ଚନ୍ଦ୍ରଶେଖରପୁର: ମିଛ ଭିଜିଲାନ୍ସ ରେଡ୍ କରି ମଞ୍ଚେଶ୍ୱର ରେଲେଓ୍ଵ କଲୋନି ଟାଇପ୍ ୧ରୁ କିଛି ଦୁର୍ବୃତ୍ତ ରେଳ କର୍ମଚାରୀ ଜି.ଶ୍ରୀନିବାସଙ୍କ ଘରୁ ୧୩ ଭରି ସୁନା ଅଳଙ୍କାର ଲୁଟି ନେବା ଘଟଣାକୁ ୪ଦିନ ବିତିଗଲାଣି। କିନ୍ତୁ ଏଯାବତ୍ ପୁଲିସ ଲୁଟେରାଙ୍କୁ ଧରି ପାରିନାହିଁ। ତେଣୁ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ନୂଆ କୌଶଳ ଆପଣାଇଛି। ଶ୍ରୀନିବାସଙ୍କ ପୁଅ ସୁଦର୍ଶନ ଓ ଝିଅ ଲାବନ୍ୟାଙ୍କ ତଥ୍ୟ ଆଧାରରେ ଅଭିଯୁକ୍ତର ସ୍କେଚ୍ ଜାରି କରିଛି। ଏହି ସ୍କେଚ୍କୁ ସବୁ ଥାନାକୁ ପଠାଇ ପୁଲିସ ଘଟଣାର ତଦନ୍ତକୁ ଆଗକୁ ପାଦେ ବଢ଼ାଇଛି। ଏହି ଲୁଟ୍ ଘଟଣାକୁ ୪ଦିନ ବିତି ଯାଇଥିବା ବେଳେ ଏହା ଭିତରେ ପୁଲିସ ସ୍ଥାନୀୟ ଅଞ୍ଚଳର ବହୁ ଲୁଟେରାଙ୍କୁ ଥାନାକୁ ଆଣି ପଚରାଉଚରା କରି ସାରିଲାଣି। ସେହିଭଳି ରାଜଧାନୀ ତଥା ଆଖପାଖ ଅଞ୍ଚଳରେ ରହୁଥିବା କିଛି ଅଣଓଡ଼ିଆ ଲୁଟେରାଙ୍କୁ ମଧ୍ୟ ପୁଲିସ୍ ଜେରା କରିଛି। କିନ୍ତୁ ସେଥରେ ତାକୁ କୌଣସି ସଫଳତା ମିଳି ପାରି ନାହିଁ। ଫଳରେ ପୁଲିସ ଶ୍ରୀନିବାସଙ୍କ ପୁଅ ଓ ଝିଅକୁ ପଚରାଉଚରା କରି ଲୁଟେରାର ଚିତ୍ର ତିଆରି କରିଛି। ତେବେ କିଛି ଅଣଓଡ଼ିଆ ଲୁଟେରାଙ୍କ ଚେହେରା ସହ ଏହି ସ୍କେଚ୍ ମିଶୁଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏମାନେ ଲୁଟ୍ପାଟ କିମ୍ବା ଡକାୟତି ପରେ ସହର ବାହାରକୁ ଚାଲି ଯାଇଥିବା ପୁଲିସ ଅନୁମାନ କରୁଛି। ତେଣୁ ପୁଲିସ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ସ୍କେଚ୍କୁ ପଠାଇ ଲୁଟେରାକୁ ଧରିବା ପାଇଁ ଜାଲ ବିଛାଇଛି। ସୂଚନା ଥାଉକି ଏହି ଲୁଟ୍ ଘଟଣାରେ ଅଣଓଡ଼ିଆ ଲୁଟେରାଙ୍କ ସହ କିଛି ସ୍ଥାନୀୟ ଅସାମାଜିକ ଯୁବକ ସାମିଲ୍ ଥିବା ଜଣାପଡ଼ିଛି। ଯେଉଁମାନେ ଗତ କିଛି ଦିନ ହେବ ମଞ୍ଚେଶ୍ୱର ରେଲେଓ୍ଵ କଲୋନିର ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ୍ୟପାନ କରି ଲୋକଙ୍କ ଘରକୁ ଟାର୍ଗେଟ୍ କରୁଥିଲେ।
ଜାରି ହେଲା ସ୍କେଚ୍, ଟେର୍ ପାଉନି ପୁଲିସ୍
ଭିଜିଲାନ୍ସ ରେଡ୍ ନାମରେ ଲୁଟ୍ ମାମଲା
/sambad/media/post_attachments/wp-content/uploads/2018/05/madhu-sketch.jpg)