ବରଯାତ୍ରୀଙ୍କ ସହିତ ଯିବେ ପୁଲିସ

ଜାନୁଆରିରୁ କମିସନରେଟ୍‌ ପୁଲିସର ନୂଆ ନିୟମ

ଭୁବନେଶ୍ୱର: ଏଣିକି ବର ରୋଷଣୀ ବେଳେ ବ୍ୟାଣ୍ଡ ବାଜା ଓ ବରଯାତ୍ରୀଙ୍କ ସହିତ ଦୁଇ ଜଣ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ ହେବେ। ବରଯାତ୍ରୀ ଶୋଭାଯାତ୍ରାରେ ସୁରକ୍ଷା କର୍ମୀ ନ ରହିଲେ ବର ପକ୍ଷଙ୍କୁ ରାସ୍ତାରେ ରୋଷଣୀ କରିଯିବାକୁ କମିସନରେଟ୍‌ ପୁଲିସ ଅନୁମତି ପ୍ରଦାନ କରିବ ନାହିଁ। ଆସନ୍ତା ବର୍ଷ ପହିଲାରୁ ଏଭଳି ନିୟମ ଲାଗୁ କରିବାକୁ ଯାଉଛି କମିସନରେଟ୍‌ ପୁଲିସ। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଗତକାଲି ବିଏମ୍‌ସି ପକ୍ଷରୁ ବରଯାତ୍ରୀ ଧରି ଗଲେ ୫ ହଜାର ଟଙ୍କା ଟିକସ ଲାଗୁ ନିୟମ ଆସିବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ଆସିବାକୁ ଥିବା ଏଭଳି ନିୟମ ଅନେକଙ୍କୁ ଚିନ୍ତାରେ ପକାଇଛି।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ମୁତାବକ, ବରଯାତ୍ରୀ ଶୋଭାଯାତ୍ରା ବେଳେ ରାଜଧାନୀର ପ୍ରମୁଖ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବିଭିନ୍ନ ସମୟରେ ବରଯାତ୍ରୀମାନେ ପରସ୍ପର ମଧ୍ୟରେ ପାଟିତୁଣ୍ଡ କରିବା ସହିତ ଗଣ୍ଡଗୋଳ କରୁଛନ୍ତି। ଏହି କାରଣରୁ ରାସ୍ତାରେ ଅଯଥା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ଖାରବେଳନଗର, ସହିଦନଗର, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ରବି ଟକିଜ୍‌, ମଧୁସୂଦନନଗର, ଗୋପବନ୍ଧୁ ଛକ, ଭୀମଟାଙ୍ଗୀ, ନାଗେଶ୍ୱରଟାଙ୍ଗୀ ଆଦି ଆବାସିକ ଅଞ୍ଚଳରେ ଥିବା ମଣ୍ଡପ ଓ ହୋଟେଲରେ ବାହାଘର ଚାଲିଥିବା ବେଳେ ଏଭଳି ସମସ୍ୟା ସୃଷ୍ଟି ହେଉଛି। ସେହିପରି ବରରୋଷଣୀ କରି ଯିବା ବେଳେ ଜନପଥ, କଟକ ରୋଡ୍‌, ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ମୁଖ୍ୟ ରାସ୍ତାରେ ଅହେତୁକ ଟ୍ରାଫିକ୍‌ ଜାମ ହେଉଛି। ଏ ନେଇ ଏକାଧିକ ଅଭିଯୋଗ କମିସନରେଟ୍‌ ପୁଲିସ ନିକଟରେ ପହଞ୍ଚୁଛି। ବିଭିନ୍ନ ସମୟରେ ପୁଲିସ କଣ୍ଟ୍ରୋଲ ରୁମ୍‌ରୁ ଖବର ପାଇ ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ବରଯାତ୍ରୀଙ୍କୁ ନିୟନ୍ତ୍ରଣ କରିବା ସହିତ ଟ୍ରାଫିକ୍‌ ପରିଚାଳନା ଓ ଭିଡ ନିୟନ୍ତ୍ରଣ କରିଥାନ୍ତି।

