ଭୁବନେଶ୍ବର: ଆଗକୁ ସାଧାରଣ ନିର୍ବାଚନ। ନିର୍ବାଚନ ରଣାଙ୍ଗନରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ନେତା। ଦଳୀୟ ଟିକେଟ୍ ପାଇଥିବା ଏବଂ ଆଶାୟୀ ନେତା ନିଜ ସପକ୍ଷରେ ପ୍ରଚାର କରିବାକୁ କୌଣସି ଅବସରକୁ ହାତଛଡ଼ା କରୁନାହାନ୍ତି। ପାର୍କ ହେଉ କିମ୍ବା ଜାନିଯାତ୍ରା, ସକାଳୁ ରାତି ଯାଏ ଯେଉଁଠି ଲୋକଙ୍କ ଗହଳି ସେଇଠି ଦଳବଳ ନେଇ ପହଞ୍ଚି ଯାଉଛନ୍ତି ସେମାନେ। ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେଇ ନିଜ ସପକ୍ଷରେ ପ୍ରଚାର କରୁଛନ୍ତି। ତେଣୁ ଆଜି ଅଶୋକାଷ୍ଟମୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ରାଜନେତାମାନେ ହାତଛଡ଼ା କରନ୍ତେ ବା କେମିତି! ଆଜି ପ୍ରଭୁ ଲିଙ୍ଗରାଜଙ୍କ ରଥଦାଣ୍ଡରେ ଏଭଳି କିଛି ରୋଚକ ରାଜନୀତି ଦେଖିବାକୁ ମିଳିଥିଲା।
ମଧ୍ୟାହ୍ନରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ରଥ ନିକଟରେ ପହଞ୍ଚିଥିଲେ। ବିଜେପି ନେତ୍ରୀ ରଶ୍ମି ମହାପାତ୍ରଙ୍କ ସମେତ ଅନେକ ବିଜେପି ନେତା ଓ କର୍ମୀଙ୍କ ଗହଣରେ ଶ୍ରଦ୍ଧାଳୁଙ୍କୁ ଦହିପାଣି ବାଣ୍ଟିଥିଲେ। ରଥ ଉପରକୁ ଯାଇ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରିବା ସହ ନିର୍ବାଚନରେ ବିଜୟ ପାଇଁ ଆଶୀର୍ବାଦ ନେଇଥିଲେ। ତେବେ ରଥ ଆଗରେ ବିଧାୟକ ସୁରେଶ ରାଉତରାୟଙ୍କ ସହ ମୁହାଁମୁହିଁ ହୋଇଥିଲେ ଅପରାଜିତା। ପୂର୍ବରୁ ଉଭୟ ପରସ୍ପର ସପକ୍ଷରେ ମତ ଦେଉଥିବା ବେଳେ ଆଜି ନଚିହ୍ନିଲା ପରି ବ୍ୟବହାର ଅନେକଙ୍କୁ ଚକିତ କରିଥିଲା। ଏହି ଅବସରରେ ଭୁବନେଶ୍ବର ଏକାମ୍ର ବିଜେପି ପ୍ରାର୍ଥୀ ବାବୁ ସିଂ, ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଉତ୍ତର ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ରଥଦାଣ୍ଡରେ ପହଞ୍ଚି ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।
ଏହି ପ୍ରକ୍ରିୟାରେ ପଛରେ ନଥିଲା ବିଜେଡି। ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଏକାମ୍ର ବିଜେଡି ପ୍ରାର୍ଥୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପହଣ୍ଡିଠାରୁ ରଥଟଣା ହେବା ପର୍ଯ୍ୟନ୍ତ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ରଥ ଉପରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ରଥ ତଳେ ରହି ସେବାୟତଙ୍କ ଭଲ ମନ୍ଦ ବୁଝିଥିଲେ। ରଥ ଦଉଡ଼ି ଧରି ଆନନ୍ଦର ସହ ରଥ ଟାଣିଥିଲେ। ଏଥିରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଦାସ ଓ ସ୍ଥାନୀୟ କର୍ପୋରେଟରମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରଥର ଡାହାଣ ପାଖ ରଥ ଦଉଡ଼ିକୁ ଧରି ରଥ ଟାଣୁଥିଲେ। ତାଙ୍କର ଏକହାତ ଦୂରରେ ଥିଲେ କର୍ପୋରେଟର ତଥା ବିଜେଡି ଟିକେଟ୍ ଆଶାୟୀ ଥିବା ବିରଞ୍ଚି ନାରାୟଣ ମହାସୁପକାର। ଦୁହେଁ ଦୁହିଁଙ୍କୁ ଦେଖିଲେ, ଆଖିରେ ଆଖି ମିଶିଲା। ହେଲେ କେହି କାହା ସହ ପଦୁଟିଏ କଥା ବି ହୋଇ ନଥିଲେ। ବିଧାୟକ ସୁରେଶ ରାଉତରାୟ ପହଣ୍ଡି ଠାରୁ ଆରମ୍ଭ କରି ସନ୍ଧ୍ୟା ସାଂସ୍ମୃତିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ଏକାମ୍ର କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତି ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଅନ୍ୟ ଏକ ରୋଚକ କଥା ହେଲା, ଉତ୍ତର ଦ୍ବାର ନିକଟରେ ବିଜେଡି ନେତାଙ୍କ ପକ୍ଷରୁ ସବୁଜ ରଙ୍ଗର ଟେଣ୍ଟ ଓ ବିଜେପି ନେତାଙ୍କ ପକ୍ଷରୁ ଗେରୁଆ ରଙ୍ଗର ଟେଣ୍ଟ ମରାଯାଇଥିଲା। ଉଭୟ ଦଳର ନେତା ନିଜ ନିଜର ଟେଣ୍ଟ ତଳେ ରହି ପାଣି, ପଣା ବାଣ୍ଟିଥିଲେ। ଆଜି ସବୁଜ ଓ ଗେରୁଆ ରଙ୍ଗର ଗାମୁଛା ରଥ ଆଗରେ ଉଡ଼ିବା ଦୃଶ୍ୟ ଥିଲା ନିଆରା। ବିଜେଡି ସମର୍ଥିତ କର୍ମୀମାନେ ସବୁଜ ଗାମୁଛା ଉଡ଼ାଇ ‘ହର ହର ମହାଦେବ’ ବୋଲି ଦେଇଥିଲେ। ସେହିପରି ବିଜେପି ସମର୍ଥିତ କର୍ମୀ ଗେରୁଆ ଗାମୁଛା ଉଡ଼େଇ ‘ଜୟ ଶ୍ରୀରାମ ଓ ଜୟ ପ୍ରଭୁ ଲିଙ୍ଗରାଜ’ ନାରା ଦେଇଥିଲେ।
/sambad/media/post_attachments/wp-content/uploads/2024/04/fhsfhhfshh.jpg)
ବିଜେଡି, ବିଜେପିକୁ ଟାର୍ଗେଟ୍ କଲେ ସନ୍ତୋଷ
ଜଟଣୀ: ‘‘ବାରମ୍ୱାର ଦଳ ମୋ’ସହ ଛଳନା କଲା। ଦୃଢ଼ ପ୍ରତିଶ୍ରୁତି ପରେ ଟିକେଟ ଆଶା ଦେଖାଇ ଦଳରେ ମିଶାଇବା ପରେ ପୁଣି ଧୋକାଦେଲା। ଜଟଣୀରେ ବଡ଼ ସଂଗଠନ ଥିବାରୁ ଲୋକଙ୍କ ସେବାକୁ ଆଖି ଆଗରେ ରଖି ନିର୍ବାଚନ ଲଢ଼ିବାକୁ ଆଗେଇ ଆସିଛି।’’ ଜଟଣୀ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନା ଏହା କହିଛନ୍ତି। ଆଜି ଅଶୋକନଗରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଆହୁରି କହିଲେ, ‘‘୨୦୧୯ରେ ଦୃଢ଼ ପ୍ରତିଶ୍ରୁତି ପାଇ ବିଜେଡିରେ ଯୋଗ ଦେଇଥିଲି। ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ମୋତେ ପଦ ପଦବି ଦେବେ ବୋଲି କହି ଦଳରେ ମିଶାଇଥିଲେ। ପରେ ଦଳରେ ଥାଇ ଦୃଢ଼ ସଂଗଠନ ତିଆରି କରି ନିର୍ବାଚନ ସମୟରେ ସହଯୋଗ କରିଥିଲି। ହେଲେ ନିର୍ବାଚନ ପରେ ସେମାନେ ଦେଇଥିବା ପ୍ରତିଶ୍ରୁତି ରଖି ନଥିଲେ। ବିନା କାରଣରେ ଦଳରୁ ବହିଷ୍କାର କରିଥିଲେ। ପରବର୍ତ୍ତୀ ସମୟରେ ବିଜେପିରେ ମିଶିବାକୁ ଦଳ ତରଫରୁ ବାରମ୍ବାର କୁହାଯାଇଥିଲା। ଦଳରେ ମିଶିବା ପରେ ଟିକେଟ ଦେବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରାର୍ଥୀ ଘୋଷଣା ବେଳେ ମୋ’ ନାଁ ନଥିଲା। ତେଣୁ ବିକଳ୍ପ ଦଳ ଭାବେ କଂଗ୍ରେସକୁ ବାଛିନେଲି। କଂଗ୍ରେସ ଭବନକୁ ଆସିବା ପୂର୍ବରୁ ଦିଲ୍ଲୀରେ କଂଗ୍ରେସରେ ଯୋଗଦେଇ ସାରିଥିଲି। ପରବର୍ତ୍ତୀ ସମୟରେ ଦଳ ମୋତେ ପ୍ରାର୍ଥୀ କରିଛି। ଜଟଣୀରେ ମୋର ବଡ଼ ସଂଗଠନ ଥିବାରୁ କଂଗ୍ରେସ ମୋତେ ପ୍ରାର୍ଥୀ କରିଛି।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/dgjgddgdjgdgjdgj.jpg)