ଚାରି ଆଡ଼ୁ ବିଜେଡି ରାଲି
କେଶରୀ ହଲ୍ ନିକଟରେ ବିଜେଡିର ପ୍ରତିବାଦ ସଭା ଥିଲେ ମଧ୍ୟ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ତଥା ୩ଟି ନିର୍ବାଚନମଣ୍ଡଳୀର ଶୋଭାଯାତ୍ରା ତିନୋଟି ସ୍ଥାନରୁ ବାହାରିଥିଲା। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ନିକୋ ପାର୍କ ନିକଟରୁ, ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ବରେ ଇଡ୍କଲ ଅଡିଟୋରିୟମ୍ ନିକଟରୁ ଓ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନେତୃତ୍ବରେ ୟୁନିଟ୍-୯ ନିକଟରୁ ଶୋଭାଯାତ୍ରା ବାହାରି ବିକ୍ଷୋଭ ସ୍ଥଳରେ ପହଞ୍ଚିଥିଲା। ବିଜେଡି କାର୍ଯ୍ୟାଳୟରୁ ମଧ୍ୟ ଏକ ଶୋଭାଯାତ୍ରା ବାହାରିଥିଲା। ସହରରେ ଚାରିଟି ଶୋଭାଯାତ୍ରାରେ ଏତେ ସଂଖ୍ୟକ କର୍ମୀ ସାମିଲ ହୋଇଥିଲେ ଯେ ସବୁଠି ରାସ୍ତା ଜାମ୍ ହୋଇଯାଇଥିଲା।
କରୋନା ବାଣ୍ଟି ଦେଲେନି ତ?
କୋଭିଡ୍-୧୯ର ନୂଆ ଭାରିଏଣ୍ଟକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହେଲାଣି। ଓଡ଼ିଶା ପ୍ରତି ବି ବିପଦ ରହିଛି। ତେଣୁ ସତର୍କତା ଅବଲମ୍ବନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରାମର୍ଶ ଦେଉଛନ୍ତି। ମାତ୍ର ଆଜି ଉଭୟ କେନ୍ଦ୍ର ଓ ରାଜ୍ୟରେ ଥିବା ଦୁଇ ରାଜନୈତିକ ଦଳ ବିଜେପି ଓ ବିଜେଡି କରୋନା କଟକଣାକୁ ସମ୍ପୂର୍ଣ୍ଣ ଭାବେ ପାସୋରି ଦେଇଥିଲେ। କୌଣସି ଗୋଟିଏ ବି ସ୍ଥାନରେ କରୋନା କଟକଣା ପାଳନ ହେଉଥିବାର ଟିକିଏ ବି ଦେଖିବାକୁ ମିଳି ନ ଥିଲା। ସାମାଜିକ ଦୂରତ୍ବ ପାଳନ ଦୂରର କଥା। ମାସ୍କ ପିନ୍ଧିବା କଥାକୁ ସମସ୍ତେ ଯେପରି ଭୁଲି ଯାଇଥିଲେ। ଉଭୟ ଦଳର ହଜାର ହଜାର କର୍ମୀ ଏକାଠି ହୋଇଥିଲେ ମଧ୍ୟ ମାସ୍କ ପିନ୍ଧିବାର ଦୃଶ୍ୟ ବହୁ ନଗନ୍ୟ ଥିଲା। କିଏ କେମିତି ପିନ୍ଧିଥିଲେ, ନ ହେଲେ ନାହିଁ। କର୍ମୀଙ୍କ କଥା ଦୂରରେ ଥାଉ, ମଞ୍ଚ ଉପରେ ରହି ଉଦ୍ବୋଧନ ଦେଉଥିବା ନେତାମାନଙ୍କ ମୁହଁରେ ବି ମାସ୍କ ନ ଥିଲା। ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଦଳୀୟ ନେତାମାନେ ଦୀର୍ଘ ସମୟ ଧରି ରହିଥିଲେ ମଧ୍ୟ ମାସ୍କ ନ ଥିବା, ସାମାଜିକ ଦୂରତ୍ବ ରକ୍ଷା ନ କରିବା ଚିନ୍ତା ବଢ଼ାଇଛି। ଏହି ପତିଆରା ଲଢ଼େଇରେ ରାଜ୍ୟରେ କରୋନା ସଂକ୍ରମଣ ବିସ୍ପୋରକ ରୂପ ନେବ ନାହିଁ ତ? ରାଜଧାନୀରେ କରୋନା ପୁଣି ଥରେ ଉପରମୁହାଁ ହେବନି ତ? ନେତାମାନେ କରୋନା ବାଣ୍ଟି ଦେଇନାହାନ୍ତି ତ? ଏତେ ବେଳକୁ ଏସ୍ଆରସିଙ୍କ ଗାଇଡ୍ଲାଇନ୍ କୁଆଡ଼େ ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସବୁଠି ଫସିଲା ଆମ୍ବୁଲାନ୍ସ
ସଭା, ଶୋଭାଯାତ୍ରା ଯୋଗୁଁ ସାଧାରଣ ଲୋକେ ଯେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ନୁହେଁ। ବରଂ ଆମ୍ବୁଲାନ୍ସ ଭିତରେ ଥିବା ରୋଗୀଙ୍କୁ ବି ନାକେଦମ ହେବାକୁ ପଡ଼ିଥିଲା। କ୍ୟାପିଟାଲ ହସ୍ପିଟାଲ ସମେତ ବିଭିନ୍ନ ଘରୋଇ ମେଡିକାଲ ଯାଉଥିବା ଆମ୍ବୁଲାନ୍ସ ସହରର ବିଭିନ୍ନ ଟ୍ରାଫିକ୍ ଛକରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲେ। କ୍ୟାପିଟାଲ ହସ୍ପିଟାଲ ଛକ, ବାଣୀବିହାର ଓଭରବ୍ରିଜ୍, ନିକୋ ପାର୍କ ଛକ, ନାଲକୋ ଛକ, କଳ୍ପନା ଛକରେ ବିଭିନ୍ନ ସମୟରେ ଆମ୍ବୁଲାନ୍ସ ଭିଡ଼ ଭିତରେ ଫସି ରହିଥିବା ଦେଖିବାକୁ ମିଳିଥିଲା।
ଚୁଲିରେ ଚା’ କରି ବାଣ୍ଟିଲା ମହିଳା ବିଜେଡି
ଗ୍ୟାସ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ମହିଳା ବିଜେଡି ଆଜି ଅଭିନବ ଉପାୟ ଅବଲମ୍ବନ କରିଥିଲା। ରାସ୍ତା ଉପରେ ଉଠା ଚୁଲିରେ ଚା’ କରି ଉପସ୍ଥିତ ଲୋକଙ୍କୁ ବାଣ୍ଟିଥିଲେ। ଆନ୍ଦୋଳନ ସମୟରେ ବିଜେଡିର ମହିଳା ନେତ୍ରୀମାନେ ଶତାଧିକ କପ୍ ଚା’ ବାଣ୍ଟିଛନ୍ତି। କେବଳ ସେମତି ନୁହେଁ, ଗ୍ୟାସ୍ କିଭଳି ସାଧାରଣ ଲୋକଙ୍କ ପକେଟ୍କୁ ବାଧୁଛି ଛାତ୍ର ବିଜେଡିର ନେତ୍ରୀମାନେ ତାହାକୁ ଦର୍ଶାଇଥିଲେ।
ମମିତା ବସ୍ତ୍ରହରଣ
ବିଜେପି ଶୋଭାଯାତ୍ରାରେ ପୋଷ୍ଟର ମାଧ୍ୟମରେ ମମିତା ବସ୍ତ୍ରହରଣ ଦେଖିବାକୁ ମିଳିଥିଲା। ଯେଉଁଥିରେ ବିଜେପି କର୍ମୀମାନେ ରାମଣର ଦଶ ମୁଣ୍ଡରେ ବିଜେଡି ନେତାମାନଙ୍କୁ ରଖିଥିଲେ। ମମିତା ପୋଷ୍ଟରକୁ ଜଣେ କର୍ମୀ ଧରିଥିବା ବେଳେ ଅନ୍ୟଜଣେ ରାବଣକୁ ଟେକି ଧରିଥିଲେ। ସର୍ବସାଧାରଣରେ କିଭଳି ମମିତାର ବସ୍ତ୍ର ଟାଣି ଉଲଗ୍ନ କରାଯାଉଛି, ତାହା ଦେଖାଇବାକୁ ଚାହିଁଥିଲେ ଏବଂ ମମିତା ପାଇଁ ବିଜେପି ଲଢ଼େଇ କରୁଥିବା ବି ଦର୍ଶାଇଥିଲେ।
