ବାବା ବୀରେନ୍ଦ୍ରଙ୍କୁ ଖୋଜୁଛି ପୁଲିସ

ରାଜଧାନୀରେ କମିସନରରେଟ୍‌ ପୁଲିସର ଚଢ଼ଉ

ଭୁବନେଶ୍ୱର: ଦିଲ୍ଲୀ ସ୍ଥିତ ‘ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ’ ନାମକ ଏକ ଆଶ୍ରମରେ ଆଧ୍ୟାତ୍ମିକତା ଓ ଈଶ୍ୱରସେବାର ଦ୍ୱାହି ଦେଇ ନାବାଳିକାମାନଙ୍କୁ ବନ୍ଦୀକରି ଯୌନ ଶୋଷଣ କରୁଥିବା ବୀରେନ୍ଦ୍ର ବାବା ଓରଫ ବୀରେନ୍ଦ୍ର ଦେବଙ୍କ କଳାକାରନାମା ପଦାକୁ ଆସିବା ପରେ ବାବା ଫେରାର୍‌ ହୋଇଯାଇଛନ୍ତି। ତେଣୁ ତାଙ୍କୁ ଗିରଫ ପାଇଁ ଦିଲ୍ଲୀ ପୁଲିସ ଦେଶର ବିଭିନ୍ନ ସ୍ଥାନରେ ଥିବା ବାବାଙ୍କ ଆଶ୍ରମ ଉପରେ ଚଢ଼ାଉ ପାଇଁ ନିର୍ଦେଶ ପରେ ଆଜି ଭୁବନେଶ୍ୱର ଜଗନ୍ନାଥବିହାର ସ୍ଥିତ ବାବାଙ୍କ ଆଶ୍ରମ ଉପରେ ମଞ୍ଚେଶ୍ୱର ଥାନା ପୁଲିସ ଚଢ଼ଉ କରିଛି। ଚଢ଼ଉ ବେଳେ ସେମିତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ୍‌ ପୁଲିସ ସହାୟତାରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ କେତେକ ଭକ୍ତ ଏହାକୁ ବିରୋଧ କରିଥିଲେ।

ଭକ୍ତଙ୍କ ଏଭଳି ବିରୋଧ ଦେଖି ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା। କାଳେ ବାବା ଏଠାରେ ଲୁଚି ରହିଥିବେ ଭାବି ପୁଲିସ ୪ମହଲା ବିଶିଷ୍ଟ ଘରକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା। ଘରର ପ୍ରଥମ ମହଲାକୁ ଭଡ଼ାରେ ଦିଆଯାଇଥିବା ବେଳେ ଘର ମାଲିକ ଦ୍ୱିତୀୟ ଓ ତୃତୀୟ ମହଲାରେ ରହୁଛନ୍ତି। ହେଲେ ଘରର ଶେଷ ମହଲା ତଥା ୪ ମହଲାରେ ରହିଛି ବାବାଙ୍କ ପ୍ରବଚନ ମଣ୍ଡପ ରହିଥିବା ପୁଲିସ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା। ବାବାଙ୍କ ପ୍ରବଚନ ମଣ୍ଡପ ମିଳିବା ପରେ ପୁଲିସ ଘର ମାଲିକଙ୍କୁ ବାବାଙ୍କ ବିଷୟରେ ପଚରା ଉଚରା କରିଥିଲା। ତେବେ ବାବା ଭୁବନେଶ୍ୱର ଆସିଲେ ଏଠାରେ ପ୍ରବଚନ କରାଯାଏ ବୋଲି ଘରମାଲିକ କହିଥିଲେ। ଏହାଛଡ଼ା ଏଠାରେ ପ୍ରତିଦିନ ସନ୍ଧ୍ୟାରେ ବାବାଙ୍କ ପ୍ରବଚନକୁ ଟେଲିଭିଜନ୍‌ ମଧ୍ୟମରେ ପ୍ରଦର୍ଶନ କରାଯାଏ। ପ୍ରବଚନ ଶୁଣୀବାଲାଗି ପ୍ରତିଦିନ ୩୦ରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥାଏ। ହେଲେ ଏଠାରେ କୌଣସି ଅନୈତିକ କାମ ହୁଏ ନାହିଁ ବୋଲି ଭକ୍ତମାନେ କହିଛନ୍ତି।

ପ୍ରକାଶ ଥାଉ କି, ଦୀର୍ଘ ୧୪ ବର୍ଷ ହେବ ବାବା ବୀରେନ୍ଦ୍ର ଝିଅମାନଙ୍କୁ ଆଶ୍ରମରେ ବନ୍ଦ କରି ଯୌନ ନିର୍ଯାତନା ଦେଉଥିଲେ। ଯାହାଙ୍କର ବୟସ ୧୧-୨୦ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ତେବେ ଦୀର୍ଘ ଦିନ ଧରି ବୀରେନ୍ଦ୍ର ଆଶ୍ରମରେ ଏଭଳି କଳାକାରନାମା ଚଲାଇ ଥିଲେ ମଧ୍ୟ କେହି ଏହାର ଟେର୍‌ ପାଇ ନଥିଲେ। ସ୍ୱେଚ୍ଛାସେବୀ ସଂସ୍ଥା ‘ଫାଉଣ୍ଡେସନ୍‌ ଫର୍‌ ସୋସିଆଲ୍‌ ଏମ୍‌ପାଓ୍ଵାରମେଣ୍ଟ’ ଉକ୍ତ ଆଶ୍ରମ ବିରୋଧରେ କୋର୍ଟରେ ଆବେଦନ ପରେ ପଦକ୍ଷେପ ନିଆଯାଇଥିଲା।

ସମ୍ବନ୍ଧିତ ଖବର