ମିଥ୍ୟା ଖବର ଭାଇରାଲ୍ କଲେ ବାନ୍ଧିବ ପୁଲିସ୍

ଚନ୍ଦ୍ରଶେଖରପୁର: ସୋସିଆଲ ମିଡିଆରେ ମିଥ୍ୟା ଖବର ପୋଷ୍ଟ କରି ଭାଇରାଲ୍ କରୁଥିବା ବ୍ୟକ୍ତି ସାବଧାନ ରହନ୍ତୁ । କାରଣ ମିଥ୍ୟା ଖବର ଭାଇରାଲ୍ କଲେ ଏବେ ପୁଲିସ୍ ବାନ୍ଧିବ ।

ମଙ୍ଗଳବାର  ଇନ୍ଫୋସିଟି ଥାନା ଅଧୀନ ବିଗ୍ ବଜାର  ନିକଟରେ  ଦହିବରା ବ୍ୟବସାୟ କରୁଥିବା କେଶବ ଚନ୍ଦ୍ର ଭୂଆଁ ନାମକ ଜଣେ ବ୍ୟକ୍ତିଙ୍କ ଟ୍ରଲିକୁ ପୁଲିସ ଗାଡି ଦର୍ଶାଇ ଚାଲାଣ କାଟିଥିବା ଖବର ଏକ ନ୍ୟୁଜ୍ ପୋର୍ଟାଲରେ ପୋଷ୍ଟ ହୋଇଥିଲା । କିଛି ସମୟ ପରେ ଏହାକୁ ଡିଲିଟ୍ କରାଯାଇଥିଲା । ମାତ୍ର କିଛି ବ୍ୟକ୍ତି ଏହାର ସ୍କ୍ରିନ୍-ସଟକୁ  ବିଭିନ୍ନ ସାମାଜିକ ଗଣମାଧ୍ୟମ ଗ୍ରୁପରେ ଭାଇରାଲ୍ କରିଥିଲେ । ଥାନା ଆଇଆଇସି ବିଶ୍ୱଜିତ ମହାନ୍ତି ଘଟଣାର ତଦନ୍ତ କରି ଏହା ସମ୍ପୂର୍ଣ୍ଣ ମିଛ ବୋଲି ଜାଣିବାକୁ ପାଇଥିଲେ । ପୁଲିସ୍ ଏବେ ଭାଇରାଲ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଯୋଜନା କରୁଛି । ଏଥିସହ ପୋର୍ଟାଲ ମାଲିକଙ୍କୁ ମଧ୍ୟ ଖୋଜୁଛି ।

ଅପରପକ୍ଷରେ ହ୍ୱାଟସ୍ଆପ୍, ପୋର୍ଟାଲ, ୱେବ ଚ୍ୟାନେଲ ଓ ଫେସବୁକ୍ ସହ ଅନ୍ୟ ସୋସିଆଲ୍ ମିଡିଆରେ ବାରମ୍ବାର କିଛି ବ୍ୟକ୍ତି ଗୁଜବକୁ ଭାଇରାଲ କରୁଥିବା ବେଳେ ଏବେ ସେହି ବ୍ୟକ୍ତିମାନଙ୍କୁ ପୁଲିସ ଟ୍ରାକିଂ କରି ଗିରଫ କରିବ ବୋଲି ସୂଚନା ମିଳିଛି । ସୋସିଆଲ୍ ମିଡିଆରେ ପୋଷ୍ଟ କରି ପୁଣି ଡିଲିଟ୍ କଲେ ମଧ୍ୟ ସଂମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର