ଏଣିକି ବିକ୍ଷୋଭକାରୀଙ୍କୁ ବିଦ୍ୟୁତ୍‌ ଲାଠି, ପ୍ରଥମଥର ଲାଗି ଲୋୟର ପିଏମଜିରେ ଲାଗୁ ହେବ

ଭୁବନେଶ୍ବର: ଏଣିକି ସର୍ବସାଧାରଣ ସ୍ଥାନ କିମ୍ବା ୧୪୪ ଧାରା ଅଞ୍ଚଳରେ ଗଣ୍ଡଗୋଳ, ଦଙ୍ଗା କଲେ ବିଦ୍ୟୁତ ଲାଠିରେ ପାହାର ଦିଆଯିବ। ଏହି ବିଦ୍ୟୁତ୍‌ ଲାଠି ପ୍ରହାରରେ କାହାର କୌଣସି କ୍ଷତି ଘଟିବ ନାହିଁ। କିନ୍ତୁ ଦଙ୍ଗାକାରୀଙ୍କୁ ଝଟ୍‌କା ଲାଗିବ। ଏମିତି ଯେ ସେମାନେ ସ୍ଥାନ ଛାଡ଼ି ଚାଲିଯିବାକୁ ବାଧ୍ୟ ହେବେ। ରାଜ୍ୟ ପୁଲିସ ଏଭଳି ପାଖାପାଖି ୧୦୦ଟି ଲାଠି କିଣିବାକୁ ଯୋଜନା କରୁଛି। ପ୍ରଥମ ପଦକ୍ଷେପସ୍ବରୂପ ଲୋୟର ପିଏମ୍‌ଜିରେ ଏହି ଲାଠିର ବ୍ୟବହାର କରାଯିବ। ପରବର୍ତୀ ସମୟରେ ବିଭିନ୍ନ ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ସହର ଓ ଶିଳ୍ପାଞ୍ଚଳ ନିକଟରେ ବ୍ୟବହାର କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଅନେକ ସମୟରେ ବିକ୍ଷୋଭକାରୀମାନଙ୍କ ଉତ୍ପାତ ସୀମା ଟପିଯାଏ। ଆଇନକୁ ହାତକୁ ନେଇ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ଗଣ୍ଡଗୋଳ କରିଥାନ୍ତି। ଜାତୀୟ ରାଜପଥ, ରାଜ୍ୟ ରାଜପଥକୁ ମଧ୍ୟ ଘଣ୍ଟା ଘଣ୍ଟା ଅବରୋଧ କରିଥାନ୍ତି। ଯେତେ ବୁଝାଇଲେ, ଖାତିର କରନ୍ତି ନାହିଁ। ଏହାର ଫାଇଦା ନେଇ କେତେକ ଆସାମାଜିକ ଯୁବକ ଭିଡ଼ ଭିତରେ ଗଣ୍ଡଗୋଳ କରି ପୁଲିସକୁ ଆକ୍ରମଣ କରିଥାନ୍ତି। ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ କାଠିକର ହୋଇପଡ଼େ। ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ପୁଲିସ ପ୍ରଥମେ ପାଣି ମାଡ଼ ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥାଏ। କିନ୍ତୁ ଏକଦମ ଅଣାୟତ୍ତ ହୋଇପଡ଼ିଲେ ବାଧ୍ୟ ହୋଇ ଲାଠି ଚାଳନା କରେ। ଏଥିରେ ଅନେକ ଆହତ ହୋଇଥାନ୍ତି। କାହାର ମୁଣ୍ଡ ଫାଟି ଯାଏ ତ କାହାର ହାତ ଭାଙ୍ଗି ଯାଇଥାଏ। ପରବର୍ତୀ ସମୟରେ ଏହାକୁ ନେଇ ତମ୍ବିତୋଫାନ ହୋଇଥାଏ। ପୁଲିସ କାହିଁକି ଆଇନକୁ ହାତକୁ ନେଲା କହି ବିକ୍ଷୋଭକାରୀମା‌ନେ ବିଭିନ୍ନ ସ୍ତରରେ ପୁଲିସ ବିରୋଧରେ ଅଭିଯୋଗ କରିଥାନ୍ତି। ଏହାଦ୍ବାରା ପୁଲିସ ଓ ରାଜ୍ୟ ସରକାର ମଧ୍ୟ ଚାପରେ ରହିଥାନ୍ତି। ଏଥିରୁ ବର୍ତିବା ପାଇଁ ଓଡ଼ିଶା ପୁଲିସ ଏଭଳି ଲାଠି ବ୍ୟବହାର କରିବାକୁ ଯୋଜନା କରିଛି। କାରଣ ଏହି ଲାଠି ପ୍ରହାରରେ କାହାର କୌଣସି କ୍ଷତି ଘଟିବ ନାହିଁ। ଏବେ ଏଭଳି ଲାଠି କାଶ୍ମୀର ଓ ଉତ୍ତର-ପୂର୍ବ ରାଜ୍ୟର ପୁଲିସ ବ୍ୟବହାର କରୁଛି। ଏହାଛଡ଼ା ଦେଶର କେତେକ ମେଟ୍ରୋ ପୁଲିସ ମଧ୍ୟ ଏହା ବ୍ୟବହାର କଲେଣି।