ଏଭଳି ପରିସ୍ଥିତିରେ କମିସନରେଟ୍‌ ପୁଲିସ ପକ୍ଷରୁ ଆଜି କମିସନର ଖୁରାନିଆ, ଡିସିପି ସତ୍ୟବ୍ରତ ଭୋଇ, ଟ୍ରାଫିକ୍‌ ଡିସିପି କୃଷ୍ଣଚନ୍ଦ୍ର ସାମଲ ଓ ଭୁବନେଶ୍ୱରର ବରିଷ୍ଠ ଟ୍ରାଫିକ୍‌ ପୁଲିସ ଅଧିକାରୀଙ୍କୁ ନେଇ ବୈଠକ ବସିଥିଲା। ଯେଉଁଥିରେ କମିସନରେଟ୍‌ ପୁଲିସ ପକ୍ଷରୁ ବରଯାତ୍ରୀ ରୋଷଣୀ ବେଳେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ହଟାଇବା ପାଇଁ ଯୋଜନା ହୋଇଛି। ବିଭିନ୍ନ ପାର୍ଟି, ବିବାହ ଓ ଜନ୍ମଦିନ ଆଦି ଉତ୍ସବ ବେଳେ ଯେଉଁଭଳି ଭାବେ ସୁରକ୍ଷା କର୍ମୀମାନଙ୍କୁ ନିଯୁକ୍ତ କରାଯାଉଛି ସେହିଭଳି ଆସନ୍ତା ମାସରୁ ବରପକ୍ଷ ସାଙ୍ଗରେ ଦୁଇଜଣ ସୁରକ୍ଷା କର୍ମୀ ସାଙ୍ଗରେ ଧରି ରୋଷଣୀ କରିବେ। ଏହି ଦୁଇଜଣ ସୁରକ୍ଷା କର୍ମୀ ରାସ୍ତାରେ ଟ୍ରାଫିକ ପରିଚାଳନା କରିବା ସହ ବରଯାତ୍ରୀଙ୍କୁ ନିୟନ୍ତ୍ରଣ କରିବେ। ସାଧାରଣ ଲୋକ ଓ ରାସ୍ତାରେ ଯିବା ଆସିବା କରୁଥିବା ଗାଡ଼ି ମୋଟର ଚାଳକମାନେ ଯେଉଁଭଳି ଭାବେ ଏହି ବର ଶୋଭାଯାତ୍ରା ବେଳେ କୌଣସି ପ୍ରକାର ଅସୁବିଧାରେ ନ ପଡ଼ିବେ, ତାର ତଦାରଖ କରିବେ ଦୁଇ ସୁରକ୍ଷାକର୍ମୀ। ଯଦି କୌଣସି ବରଯାତ୍ରୀ ଶୋଭାଯାତ୍ରାରେ ସୁରକ୍ଷା କର୍ମୀ ନିୟୋଜିତ ନ କରନ୍ତି, ତାହା ହେଲେ ବରପକ୍ଷଙ୍କୁ ରାସ୍ତାରେ ରୋଷଣୀ କରି ଯିବାକୁ କମିସନରେଟ୍‌ ପୁଲିସ ଅନୁମତି ପ୍ରଦାନ କରିବ ନାହିଁ ବୋଲି ପୁଲିସ କମିସନର ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।

୪ ଟି ପ୍ରମୁଖ ରାସ୍ତାରେ ବରଯାତ୍ରୀ ଶୋଭାଯାତ୍ରା ନିଷିଦ୍ଧ

ବର ରୋଷଣୀ ବେଳେ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ନିୟମ ଲାଗୁ ହେବା ସହ କମିସନରେଟ୍‌ ପୁଲିସ ପକ୍ଷରୁ ରାଜଧାନୀର ୪ଟି ପ୍ରମୁଖ ରାସ୍ତାକୁ ବରଯାତ୍ରୀ ଶୋଭାଯାତ୍ରା ବା ରୋଷଣୀ ନିଷିଦ୍ଧ ଘୋଷଣା କରାଯିବ। ପୁଲିସ କମିସନର ଖୁରାନିଆଙ୍କ ସୂଚନା ଅନୁଯାୟୀ ରାଜଧାନୀର କଟକରୋଡ, ଶିଶୁଭବନ ଛକରୁ ବାଣୀବିହାର, ବିମାନବନ୍ଦରରରୁ ନନ୍ଦନକାନନ ରାସ୍ତା, ଶିଶଭବନ ଛକରୁ ଏଜି-ଗଭର୍ଣ୍ଣର ହାଉସ ଛକ ପ୍ରମୁଖ ରାସ୍ତାରେ ରୋଷଣୀ ଯିବା ସମୟରେ ବହୁ ପରିମାଣର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏହି ୪ଟି ରାସ୍ତାରେ ଆସନ୍ତା ମାସ ପହିଲାରୁ କୌଣସି ପ୍ରକାରର ବରଯାତ୍ରୀ ଶୋଭଯାତ୍ରା ଯାଇପାରିବ ନାହିଁ। ଖୁବ୍‌ ଶୀଘ୍ର ଉପରୋକ୍ତ ଦୁଇଟି ନିୟମ ସମ୍ପର୍କରେ ଜନସାଧାରଣ ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର