ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ପୁଲିସ ଏସ୍ଆଇ ରାକେଶ ସାମଲ ନିଲମ୍ବିତ

ଭୁବନେଶ୍ୱର: ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଭୁବନେଶ୍ୱର କମିସନରେଟ ପୁଲିସର ଜଣେ ଏସ୍ଆଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ଏସ୍ଆଇଙ୍କ ନାମ ରାକେଶ ସାମଲ ଓ ସେ କ୍ୟାପିଟାଲ୍ ଥାନାରେ କାର୍ଯ୍ୟ କରନ୍ତି । ପ୍ରାଥମିକ ତଦନ୍ତ ପରେ ଏସ୍ଆଇ ରାକେଶ ସାମଲଙ୍କୁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିଲମ୍ବନ କରିଛନ୍ତି ।

ଥାନାରେ ଯୁବତୀଙ୍କ ଅଭିଯୋଗ ଅନୁସାରେ, ସେ ସାମାଜିକ ଗଣମାଧ୍ୟମ ଜରିଆରେ ରାକେଶଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ରାକେଶ ଓ ତାଙ୍କର (ଯୁବତୀ) ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପରବର୍ତ୍ତୀ ସମୟରେ ଏହା ଶାରୀରିକ ସଂପର୍କରେ ପରିଣତ ହୋଇଥିଲା । ସବୁକିଛି ଠିକଠାକ୍ ଚାଲିଥିଲା ଏବଂ ସେମାନଙ୍କର ପରିବାର ଲୋକେ ମଧ୍ୟ ବିବାହ ପାଇଁ ରାଜି ହୋଇ ସାରିଥିଲେ । କିନ୍ତୁ ଏହାରି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଯାଇଥିଲେ । ଯୁବତୀ ଜଣକ ଏବାବଦରେ ରାକେଶଙ୍କୁ କହିଥିଲେ । ଜବାବରେ ଯୁବତୀଙ୍କୁ ରାକେଶ ଗର୍ଭପାତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଯୁବତୀ ଜଣକ ରାକେଶଙ୍କୁ ବିବାହ କରିବା ପାଇଁ କହିଥିଲେ । କିନ୍ତୁ ରାକେଶ ଏହାକୁ ଭୃକ୍ଷେପ କରି ନ ଥିଲେ । ଏହାପରେ ଯୁବତୀ ଅଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିଲେ।  ପରେ ଉଭୟଙ୍କ ପରିବାର ଲୋକେ ଆପୋଷ ସମାଧାନ ପାଇଁ କ୍ୟାପିଟାଲ ଥାନାକୁ ଯାଇଥିଲେ । ରାକେଶ ୧୫ ଦିନ ମଧ୍ୟରେ ଯୁବତୀଙ୍କୁ ବିବାହ କରିବାକୁ ସମ୍ମତି ଜଣାଇଥିଲେ । କିନ୍ତୁ ଏସ୍ଆଇ ଏବେ ଫେରାର ହୋଇଯାଇ ଥିଲେ। ଅନ୍ୟ ଉପାୟ ନ ପାଇ ପୀଡ଼ିତା ଅତିରିକ୍ତ ପୁଲିସ କମିସନର ଅନୁପ ସାହୁଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର