ଭୁବନେଶ୍ବର : କରୋନା ସଂକ୍ରମଣରୁ ବର୍ତ୍ତି ନାହାନ୍ତି ପୁଲିସ। ମୁମ୍ବାଇ ପୁଲିସର ୨୫୦୦ କମର୍ଚାରୀ ସଂକ୍ରମିତ ହୋଇଥିବା ବେଳେ ୭୦ଜଣଙ୍କର ମୃତ୍ୟୁ ହୋଇଛି। ଯୋଦ୍ଧା ଭାବରେ ଏନ୍ଫୋର୍ସମେଣ୍ଟ ଜାରି ରଖିଥିବା ପୁଲିସ ବାହିନୀର ମନୋବଳକୁ ଏହା ପ୍ରଭାବିତ କରିଛି। କମିସନରେଟ୍ ପୁଲିସରେ ମଧ୍ୟ ତିନିଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇଜଣ ସୁସ୍ଥ ହୋଇଥିବା ବେଳେ ଜଣେ ଚିକିତ୍ସାଧୀନ ଅଛନ୍ତି। ଜଣେ ଫାଣ୍ଡି କର୍ମଚାରୀ ପଜିଟିଭ୍ ହେବା ପରେ ସମସ୍ତ ଫାଣ୍ଡି କର୍ମଚାରୀ ସଙ୍ଗରୋଧରେ ଅଛନ୍ତି। ଏଭଳି ସ୍ଥିତିରେ ପୁଲିସକୁ ଆହୁରି ସଜାଗ ହେବାର ସମୟ ଆସିଛି। ଏଣୁ ଶନିବାର ଓ ରବିବାର ଦୁଇଦିନ ପୁଲିସ ସେବା ଭବନକୁ ବନ୍ଦ ରଖିବା ସହ ସାନିଟାଇଜ୍ କରିବାକୁ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ଆସନ୍ତାକାଲି ସକାଳ ୯ଟାରୁ ରବିବାର ପର୍ଯ୍ୟନ୍ତ କୌଣସି ପୁଲିସ କର୍ମଚାରୀ କିମ୍ବା ସାଧାରଣ ଲୋକ ପୁଲିସ୍ ଭବନକୁ ନ ଆସିବାକୁ କୁହାଯାଇଛି। ଏହି ସମୟରେ ସମଗ୍ର କୋଠାକୁ ବିଶୋଧନ କରାଯିବ।
କମିସନର୍ ସୂଚନା ଦେଇଛନ୍ତି କି, ୫ଜଣିଆ ଏକ ଟିମ୍ ଗଠନ କରାଯାଇ ଯାଇ ଦୈନିକ ଆଠ ହଜାର ପୁଲିସ କର୍ମଚାରୀଙ୍କ ଶରୀର ତାପମାତ୍ରା ଉପରେ ନଜର ରଖାଯାଉଛି। ଟିମ୍ ଉତ୍ତାପ ମାପିବା ସହ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିଛି। ପୁଲିସ କର୍ମଚାରୀଙ୍କର କୋଭିଡ୍ ପରୀକ୍ଷା କ୍ରମାନ୍ବୟରେ କରାଯାଉଛି। କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ଆମ ପାଇଁ ଆହ୍ୱାନ ବୋଲି ସେ କହିଛନ୍ତି। ଏସସିବି ମେଡିକାଲ୍ କଲେଜ, ଆଚାର୍ଯ୍ୟ ହରିହର କ୍ୟାନସର୍ ହସ୍ପିଟାଲ, ଶିଶୁଭବନରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ତେଣୁ ସମସ୍ତେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସେ ନିବେଦନ କରିଛନ୍ତି। କମିସନରେଟ୍ ପୁଲିସରେ ଯେଉଁ କର୍ମଚାରୀଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି, ସେମାନେ ଫୋନ କରି ଛୁଟି ନେଇ ପାରିବେ ବୋଲି ସେ କହିଛନ୍ତି।