ଭୁବନେଶ୍ବର: ଶନିବାର ବିଳମ୍ବିତ ରାତିରେ ଜୟଦେବବିହାରରେ ୩ କୁଖ୍ୟାତ ଅପରାଧୀଙ୍କ ଆତଙ୍କରାଜ୍ ଦେଖିବାକୁ ମିଳିଥିଲା। ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ରରେ ସଜ୍ଜିତ ଏହି ୩ କୁଖ୍ୟାତ ହେଲେ ସାଇନ୍ସ ପାର୍କ ବସ୍ତିର ରାମଚନ୍ଦ୍ର ନାୟକ(୩୦), ବିକାଶ ଦିଗଲ ଓରଫ ସମୀର (୧୯) ଓ ଦାଶରଥୀ ବେହେରା ଓରଫ ନିଲୁ(୩୭)। ବଡ଼ କଥା ହେଉଛି ସେମାନେ ସାଧାରଣ ଲୋକଙ୍କୁ ଡରାଇବା ଲାଗି ଉତ୍ପାତ କରୁଥିବା ବେଳେ ପୁଲିସ ମଧ୍ୟ ବର୍ତ୍ତି ନଥିଲା। ସେମାନେ ଖଣ୍ଡା ଧରି ପୁଲିସକୁ ଗୋଡ଼ାଇଥିଲେ। କିନ୍ତୁ ପୁଲିସ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଜବତ କରାଯାଇଛି। 

Advertisment

ଶନିବାର ରାତିରେ ଅଭିଯୁକ୍ତ ବିକାଶ, ନିଲୁ ଓ ରାମ ନିଶାସକ୍ତ ଅବସ୍ଥାରେ ଜୟଦେବବିହାର ଭେଙ୍କେଟେଶ୍ବର ମନ୍ଦିର ନିକଟରେ ଏକାଠି ହୋଇଥିଲେ। ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ଅଟକାଇ ଲୁଟିବାକୁ ଉଦ୍ୟମ କରୁଥିଲେ। କାହାକୁ ଖଣ୍ଡା ଦେଖାଇ ଟଙ୍କା ମାଗୁଥିଲେ ତ କାହାଠୁ ଗହଣା ଛଡ଼ାଇବାକୁ ଚେଷ୍ଟା କରିଥିଲେ। ସେମାନେ ବଡ଼ ପାଟିରେ ଅଶ୍ଳୀଳ ଭାଷାରେ ଗାଳିମନ୍ଦ କରୁଥିଲେ ହେଁ ସ୍ଥାନୀୟ ଲୋକେ ମୁହଁ ଖୋଲିବାକୁ ସାହସ କରିନଥିଲେ। ଖବର ପାଇ ସହିଦନଗର ଥାନା ପିସିଆର୍‌ ସେଠାରେ ପହଞ୍ଚିଥିଲା। ପୁଲିସ ଗାଡ଼ି ଦେଖି ୩ ଅଭିଯୁକ୍ତ ଭୟରେ ପଳାଇବେ କ’ଣ, ପାଲଟା ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ପୁଲିସ ଗାଡ଼ିରୁ ଓହ୍ଲାଇବା ପୂର୍ବରୁ ୩ଜଣଯାକ ମାରଣାସ୍ତ୍ର ଉଠାଇ ଭ୍ୟାନ୍‌ ପାଖକୁ ଝପଟି ଯାଇଥିଲେ। ଭୟରେ ପିସିଆର୍‌ କର୍ମଚାରୀମାନେ ଗାଡ଼ି ବୁଲାଇ ସେଠାରୁ ଫେରିଯାଇଥିଲେ। କିନ୍ତୁ ଦୁର୍ବୃତ୍ତମାନେ ପିସିଆର୍‌ ଗାଡ଼ିକୁ ଢେଲାମାଡ଼ କରିଥିଲେ। ଘଟଣା ପରେ ବି ସେମାନେ ସେଠାରୁ ପଳାଇଯାଇ ନଥିଲେ। ପରେ ପିସିଆର୍‌ କର୍ମଚାରୀମାନେ ପୁଣି ପ୍ରସ୍ତୁତ ହୋଇ ଫେରିଥିଲେ ଏବଂ ତିନି ଦୁର୍ବୃତ୍ତଙ୍କୁ କାବୁ କରିଥିଲେ।

ଅପରାଧୀଙ୍କ ଆକ୍ରୋଶରୁ ବର୍ତ୍ତିପାରୁନି ପୁଲିସ; ୨ ବର୍ଷରେ ୧୬ଥର ଆକ୍ରମଣ

ଭୁବନେଶ୍ବର: କମିସନରେଟ୍‌ ପୁଲିସ ବେଶି ଶକ୍ତ ଓ ଦକ୍ଷ ବୋଲି ସାଧାରଣରେ ଏକ ବିଶ୍ବାସ ରହିଛି। ମାତ୍ର ଗତ ୨ବର୍ଷର ଘଟଣାରୁ ସ୍ପଷ୍ଟ ହୁଏ ଯେ କମିସନରେଟ୍‌ ପୁଲିସ ବି ନିଜେ ସୁରକ୍ଷିତ ନୁହେଁ। ଉଦ୍‌ବେଗର କଥା ହେଉଛି ୟୁନିଫର୍ମରେ ଥିବା ବେଳେ ପୁଲିସକୁ ଆକ୍ରମଣର ଶିକାର ହେଉଛି। ଇନସିପେକ୍ଟରଙ୍କଠାରୁ କନଷ୍ଟେବଳ ପର୍ଯ୍ୟନ୍ତ କେହି ଅପରାଧୀଙ୍କ ଆକ୍ରୋଶରୁ ବର୍ତ୍ତିପାରୁନାହାନ୍ତି। ଉପକଣ୍ଠରୁ ଆରମ୍ଭ କରି ରାଜଧାନୀ ଛାତି ଉପରେ ଅପରାଧୀମାନଙ୍କ ଏଭଳି ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ସବୁଠୁ ବେଶି ଅସୁରକ୍ଷିତ ହୋଇପଡ଼ିଛନ୍ତି ମହିଳା ପୁଲିସ।  ନିଜ ସ୍ଥିତିକୁ ସମ୍ଭାଳି ପାରୁନଥିବା କମିସନରେଟ୍‌ ପୁଲିସ ସାଧାରଣଲୋକଙ୍କୁ କି ସୁରକ୍ଷା ଯୋଗାଇବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୨ବର୍ଷ ମଧ୍ୟରେ କମିସନରେଟ୍‌ ପୁଲିସ ୧୬ରୁ ଅଧିକ ଥର ଆକ୍ରମଣର ଶିକାର ହେଲାଣି। ଆକ୍ରମଣ ଯୋଗୁ ୩୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ନିକଟରେ ଘଟିଥିବା କେତେକ ଘଟଣା ଦେଖିଲେ ପୁଲିସ ପ୍ରତି କିଭଳି ଜନ ଆକ୍ରୋଶ ବଢ଼ୁଛି ତାହା ବାରିହେଉଛି।

