ଭୁବନେଶ୍ୱର: ଆଉ ମାତ୍ର ୫ ଦିନ ପରେ ଆସିବ ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷର ଆଗମନ ପାଇଁ ରାଜଧାନୀବାସୀ ପ୍ରସ୍ତୁତି ଆରମ୍ଭ କଲେଣି। ନୂଆବର୍ଷକୁ ଜାକଜମକର ସହିତ ପାଳନ ପାଇଁ ଏବେଠାରୁ ରାଜଧାନୀ ଉପକଣ୍ଠରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳଠାରୁ ଆରମ୍ଭ କରି ହୋଟେଲ୍, ବାର୍, ସପିଂ ମଲ୍ରେ ଲୋକଙ୍କ ଭିଡ଼ ଜମିଲାଣି। ବିଶେଷ କରି ଡିସେମ୍ବର ୩୦ରୁ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ଛକ, ରେଳଷ୍ଟେସନ୍, ସପିଂ ମଲ୍, ହୋଟେଲ୍ ଓ ପର୍ଯ୍ୟଟନସ୍ଥଳୀରେ ଭିଡ଼ ରହିବ। ତେଣୁ ସେହି ଦିନଗୁଡ଼ିକରେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବ କମିସନରେଟ୍ ପୁଲିସ। ଏଥିପାଇଁ ସମସ୍ତ ସ୍ଥାନୀୟ ପୁଲିସ ଥାନା ନିଜ ନିଜ ଅଞ୍ଚଳର ତଦାରଖ କରିବେ। ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୫ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେହିପରି ବିଭିନ୍ନ ଟ୍ରାଫିକ୍, ଛକ, ସପିଂମଲ୍, ହୋଟେଲ୍ ଓ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଲାଗିଥିବା ସିସିଟିଭି ମଧ୍ୟ ସମସ୍ତଙ୍କ ଉପରେ ନଜର ରଖିବ। କୌଣସି ଅଘଟଣ ଘଟିଲେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି।
ନୂଆ ବର୍ଷ ଦିନ ଯାଏ ସବୁ ଛକରେ ବ୍ଲକିଂ
ଆଜିଠାରୁ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟାଠାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ସମସ୍ତ ଟ୍ରାଫିକ୍ ପୋଷ୍ଟ, ଛକ ଗୁଡ଼ିକରେ ପୁଲିସ କର୍ମଚାରୀ ଜଗି ରହିବେ। ସେହିପରି ପିସିଆର ଭ୍ୟାନ୍ ଓ ବାଇକ୍ ପାଟ୍ରୋଲିଂ ମଧ୍ୟ ଜାରି ରହିବ। ମଦ୍ୟପ ଚାଳକଙ୍କୁ ଧରିବାପାଇଁ ବ୍ରେଥ୍ ଆନାଲାଇଜର ମାଧ୍ୟମରେ ଯାଞ୍ଚ କରାଯିବ। ଯଦି କେହି ନିଶାସକ୍ତ ଚାଳକ ଜଣାପଡ଼େ ସେମାନେ ୫ ଶହ ଟଙ୍କା ଜରିମାନା ଗଣିବେ ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ସେହିପରି ବେପରୁଆ ଗାଡ଼ିଚାଳକଙ୍କ ପାଇଁ ମଧ୍ୟ ଆଇନ୍କୁ କଡ଼ାକଡ଼ି କରାଯାଇଛି। ଯଦି କେହି ଗାଡ଼ିଚାଳକ ଦ୍ରୁତ ଗତିରେ ହେଉ ବା ବେପରୁଆ ଭାବେ ଗାଡ଼ି ଚଳାଉ ଥିବେ ସେମାନଙ୍କୁ ଚିହ୍ନଟ କରି ଜରିମାନା ଆଦାୟ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଭୋଇ କହିଛନ୍ତି।
ପର୍ଯ୍ୟଟନସ୍ଥଳୀ, ହୋଟେଲ୍ ଓ ସପିଂମଲ୍କୁ ଜଗିବେ ପୁଲିସ
ନୂଆବର୍ଷ ଉତ୍ସବ ପାଇଁ ରାଜଧାନୀରେ ଥିବା ବିଭିନ୍ନ ତାରକା ହୋଟେଲ୍ରେ ପ୍ରସ୍ତୁତି ସରିଲାଣି। ସେହିପରି ଲିଙ୍ଗରାଜ ମନ୍ଦିର, ନନ୍ଦନକାନନ, ଖଣ୍ଡଗିରି ଉଦୟଗିରି, ସଂଗ୍ରହାଳୟରେ ପର୍ଯ୍ୟଟକମାନଙ୍କ ଭିଡ଼ ଜମିଲାଣି। ଉତ୍ସବ ସମୟରେ ଯେମିତି କୌଣସି ଅଘଟଣ ନଘଟେ, ସମସ୍ତ ପ୍ରକାର ପରିସ୍ଥିତିର ସମ୍ମୁଖୀନ ପାଇଁ କମିସନରେଟନ ପୁଲିସ ପ୍ରସ୍ତୁତି ହେଉଛି। ତେଣୁ କମିସନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ତେଣୁ ଡିସେମ୍ବର ୩୦ ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ଏହି ସ୍ଥାନଗୁଡ଼ିକରେ ପୁଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/BIBHUTI-CP-MEET.jpg)