ରାହାଜାନି ରୋକିବାକୁ ପୁଲିସର ହ୍ବାଟ୍‌ସ୍ଆପ୍‌ ନମ୍ବର, ସପ୍ତାହେରେ ଦେଢ଼ଶହ ମେସେଜ୍‌; ଅଧିକାଂଶ ହେଲୋ ହାଏ!

ଭୁବନେଶ୍ବର : ଛିନ୍‌ତାଇ ଓ ରାହାଜାନି ରୋକିବା ପାଇଁ କମିସନରେଟ୍‌ ପୁଲିସ ଆପ୍ରାଣ ଉଦ୍ୟମ ଚଳାଇଛି। ନିକଟ ଅତୀତରେ ଜାରି କରାଯାଇଥିବା ହେଲ୍ପ ଲାଇନ୍‌ ନମ୍ବର (ହ୍ବାଟ୍‌ସଆପ୍‌ ନମ୍ବର) ବେଶ୍‌ ସଫଳତା ଦେଇଛି। ୭ ଦିନରେ ପ୍ରାୟ ଦେଢ଼ଶହ ମେସେଜ୍‌ ଆସିଛି। ତେବେ ଏଥିରୁ କେବଳ ୧୫ଟି ମେସେଜ୍‌ରେ ଗୁରୁତ୍ବପୂର୍ଣ୍ଣ ସୂଚନା ଆସିଥିବାବେଳେ ଅଧିକାଂଶ ମେସେଜ୍ କେବଳ ହେଲୋ…ହାଏ…, କଣ ଚାଲିଛି…ଆଦିରେ ସୀମିତ ରହିଛି। ଏହି ସବୁ ନମ୍ବର ଟ୍ରାକ୍‌ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। କିନ୍ତୁ ଅଳ୍ପ ହେଲେ ବି ୧୫ଟି ମେସେଜ୍‌ରେ ଲୋକମାନେ ଅତି ଜରୁରୀ ସୂଚନା ପ୍ରଦାନ କରିଛନ୍ତି। ସିସିଟିଭି ଫୁଟେଜ୍‌ ସହ ଅପରାଧୀଙ୍କ ଫଟୋ ମଧ୍ୟ ପଠାଇଛନ୍ତି। କେଉଁଠି ସବୁ ଅପରାଧୀଙ୍କ ଆଡ଼ା ହେଉଛି ତାହାର ଠିକଣା ମଧ୍ୟ ଲେକ ପଠାଇଛନ୍ତି। ଲୋକଙ୍କ ସୂଚନାକୁ ଆଧାର କରି ପୁଲିସ ଦୁଇ ଜଣ ସିନ୍ଧି ଚୋରଙ୍କୁ ଧରିବା ସହ ଚୋରି ଜିନିଷ ଉଦ୍ଧାର କରିଥିବା କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ।

ସୂଚନା ମୁତାବକ, ଛିନ୍‌ତାଇ କିମ୍ବା ଲୁଟ୍ ସମ୍ବନ୍ଧରେ ହ୍ବାଟ୍‌ସଆପ୍‌ରେ ସୂଚନା ଦେବା ପାଇଁ ଗତ ଶୁକ୍ରବାର ଦିନ ପୁଲିସ ଜନସାଧାରଣଙ୍କ ପାଇଁ ଏକ ହେଲ୍ପ ଲାଇନ୍‌ ନମ୍ବର ଜାରି କରିଥିଲା। ସ୍ପେସାଲ ସ୍କ୍ବାଡ୍‌ର ଏକ ସ୍ବତନ୍ତ୍ର ଟିମ୍‌ ହ୍ବାଟ୍‌ସଆପ୍‌ରେ ଆସୁଥିବା ସମସ୍ତ ମେସେଜ୍‌କୁ ରେକର୍ଡ କରି ଡିସିପିଙ୍କ ପାଖକୁ ପଠାଉଇଥିଲା। ପ୍ରଥମ ଦିନରେ ୩୭ଟି ‌ମେସେଜ୍‌ ଆସିଥିଲା। ଏଥିରେ ୧୧ଟି ଫଟୋ ସହ ସିସିଟିଭି କ୍ୟାମେରାର ଦୁଇଟି ଭିଡିଓ ଆସିଥିଲା। ୧୧ଟି ଫଟୋକୁ ନେଇ ପୁଲିସ ତଦନ୍ତ କଲା ବେଳେ ବଡ଼ ସଫଳତା ମିଳିଥିଲା। ‌ଗୋଟିଏ ଫଟୋ ସିନ୍ଧି ଚୋରର ଥିଲା। ସେ ଷ୍ଟେସନରେ ଶୋଉଥିଲା। ଦିନବେଳା ଘର ଓ ଦୋକାନ ବୁଲି ଦେଖୁଥିଲା। ପରେ ଅନ୍ୟ ଜଣେ ସହଯୋଗୀ ସହ ମିଶି ଘରେ ପଶି ଚୋରି କରୁଥିଲା। ତାକୁ ଷ୍ଟେସନରୁ ଠାବ କରାଯିବା ପରେ ସ୍ପେସାଲ ସ୍କ୍ବାଡ୍‌ ତା’ ଉପରେ ନଜର ରଖିଥିଲା। ନିକଟ ଅତୀତ‌ରେ ନୂଆପଲ୍ଲୀ ଅଞ୍ଚଳରେ ଏକ ଚୋରି ମାମଲାରେ ତାକୁ ଧରିବା ସହ ତା’ ଠାରୁ ଚୋରି ଜିନିଷ ଉଦ୍ଧାର କରାଯାଇଥିଲା।

ଅନ୍ୟପକ୍ଷରେ ରାସ୍ତାରେ ଚାଲିବା ବ‌େଳେ ମୋବାଇଲ ବ୍ୟବହାର କମ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ। ଯଦି ରାସ୍ତାରେ ବାମ‌ ପଟେ ଚାଲୁଛ ତେବେ ବାମ କାନରେ ମୋବାଇଲ ବ୍ୟବହାର କରିବା ସହ ବାମ କା‌ନ୍ଧରେ ଭ୍ୟାନିଟି ପକାଇବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର