ସାଇଲେନ୍‌ସର, ହର୍ଣ୍ଣ କାଢ଼ିନେଲା ପୁଲିସ

ଭୁବନେଶ୍ବର : କର୍କଶ ଶବ୍ଦ ସୃଷ୍ଟି କରୁଥିବା ବାଇକ୍‌ ସାଇଲେନ୍‌ସର ଓ ହର୍ଣ୍ଣକୁ ଜବତ କରିଛି କମିସନରେଟ୍‌ ପୁଲିସ। ଗତ ମାସକ ମଧ୍ୟରେ ୨୦୩ଟି ବାଇକ୍‌ରେ ଲାଗିଥିବା ଏପରି ହର୍ଣ୍ଣ ଓ ସାଇଲେନ୍‌ସର ଜବତ କରାଯାଇଛି। ପ୍ରତି ବାଇକ୍‌ ପିଛା ୫ଶହ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। ଏପରି ନିୟମ ଉଲଂଘନକାରୀଙ୍କଠାରୁ ପାଖାପାଖି ଲକ୍ଷାଧିକ ଟଙ୍କା ଆଦାୟ କରାଯାଇଥିବା ଏସିପି ଅନୁପ କାନୁନ୍‌ଗୋ କହିଛନ୍ତି। ଅଗାକୁ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।

ପୁଲିସ ସୂଚନା ଅନୁଯାୟୀ ଆଜିକାଲି ରାଜଧାନୀରେ କିଛି ଯୁବକ ବାଇକ୍‌ରେ କର୍କଶ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍‌ସର ଓ ହର୍ଣ୍ଣ ଲଗାଉଛନ୍ତି। ଏପରି ଶବ୍ଦ ଯୋଗୁ କେବଳ ଯେ ଶବ୍ଦ ପ୍ରଦୂଷଣ ହେଉଛି ତାହା ନୁହେଁ ବିଭିନ୍ନ ସମୟରେ ଏହି ଶବ୍ଦ ଦୁର୍ଘଟଣାର କାରଣ ସାଜୁଛି। ହୃଦ୍‌ରୋଗୀମାନ ଭୟଭୀତ ହୋଇ ପଡ଼ୁଛନ୍ତି। ଏପରି ଶବ୍ଦ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିକରିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଏପରି ଶବ୍ଦ ସୃଷ୍ଟି କରୁଥିବା ପାର୍ଟସ ଗାଡ଼ିରେ ନ ଲଗାଇବାକୁ କମିସନରେଟ୍‌ ପୁଲିସର କଟକଣା ଥିଲେ ମଧ୍ୟ କିଛି ଯୁବକ ଏହାକୁ ମାନୁ ନଥିବା ଦେଖାଯାଇଛି। ତେଣୁ ସେମାନଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ପୁଲିସ ସଂପୃକ୍ତ ଗାଡ଼ିକୁ ଜବତ କରିବା ସହିତ ସାଇଲେନ୍‌ସର ଓ ହର୍ଣ୍ଣ କାଢ଼ିଦେବାକୁ ଯୋଜନା କରିଛି। ଟ୍ରାଫିକ୍‌ ଏସିପି ଶ୍ରୀ କାନୁନ୍‌ଗୋ କହିଛନ୍ତି ଯେ, ଏଭଳି ଆତଙ୍କ ସୃଷ୍ଟି କରୁଥିବା ଯୁବକଙ୍କ ବାଇକ୍‌ ଜବତ କରାଯାଉଛି। ବାଇକ୍‌ ଗୁଡ଼ିକରୁ ହର୍ଣ୍ଣ ଓ ସାଇଲେନ୍‌ସରକୁ କାଢ଼ି ଦିଆଯାଉଛି। ଆଗକୁ ଯେପରି ଏପରି ପାର୍ଟସ ନ ଲଗାନ୍ତି ସେ ନେଇ ଚେତାବନୀ ମଧ୍ୟ ଦିଆଯାଉଛି। ସେହିପରି ଏପରି ସାଇଲେନ୍‌ସର ଓ ହର୍ଣ୍ଣର ଅପକାରିତା ସଂପର୍କରେ ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉ ବୋଲି ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର