ପୁଲିସ ଚୋର ଭାଇ-ଭାଇ, ଲୁଟେରାଙ୍କୁ ସହଯୋଗ ଅଭିଯୋଗ

ଭୁବନେଶ୍ୱର: ପୁଲିସ ଉପସ୍ଥିତିରେ ଶିଖ ଯୁବକ ପରିବନ୍ଦର ସିଂ ପାଲ୍‌ଙ୍କୁ ନିର୍ଘାତ ମାଡ଼ ମାମଲା ଥଣ୍ଡା ପଡିନଥିବା ବେଳେ ପୁଣି ଥରେ କମିସନରେଟ ପୁଲିସ ବିବାଦକୁ ଆସିଛି। ଲୁଟେରାଙ୍କୁ ସମର୍ଥନ କରି ଏକ ଲୁଟ ମାମଲାକୁ ରଫାଦଫା କରିବା ପାଇଁ ଚାପ ପକାଇବା ଅଭିଯୋଗ ହୋଇଛି। କେବଳ ଚାପ ପକାଇ ନାହିଁ ବରଂ ପାଲଟା ଅଭିଯୋଗରେ ବାନ୍ଧି ଜେଲ୍‌ ପଠାଇଦେବାକୁ ଧମକ ଦେଇଛି। ଘଟଣା ପ୍ରଚାରିତ ହେବା ପରେ କମିସନରେଟ ପୁଲିସ ବିଭିନ୍ନ ସ୍ତରରେ ନିନ୍ଦିତ ହେବା ପରେ ଦୁଇ ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ୧୬ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ଖାରବେଳ ନଗର ଅଞ୍ଚଳ ମସଜିଦ କଲୋନିର ସେହଜାଦ ଖାଁ ଓ ଶେଖ କଲିମୁଲ୍ଲା।

ସୂଚନା ମୁତାବକ, ଆନନ୍ଦପୁର ଗଡ଼ବାନ୍ଧଗୋଡ଼ାର ସୁନୀଲ ଚକ୍ର କଳିଙ୍ଗ ଉତ୍କଳ ଏକ୍ସପ୍ରେସରେ ଦିଲ୍ଲୀରୁ ଆସି ଆଜି ସକାଳ ସାଢେ ୫ଟା ବେଳେ ମାଷ୍ଟର କ୍ୟାଣ୍ଟିନ ରେଳଷ୍ଟେସନରେ ଓହ୍ଲାଇଥିଲେ। ସେଠାରେ ଜଣେ ଅଟୋ ଚାଳକଙ୍କ ସହ ନୂଆପଲ୍ଲୀ ଯିବା ପାଇଁ କଥାବାର୍ତା କରୁଥିଲେ। ଦର ଛିଣ୍ଡିବା ପରେ ଟଙ୍କା ଦେବା ପାଇଁ ସେ ପକେଟରୁ ଟଙ୍କା ବାହାର କରିବା ବେଳେ ସେଠାରେ ଥିବା ଜଣେ ଯୁବକ ଟଙ୍କା ଧରି ଦୌଡିଥିଲା। ସୁନୀଲ ତାକୁ ପିଛା କରିବା ପାଇଁ ଉଦ୍ୟତ ହେବାରୁ ତାଙ୍କୁ ଆଉ ଦୁଇଜଣ ଯିବାକୁ ଦେଇନଥିଲେ। ସୁନୀଲ କଣ୍ଟ୍ରୋଲ ରୁମକୁ ଫୋନ କରିବା ପରେ ପୁଲିସ ଆସିଥିଲା। ପୁଲିସ ସହ ଅଭିଯୁକ୍ତ ଥିଲା। ଅଭିଯୁକ୍ତ କୁ ଚିହ୍ନିବା ପରେ ସେ ତାକୁ ଧରିବା ପାଇଁ ଚାହିଁଥିଲା। ହେଲେ ଅଭିଯୁକ୍ତ ଦୌଡି ପଳାଇଥିଲା। ଏଣେ ପୁଲିସ ଅଭିଯୁକ୍ତକୁ ଧରିବ କ’ଣ ସେମାନଙ୍କୁ ପିଛା ନକରି ଘରକୁ ପଳାଇବାକୁ ସୁନୀଲକୁ ଚାପ ପକାଇଥିଲା। ଏବଂ ୧୦ ହଜାର ଟଙ୍କା ଫେରାଇ ଦେଇଥିଲା। ୧୬ ହଜାର ଲୁଟ ହୋଇଥିବାରୁ ସୁନୀଲ ରାଜି ନ ହୋଇ ଅଭିଯୁକ୍ତକୁ ପିଛା କରିଥିଲେ। ଅନେକ ବାଟ ଦୌଡ଼ିବା ପରେ ଅଭିଯୁକ୍ତ ସହ ୧୦ରୁ ୧୨ ଜଣ ମିଶି ଯାଇଥିଲେ। ହେଲେ ପୁଲିସ କାହାକୁ ଧରିନଥିଲା। ଅଭିଯୋଗ କଲେ ଜୁଆ ଖେଳିବା ଅଭିଯୋଗରେ ଗିରଫ କରିବାକୁ ପୁଲିସ ସୁନୀଲକୁ ଧମକ ଦେଇଥିଲା। ସେଠାରେ ଅନେକ ଲୋକ ଜମା ହୋଇଯିବା ପରେ ପୁଲିସ ପଳାଇଥିଲା। ସୁନୀଲ ଏ ନେଇ ଜିଆରପି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା।

କେବଳ ଏହି ଘଟଣା ନୁହେଁ, ଏଠାରେ ଏଭଳି ଅନେକ ଘଟଣା ଘଟୁଛି। ପୁଲିସ ସହ ଏହି ଲୁଟେରାମାନଙ୍କର ମଧୁଚନ୍ଦ୍ରିକା ରହୁଥିବାରୁ ଷ୍ଟେସନରେ ଅପରାଧ ବଢି ବଢି ଚାଲିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ଉପରେ ପ୍ରବଳ ଚାପ ପଡିବାରୁ ପୁଲିସର ଏହି ମଧୁଚନ୍ଦ୍ରିକା ପ୍ରସଙ୍ଗ ଏତଲାରୁ ଉଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର