ଭୁବନେଶ୍ବର: ଆଜି ସାଲିଆସାହି ବସ୍ତିବାସିନ୍ଦା ଓ ପୁଲିସ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ଖଣ୍ଡଯୁଦ୍ଧ ହୋଇଥିଲା। ସାଲିଆସାହି ବସ୍ତିବାସିନ୍ଦାଙ୍କୁ ରାଜସ୍ବ ଜମି ପଟ୍ଟା ଯୋଗାଇ ଦେବା ସହିତ ୫ ଦଫା ଦାବିରେ ଆଜି ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ କରାଯାଇଥିଲା। ତେବେ ହଜାର ହଜାର ଆନ୍ଦୋଳନକାରୀ ବସ୍ତିରୁ ବାହାରି ବିଧାନସଭା ଆଡ଼କୁ ଯିବା ସମୟରେ ପୁଲିସ ସେମାନଙ୍କୁ ବିଜୁ ପଟ୍ଟନାୟକ କଲେଜ ନିକଟରେ ଅଟକାଇଥିଲା। ଫଳରେ ସେଠାରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଆନ୍ଦୋଳନକାରୀ ସେଠାରେ ରାସ୍ତାରୋକ କରି ଧାରଣାରେ ବସି ରହିଥିଲେ। ପ୍ରାୟ ୩ ଘଣ୍ଟା ଧରି ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିବା ପରେ ଶତାଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇ ଅଟକ ରଖି ସନ୍ଧ୍ୟା ବେଳକୁ ଛାଡ଼ିଦେଇଥିଲା। ଆନ୍ଦୋଳନ ଫଳରେ ସେହି ସମୟତକ ଏକାମ୍ରକାନନରୁ ଜୟଦେବ ବିହାର ରାସ୍ତାରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା।
କମିଟିର ଅଭିଯୋଗ ହେଉଛି, ସାଲିଆସାହି ବସ୍ତିରେ ଜୟଦେବ ବିହାର ମୌଜାର ଖାତା ନଂ ୧୪୨୭ରେ ପ୍ରାୟ ୨୭୫ ଏକର ପରିମିତ ଜଙ୍ଗଲ ଦୁଇ କିସମର ଜମିରେ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ୩୫ ହଜାର ପରିବାର ବସବାସ କରିଆସୁଛନ୍ତି। ଭୁବନେଶ୍ବରର ସମସ୍ତ ବସ୍ତିରେ ଉଷା ସର୍ଭେ କରାଯିବା ପରେ ଜମି ଅଧିକାର ପ୍ରଦାନ କରାଯାଉଥିବା ବେଳେ ସାଲିଆସାହିରେ ସେ ସର୍ଭେ କରାଗଲାନାହିଁ। ବରଂ ବସ୍ତିଟି ଜଙ୍ଗଲ ଜମିରେ ଥିବାରୁ ୨୦୧୭ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଆଇନରେ ଜମି ଅଧିକାର ଦିଆଯାଇପାରିବ ନାହିଁ ବୋଲି ବିଏମ୍ସି ଘୋଷଣା କରିଛି। ପୁଣି ବସ୍ତି ଭିତରେ ୨୦୦ଫୁଟିଆ ରାସ୍ତା ନାଁରେ ସର୍ଭେ କରି ବସ୍ତି ବାସିନ୍ଦାଙ୍କୁ ଘର ଦେବାକୁ କହି ଟ୍ରାଂଜିଟ କ୍ୟାମ୍ପକୁ ଠେଲି ଦେବା ଚକ୍ରାନ୍ତ କରାଯାଇଛି। ଆଦିବାସୀ ଗାଁ ଶକ୍ତିବିହାରର କ୍ଷତିଗ୍ରସ୍ତ ପରିବାରଙ୍କ ନାମ କାଟି ବାହାର ଲୋକଙ୍କୁ ଭର୍ତ୍ତି କରି ଜାଲିଆତି କରାଯାଇଅଛି। ସେଥିପାଇଁ ସର୍ଭେର ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଉନାହିଁ। ଅନ୍ୟପଟେ ସହରାଞ୍ଚଳରେ ଜଙ୍ଗଲ ଅଧିକାର ଆଇନ ଲାଗୁ ପାଇଁ ୨୦୧୫ ମାର୍ଚ୍ଚ ୫ରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଅଧିକାର ଆଦେଶ ୬/୪/୨୦୧୫କୁ ଅଣଦେଖା କରାଯାଇଅଛି।
ଏହି ଜମି ଉପରେ ହାଇକୋର୍ଟଙ୍କ ରହିତାଦେଶ ରହିଥିବାରୁ ଏମାନଙ୍କ ଉଚ୍ଛେଦ ମଧ୍ୟ ବେଆଇନ ବୋଲି ବସ୍ିି ବାସିନ୍ଦା କହିଛନ୍ତି। ରାସ୍ତା ନିର୍ମାଣ ପାଇଁ ବିକଳ୍ପ ଜମି ଜୟଦେବ ବିହାର ମୌଜାର ଖାତା ନମ୍ବର ୧୪୨୭ ରେ ପ୍ଲଟ ନମ୍ବର ୬୦୭, ୬୦୮, ୬୦୯ ସମାନ କିସମ ଜମି ରହିଛି। ତେଣୁ ରାସ୍ତା ସିଧା ତିଆରି କରାଗଲେ କାହାର ଅସୁବିଧା ହେବନାହିଁ କି କାହାକୁ କ୍ଷତିପୂରଣ ଦେବାକୁ ପଡ଼ିବ ନାହିଁ। ଯଥାଶୀଘ୍ର ବସ୍ତିବାସିନ୍ଦାଙ୍କ ଏହି ସମସ୍ୟାର ସମାଧାନ କରିବା ପାଇଁ କମିଟି ପକ୍ଷରୁ ଦାବି କରା ଯାଇଛି। କମିଟି ପକ୍ଷରୁ କରା ଯାଇଥିବା ୫ ଦଫା ଦାବି ଭିତରୁ ଅନ୍ୟ ପ୍ରମୁଖ ଦାବିଗୁଡ଼ିକ ହେଲା, ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ଜମି ଅଧିକାର ଆଇନ ୨୦୧୭ ଅନୁସାରେ ଉଷା ସର୍ଭେ କରାଯାଇ ୬୦୦ ବର୍ଗ ଫୁଟର ରାଜସ୍ବ ଜମି ପଟ୍ଟା ପ୍ରଦାନ କରାଯାଉ। ୨୦୦୬ ଜଙ୍ଗଲ ଅଧିକାର ଆଇନକୁ କେନ୍ଦ୍ର ସରକାରଙ୍କ ସହରାଞ୍ଚଳରେ କାର୍ଯ୍ୟକାରୀ ଆଦେଶ ୫/୩/୨୦୧୫ ଆଧାର କରି ରାଜ୍ୟ ସରକାରଙ୍କ ସହରାଞ୍ଚଳରେ କାର୍ଯ୍ୟକାରୀ ଆଦେଶ ୬/୪/ ୨୦୧୫ କୁ ଲାଗୁ କରିବା ପାଇଁ ତ୍ବରିତ ପଦକ୍ଷେପ ନିଆଯାଉ। ପ୍ରସ୍ତାବିତ ୨୦୦ ଫୁଟିଆ ରାସ୍ତାର ନକ୍ସା ପରିବର୍ତନ କରି ଏକାମ୍ର କାନନ ଭିତରେ ସିଧା ନିର୍ମାଣ କରି ସରକାରୀ ପାଣ୍ଠିର ଦୁରୁପଯୋଗ ରୋକାଯାଉ। ସେମାନେ ଆହୁରି କହିଛନ୍ତି ଯେ ଦୁଇବର୍ଷ ଧରି ଏହି ସମସ୍ୟାର ସମାଧାନ ପାଇଁ ଦାବି କରାଯାଉଥିଲେ ମଧ୍ୟ ସରକାର ଶୁଣୁନାହାନ୍ତି। ବରଂ ଆନ୍ଦୋଳନକୁ ଦବାଇବାକୁ ଚେଷ୍ଟା କରାଯାଉଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବା ବୋଲି ସାଲିଆ ସାହି କମିଟିର ସଭାପତି ଜୟଦେବ ନାୟକ କହିଛନ୍ତି। ଆଜିର ବିକ୍ଷୋଭରେ ରଘୁନାଥ ନାୟକ, ସାଲ ମାର୍ଣ୍ଡି, ଅଞ୍ଜନ ନାଥ, ନାରାୟଣ ଲେଙ୍କା, ଉମେଶ ଦାସ ଓ ସନ୍ତୋଷ ଦାସ ପ୍ରମୁଖ ନେତୃତ୍ବ ନେଇଥିଲେ।