ଏ ସମ୍ପର୍କରେ ପୁଲିସ ମୁଖ୍ୟାଳୟର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଅତି ଆବଶ୍ୟକ ନ ହେଲେ ଏହି ବିଦ୍ୟୁତ ଲାଠିକୁ ବ୍ୟବହାର କରାଯିବ ନାହିଁ। ପ୍ରଥମେ କମିସନରେଟ୍‌ ପୁଲିସକୁ ଏଭଳି ଲାଠି ଯୋଗାଇ ଦିଆଯିବ। ରାଜଧାନୀରେ ଧାରଣା, ରାଲି ଓ ବିକ୍ଷୋଭ ସମୟରେ ଦେଖାଦେଉଥିବା ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟତଃ ଏହାର ବ୍ୟବହାର କରାଯିବ। ଲୋୟର ପିଏମଜିର ଧାରଣାସ୍ଥଳ ପାଇଁ ସର୍ବଦା ଏହି ବିଦ୍ୟୁତ ଲାଠି ଉପଲବ୍ଧ ରଖିବାକୁ ଚିନ୍ତା କରୁଛି ପୁଲିସ। ଏହା ବ୍ୟତୀତ ରାଜ୍ୟର ଅତି ସମ୍ବେଦନଶୀଳ ସହର ଓ ଶିଳ୍ପାଞ୍ଚଳରେ ହେଉଥିବା ବିଶୃଙ୍ଖଳା ରୋକିବା ପାଇଁ ମଧ୍ୟ ପ୍ରୟୋଗ ହେବ। ପ୍ରକାଶଥାଉକି, ଏନ୍‌ସିଆରବି ତଥ୍ୟ ଅନୁସା‌ରେ, ୨୦୧୭ ମସିହାରେ ରାଜ୍ୟରେ ୨୪୦୭ଟି ଦଙ୍ଗା ମାମଲା ରୁଜୁ ହୋଇଛି। ଯାହା ସାରା ଦେଶରେ ସର୍ବାଧିକ। ଏଥିମଧ୍ୟରୁ ୮୧ଟି କେବଳ ଶିଳ୍ପାଞ୍ଚଳରେ ଘଟିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ଏଭଳି ଲାଠି କିଣିବାକୁ ଯୋଜନା କରୁଛି।

କ’ଣ ଏହି ବିଦ୍ୟୁତ୍‌ ଲାଠି
ଭିଡ଼ ନିୟନ୍ତ୍ରଣ ଓ ବିକ୍ଷୋଭ ଘଉଡ଼ାଇବା ପାଇଁ ବ୍ୟବହାର ହୁଏ
ବର୍ତ୍ତମାନ ଦେଶର ଅନ୍ୟାନ୍ୟ ସହର ଓ ଅର୍ଧସାମରିକ ବାହିନୀ ପାଖରେ ଏହି ଲାଠି ଅଛି
ଆଲୁମିନିୟମ ନିର୍ମିତ, ଏଲ୍‌ଇଡି ଫ୍ଲାସଲାଇଟ୍‌ ସହିତ ରିଚାର୍ଜେବଲ ଉପକରଣ
ଆକାର ୪୨୦ ମିଲିମିଟର ଲମ୍ବା, ୩୪ ମିଲିମିଟର ମୋଟେଇ
ଓଜନ: ୫୩୯ ଗ୍ରାମ
କଳା ଓ ହଳଦିଆ ରଙ୍ଗରେ ଉପଲବ୍ଧ
ଏହି ଲାଠି ପ୍ରୟୋଗ ଦ୍ୱାରା କରେଣ୍ଟ ଲାଗିବ, କିନ୍ତୁ ଆହତ କି କୌଣସି ଅଘଟଣ ଘଟିବ ନାହିଁ

ସମ୍ବନ୍ଧିତ ଖବର