ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର୍ ପିଏମ୍ଜିରେ ଧାରଣାରତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ଆଜି ନବୀନ ନିବାସ ଘେରିବାକୁ ଯାଉଥିବା ବେଳେ ରାଜମହଲରେ ଛକରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୁଲିସ ସେମାନଙ୍କ ପଥରୋଧ କରିବାରୁ ଶିକ୍ଷକମାନେ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ। ତେବେ ବିଭାଗୀୟ ସଚିବ ସେମାନଙ୍କ ସହ ଆଲୋଚନା କରିବାକୁ ପ୍ରତଶ୍ରୁତି ଦେବା ପରେ ଶିକ୍ଷକମାନେ ରାସ୍ତା ଅବରୋଧରୁ ହଟିଥିଲେ।
ସୂଚନାଯୋଗ୍ୟ ଯେ କଳା ଓ କ୍ରୀଡ଼ା ଶିକ୍ଷକ ସଂଘ ପକ୍ଷରୁ ଦୀର୍ଘ ଦିନ ଧରି ବିଧାନସଭା ସମ୍ମୁଖରେ ଆନ୍ ଦୋଳନ କରାଯାଉଛି। କିନ୍ତୁ ସେମାନଙ୍କ ଦାବି ପୂରଣ କରାଯାଉନାହିଁ। ତେଣୁ ଆଜି ଅପରାହ୍ନରେ ସଂଘ ପକ୍ଷରୁ ନବୀନ ନିବାସ ଘେରାଉ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାଷ୍ଟରକ୍ୟାଣ୍ଟିନ ଛକରୁ ଶତାଧିକ ଶିକ୍ଷକ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଅଭିମୁଖେ ବାହାରିଥିଲେ। ରାଜମହଲ ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ତେଣୁ ଶିକ୍ଷକ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶିକ୍ଷକମାନେ ରାସ୍ତା ରୋକ୍ କରିବାରୁ ବିଭାଗୀୟ ସଚିବ ସେମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ। ପରେ ଶିକ୍ଷକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ସଚିବଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସଂଘ ଧାରଣାରୁ ଉଠିବ ନାହିଁ ବୋଲି ଦେବୁ ପଟ୍ଟନାୟକ, ଜଗଜୀବନ ନାୟକ, ଚନ୍ଦ୍ରଶେଖର ପାଢ଼ୀ ପ୍ରମୁଖ କହିଛନ୍ତି।