ବାଇକ୍ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ
ଅହେତୁକ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ ଦର ବୃଦ୍ଧି, ବେକାରୀ ସମସ୍ୟା ପ୍ରତିବାଦରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ବିଶାଳ ବାଇକ୍ ଶୋଭାଯାତ୍ରା କରାଯାଇଥିଲା। ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଓ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବିଜେଡି ରାଜ୍ୟ କାର୍ଯ୍ୟାଳୟରୁ ବାହାରି କେଶରୀ ହଲ୍ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ହଜାର ହଜାର ସଂଖ୍ୟକ ଯୁବକ ଓ ଛାତ୍ରମାନେ ଯୋଗଦେଇ କେନ୍ଦ୍ର ସରକାର ବିରୁଦ୍ଧରେ ନିଜର ପ୍ରତିବାଦର ସ୍ୱର ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ବାଇଁ, ଉପ ସଭାପତି ବିଜୟ ବସନ୍ତିୟା, ସାଧାରଣ ସମ୍ପାଦକ ସୁଜିତ୍ ପାଲଟା ସିଂ, ସମ୍ବିତ କୁମାର ବେହେରା, ଅଭିଷେକ ବେହେରା, ସମ୍ପାଦକ ରଞ୍ଜିତ କୁମାର ଦାସ ପ୍ରମୁଖ ନେତୃତ୍ବ ନେଇଥିଲେ।
ବିଜେପି କର୍ମୀଙ୍କ ନାଁରେ ମାମଲା
ଲୋୟର ପିଏମ୍ଜିରେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ସଙ୍ଗଠିତ ଖଣ୍ଡଯୁଦ୍ଧରେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବିଜେପି କର୍ମୀଙ୍କ ଟେକା ମାଡ଼ରେ ୧୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୧୦ ଜଣ ବିଜେପି କର୍ମୀ ଓ ୪ ଜଣ ସାମ୍ବାଦିକ ଆହତ ହୋଇଛନ୍ତି। ଆକ୍ରମଣ କରାଯାଇଥିବାରୁ ପୁଲିସ ଆଜି ନିଜ ଆଡ଼ୁ ଆଜି କ୍ୟାପିଟାଲ ଥାନାରେ ଆନ୍ଦୋଳନକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଖୁବ୍ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ଆଦିବାସୀ ନୃତ୍ୟ, ପାଇକ ଖଣ୍ଡା
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବା ଦାବିରେ ବିଜେଡି ଆଜି ରାଜରାସ୍ତାକୁ ଓହ୍ଲାଇଥିଲା। ଯାହାକୁ କର୍ମୀମାନେ ଆଜି ଶୋଭାଯାତ୍ରା ସମୟରେ ପ୍ରଦର୍ଶିତ କରିଥିଲେ। ପାଇକଙ୍କ ଦ୍ବାରା ବ୍ୟବହୃତ ଖଣ୍ଡା, ମୁଦ୍ଗର, ଢାଲ ଆଦି ଧରି ବିଜେଡି କର୍ମୀମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ତା’ସାଙ୍ଗକୁ ଆଦିବାସୀ ବାଦ୍ୟର ତାଳେ ତାଳେ ମହିଳାମାନଙ୍କ ନୃତ୍ୟ ଶୋଭାଯାତ୍ରାର ଆକର୍ଷଣ ପାଲଟିଥିଲା।
ରେଳ, ବିମାନ ଯାତ୍ରୀ ନାକେଦମ୍
ଦୁଇ ରାଜନୈତିକ ଦଳ ଶୋଭାଯାତ୍ରା ଯୋଗୁଁ ରେଳ ଯାତ୍ରୀମାନେ ନାକେଦମ ହୋଇଥିଲେ। ରାମମନ୍ଦିର ଛକରୁ ଲୋୟର ପିଏମ୍ଜି ପର୍ଯ୍ୟନ୍ତ ବିଜେପିର ଶୋଭାଯାତ୍ରା ହେଉଥିବାରୁ ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଯାଇଥିଲା। ଅଟୋ, ଟାକ୍ସି ଭଡ଼ା କରି ଆସିଥିବା ରେଳ ଯାତ୍ରୀ ନିର୍ଧାରିତ ସମୟରେ ଷ୍ଟେସନରେ ପହଞ୍ଚିପାରି ନ ଥିଲେ। କେତେଜଣ ଟ୍ରେନ୍ ମିସ୍ କରିଥିବା ବି ଜଣାପଡ଼ିଛି। ସେହିପରି ଷ୍ଟେସନରୁ ବାହାରି ନିଜ ଗସ୍ତବ୍ୟ ସ୍ଥଳକୁ ଯିବା ଲାଗି ମଧ୍ୟ ଟ୍ୟାକ୍ସି ଭଡ଼ା କରିବାକୁ ନାକେଦମ ହେବାକୁ ପଡ଼ିଥିଲା। କ୍ୟାପିଟାଲ ହସ୍ପିଟାଲ ଓ ବିମାନ ବନ୍ଦର ଛକ ନିକଟରେ ବିଜେଡି କର୍ମୀଙ୍କ ରାସ୍ତା ଜାମ୍ ଯୋଗୁଁ ବିମାନ ଯାତ୍ରୀ ବି ବହୁ ସମୟ ବିଳମ୍ବରେ ବିମାନବନ୍ଦରରେ ପହଞ୍ଚିଥିଲେ।
ହାତ ଟେକିଦେଲା ଟ୍ରାଫିକ୍ ପୁଲିସ
ହେଲମେଟ୍ ପିନ୍ଧିନ, ହଜାରେ ଫାଇନ୍ ଦିଅ। ରଙ୍ଗ୍ ରୁଟ୍ରେ ଯାଉଛ ୫୦୦ ଦିଅ। ପ୍ରତିଦିନ ସହରର ବିଭିନ୍ନ ଛକରେ ଛିଡ଼ା ହୋଇ ଟ୍ରାଫିକ୍ ପୁଲିସ ସାଧାରଣ ଲୋକଙ୍କଠାରୁ ଫାଇନ୍ କାଟୁଛନ୍ତି। ମାତ୍ର ଆଜି ଟ୍ରାଫିକ୍ ପୁଲିସ ହାତ ଟେକି ଦେଇଥିଲା। ସହରର କୌଣସି ଗୋଟିଏ ବି ସ୍ଥାନରେ ବ୍ଲକିଂ କି ଚେକିଙ୍ଗ୍ ନ ଥିଲା। କୋଉ ଛକରେ ବି ଗାଡ଼ି ଅଟକା ଯାଉ ନ ଥିଲା। ଯିଏ ଯୁଆଡ଼େ ପାରିଲେ ଗଲେ। ଟ୍ରାଫିକ୍ ଛକରେ ନାଲିବତି ଜଳୁଥିଲେ ମଧ୍ୟ କେହି ଅଟକୁ ନ ଥିଲେ। ବାଇକ୍ରେ ହେଲମେଟ୍ ପିନ୍ଧିବା କଟକଣା ବୋଲି କିଛି ବି ନ ଥିଲା। ସାଧାରଣ ଲୋକଙ୍କ କ୍ଷେତ୍ରରେ ବାହାସ୍ଫୋଟ ମାରି ନିୟମ ତା’ବାଟରେ ଯାଉଛି ବୋଲି କହୁଥିବା କମିସନରେଟ୍ ପୁଲିସର ଅଧିକାରୀମାନେ ଆଜି ଯେପରି ହାତ ଟେକି ଦେଇଥିଲା।