କଣ୍ଟ୍ରୋଲ ରୁମ୍‌ରୁ ପୁଲିସ ଗାଡ଼ି ଟ୍ରାକ୍ କରିହେବ

ସିଟି ସର୍ଭେଲାନ୍ସ ନେଇ ସ୍ମାର୍ଟ ସିଟି ସିଇଓ ଓ ପୁଲିସ କମିସନରଙ୍କ ବୈଠକ

ଭୁବନେଶ୍ବର : ସ୍ମାର୍ଟ ସିଟି ଭୁବନେଶ୍ବରର ସର୍ଭେଲାନ୍ସ ବ୍ୟବସ୍ଥା କିପରି ଅଛି ତାହା ଜାଣିବା ପାଇଁ ଶୁକ୍ରବାର ବିଏସ୍‌ସିଏଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଜୟ ସିଂହ ଏବଂ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଦୁଇ ଜଣ ଦାୟିତ୍ବ ନେବା ପରେ ଏହା ପ୍ରଥମ ବୈଠକ।

ଭୁବନେଶ୍ବରରେ କେତେ ସିସିଟିଭି ଲାଗିଛି, କେଉଁଠି ଲାଗିଛି, କିପରି କାମ କରୁଛି, କିପରି ଅପରାଧୀ, ଗାଡ଼ି ଚାଳକଙ୍କ ଉପରେ ନଜର ରଖିବା ବ୍ୟବସ୍ଥା ହୋଇଛି ତାହା ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ପୁଲିସ କମିସନରଙ୍କୁ ବୁଝାଇଥିଲେ। ଏଥିରେ ଆଲୋଚନା ହୋଇଥିଲା ଯେ, ଏଣିକି ସବୁ ପୁଲିସ ଗାଡ଼ିରେ ଅଟୋମେଟିକ୍ ଭେଇକିଲ୍‌ ଲୋକେସନ୍ ସିଷ୍ଟମ୍ ଲଗାଯିବ। ଏହାଦ୍ବାରା ପୁଲିସ ଗାଡ଼ି କେଉଁଠି ଅଛି ତାହାକୁ କଣ୍ଟ୍ରୋଲ ରୁମ୍‌ରୁ ଟ୍ରାକିଂ କରାଯାଇପାରିବ। ଭୁବନେଶ୍ବର ଅପରେସନ ସେଣ୍ଟରରୁ ସବୁ ପୁଲିସ ଗାଡ଼ି ଉପରେ ନଜର ରଖାଯାଇପାରିବ। ପିସିଆର୍ ଏବଂ ଅନ୍ୟ ପୁଲିସ ଗାଡ଼ିରେ ଥିବା କର୍ମଚାରୀଙ୍କୁ ହଠାତ୍ କେଉଁ ସ୍ଥାନକୁ ପଠାଇବାର ଥିଲେ କଣ୍ଟ୍ରୋଲ ରୁମ୍ ଗାଡ଼ିର ଲୋକେସନ୍ ଦେଖି ପଠାଇପାରିବ।

ସେହିପରି ଏହି ବୈଠକରେ ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ବ୍ୟବସ୍ଥା କିପରି କଡ଼ାକଡ଼ି ହେବ, ଲୋକଙ୍କ ଅଭିଯୋଗ ବ୍ୟବସ୍ଥାକୁ ଆଧୁନିକୀକରଣ କରାଯିବ, ବିଭିନ୍ନ ସ୍ଥାନରେ ସାଇନ୍‌ବୋର୍ଡରେ ଗୁରୁତ୍ବପୂର୍ଣ୍ଣ ସୂଚନା, ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ସୂଚନା ଦିଆଯିବ, ବ୍ଲାକ୍‌ସ୍ପଟ୍ ଏବଂ ଦୁର୍ଘଟଣାପ୍ରବଳ ଅଞ୍ଚଳରେ ଜିଆଇଏସ୍‌ ଲଗାଯିବ‌‌, ସେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ କମିସନରେଟ୍ ପୁଲିସର ନୋଡାଲ ଅଧିକାରୀ (ଟ୍ରାଫିକ) ବାନାମ୍ବର ସେଠୀ, ବିଏସ୍‌ସିଏଲ୍‌ ମହାପ୍ରବନ୍ଧକ କମଲଜିତ୍‌ ଦାସ ପ୍ରମୁଖ ଉପସ୍ଥିତ ଥି‌ଲେ।

ସମ୍ବନ୍ଧିତ ଖବର