ଗତ ୩୧ ମାର୍ଚ୍ଚ ମାସ ବିଳମ୍ବିତ ରାତିରେ ଭରତପୁର ଅଞ୍ଚଳରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ବେଳେ ପୁଲିସ ପହଞ୍ଚିବାରୁ ଉତ୍ତ୍ୟକ୍ତଲୋକ ପୁଲିସକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଟେକାପଥର ମାଡ଼ କରିଥିଲେ। ଫଳରେ ପୁଲିସ ଭ୍ୟାନ୍‌ ଭାଙ୍ଗିବା ସହ ମହିଳା ଏଏସ୍‌ଆଇ ସଂଘମିତ୍ର କର ଏବଂ ଅନ୍ୟ ଦୁଇ କର୍ମଚାରୀ ଆହତ ହୋଇଥିଲେ। ସେହିପରି ଗତ ୨୦୨୪ ଜୁଲାଇ ୧୦ରେ  ଚନ୍ଦକା ଅଞ୍ଚଳରେ ସ୍ଥାନୀୟ ପୁଲିସ ଓ ଆର୍‌ଆଇଙ୍କ ଉପସ୍ଥିତିରେ ଜମି ମାପଚୁପ ବେଳେ ଗଣ୍ଡଗୋଳ ହୋଇଥିଲା। ଘଟଣାରେ ଚନ୍ଦକା ଥାନା ପୁଲିସ ମଧୁପୁର ଗାଁର ୩୩ ଜଣଙ୍କୁ ଗିରଫ କରିଥିଲା। ୨୦୨୩ ଡିସେମ୍ବର ୨୬ରେ ଭରତପୁର ଥାନା ଷ୍ଟୁଡିଓ ଛକ ନିକଟରେ ଚେକିଂ ବେଳେ ଜଣେ ଅଭିନେତା ପୁଲିସକୁ ଆକ୍ରମଣ କରିଥିଲେ। ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଡିସେମ୍ବର ୧୮ ତାରିଖରେ ଏକ ଯୌତୁକ ନିର୍ଯାତନା ମାମଲାର ତଦନ୍ତ ପାଇଁ ମହିଳା ଥାନା ପୁଲିସର ଏକ ଟିମ୍‌ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଜଣଙ୍କ ଘରେ ଚଢ଼ଉ କଲାବେଳେ ସପରିବାର ‌ପୁଲିସକୁ ଆକ୍ରମଣ କରିଥିଲେ। ଡିସେମ୍ବର ୧୭ ତାରିଖ ସନ୍ଧ୍ୟାରେ କାହ୍ନା ଓ ପଦୁ ନାମକ ଦୁଇ ଯୁବକ ୧୨୦ ବାଟାଲିୟନ ନିକଟରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିଲେ।

ସେଠାରେ କାର୍ଯ୍ୟରତ ମହିଳା ଟ୍ରାଫିକ୍‌ କନଷ୍ଟେବଳ ଉଭୟଙ୍କୁ ଅଟକାଇବାରୁ ସେମାନେ କନେଷ୍ଟବଳଙ୍କୁ ଦୁର୍ବ୍ୟବହାର କରିଥିଲେ।  ଅଗଷ୍ଟ ୧୮ରେ ଏକ ଫାର୍ମହାଉସ୍‌ରେ କିଛି ଅପରାଧୀ ଏକାଠି ହୋଇଥିବା ଖବର ପାଇ ଧଉଳି ଥାନା ପୁଲିସଚଢ଼ଉ ବେଳେ ସେମାନେ ପୁଲିସକୁ ଅତର୍କିତ ଆକ୍ରମଣ କରିଥିଲେ।  ମେ ମାସ ୩୦ ତାରିଖ ରାତିରେ କୁଆଖାଇ ନଦୀପଠାରେ ଏକ ଗ୍ୟାଙ୍ଗ ସମ୍ପର୍କରେ ଖବର ପାଇ ପୁଲିସ ଚଢ଼ଉ କରିଥିଲା। ମାତ୍ର ଏହି ଗ୍ୟାଙ୍ଗ୍‌ ମହିଳା ଏସ୍‌ଆଇଙ୍କୁ ଅସଦାଚରଣ କରିଥିଲେ। ସେହିପରି ୨୦୨୩ ନୂଆବର୍ଷ ରାତିରେ ମହିଳା ଥାନା ଏସ୍‌ଆଇ ଶୁଭଶ୍ରୀ ନାୟକ ଥାନାରୁ ଘରକୁ ଫେରୁଥିବା ବେଳେ  ସାଇନ୍ସପାର୍କ ରାସ୍ତାରେ କିଛି ଯୁବକ ତାଙ୍କୁ ଖଣ୍ଡା ଧରି ଗୋଡ଼ାଇଥିଲେ।