରରେ ଦଲାଲ ଚାଲିଯାଉ, ପୁଅ ଆଉ ବାପାକୁ ନିର୍ଯାତନା ନ ଦେଉ, ଜବରଦଖଲକାରୀ ଜାଗା ଛାଡ଼ି ପଳାଉ ଭାବି ସେମାନେ ଥାନାରେ ପହଞ୍ଚୁଛନ୍ତି। ଫଳରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି।
ପୁଲିସ ବିରୋଧରେ ଅଭିଯୋଗ ବେଶି
ରାଜସ୍ବ ମାମଲା କହି ପୁଲିସ ଏତଲା ଫେରାଇ ଦେଉଛି କିମ୍ବା କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ପୁଲିସ ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ବେଶି ରହିଛି। ପ୍ରତ୍ୟେକ ଦିନ କୌଣସି ନା କୌଣସି ଥାନା ପୁଲିସ ବିରୋଧରେ ଡିସିପି ଓ କମିସନରଙ୍କ ନିକଟରେ ଅଭିଯୋଗକାରୀ ଫେରାଦ କରୁଛି। ତଦନ୍ତବେଳେ ଦେଖାଯାଇଛି କି, ଲୋକ ଯେତିକି ଶୀଘ୍ର ସମାଧାନ ଚାହୁଛନ୍ତି ସେଥିରୁ ବିଳମ୍ବ ହେଲେ ଉପରିସ୍ଥ ଅଧିକାରୀଙ୍କ ପାଖରେ ପହଞ୍ଚୁଛନ୍ତି। ଅନେକ କ୍ଷେତ୍ରରେ ଅଭିଯୋଗ ଭିତ୍ତିହୀନ ହୋଇଥିବା ବେଳେ ଅଳ୍ପ କେତେକ କ୍ଷେତ୍ରରେ ପୁଲିସ ଅବହେଳା କରିଥିବା ପ୍ରମାଣିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/5dfgh45sf4h56sf46h465sf46fshfhfhs.jpg)