ବିଏମ୍‌ସିର ଅଭିଯୋଗ ପରେ ‌‌ନେତାଙ୍କ ଦୋଷ ଲଦାଲଦି

ବିଏମ୍‌ସି ଅଭିଯୋଗର ତଦନ୍ତ ଚାଲିଛି: ଡିସିପି
ବିଏମ୍‌ସିର ଏଫ୍‌ଆଇଆର୍‌ ଉଦ୍ଦେଶ୍ୟ ପ୍ରଣୋଦିତ: ବିଜେପି
ଆମେ ସରକାରୀ ନିୟମ ମାନି କାର୍ଯ୍ୟକ୍ରମ କରିଛୁ: ବିଜେଡି

ଭୁବନେଶ୍ବର : କରୋନା କଟକଣା ଏବଂ ସରକାରୀ ଲକ୍‌ଡାଉନ୍ ସତ୍ତ୍ବେ ବିକ୍ଷୋଭ ପ୍ରଦର୍ଶନ, ଶିଳାନ୍ୟାସ, ଧାରଣା ଦେଇଥିବାରୁ ୫ଟି ରାଜନୈତିକ ଦଳ/ସ୍ବେଚ୍ଛାସେବୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷକଙ୍କ ନାମରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଏପରିକି ବିଏମ୍‌ସିର ଅଭିଯୋଗ ପରେ କମିସନରେଟ୍ ପୁଲିସ କ’ଣ ପଦକ୍ଷେପ ନେଇଛି ତା’ର ରିପୋର୍ଟ ବିଏମ୍‌ସି କମିସନର ଭୁବନେଶ୍ବର ଡିସିପିଙ୍କୁ ମାଗିଛନ୍ତି।

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସରକାରଙ୍କ ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ନାମରେ ମାଧବାନନ୍ଦ ଟ୍ରଷ୍ଟ ଓ ସ୍ବାପ୍‌ ପକ୍ଷରୁ ଅଭିଯୋଗ ହୋଇଥିଲା। ଏନେଇ ବିଏମ୍‌ସିର ଅତିରିକ୍ତ କମିସନର ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ଏହା ଉପରେ କମିସନରେଟ୍ ପୁଲିସ କ’ଣ ପଦକ୍ଷେପ ନେଇଛି ତା’ର ରିପୋର୍ଟ ବିଏମ୍‌ସି କମିସନର ମାଗିଛନ୍ତି। ଏନେଇ ଅପରାଜିତା ଟୁଇଟ୍‌ କରି କହିଛନ୍ତି ଯେ, ବିଏମ୍‌ସିର ଏଫ୍‌ଆଇଆର୍‌ ସରକାରୀ ପ୍ରା‌ୟୋଜିତ। ଲୋକଙ୍କ ପାଇଁ କାମ କରିବାରୁ ନିବୃତ୍ତ ରଖିବାକୁ ଯେଉଁ ଉଦ୍ୟମ କରାଯାଉଛି ତାହା ସଫଳ ହେବନି। ମୁଁ ସରକାରୀ ନିୟମ ମାନି ସାମାଜିକ ଦୂରତା ରଖି, ମାସ୍କ ପିନ୍ଧି ସମସ୍ତ କାର୍ଯ୍ୟକ୍ରମ କରିଛି।

ଅପରପକ୍ଷେ ଘଟଣାର ପୁଲିସ ତଦନ୍ତ ଜାରି ରଖିଥିବା ଭୁବନେଶ୍ବର ଡିସିପି ଅନୁପ ସାହୁ କହୁଥିବାବେଳେ ରାଜନେତାମାନେ ପରସ୍ପର ଉପରେ ଦୋଷ ଲଦାଲଦି ଆରମ୍ଭ କରିଦେଇଛନ୍ତି। ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ପୂର୍ବରୁ ସ୍ପଷ୍ଟୀକରଣ ଦେଇସାରିଛନ୍ତି। ତେଣୁ ମୋତେ ଲାଗୁଛି ଏହି ମାମଲା ପଛରେ ରାଜନୈତିକ ଷଡ଼୍‌ଯନ୍ତ୍ର ରହିଛି। ଏହାର ତଦନ୍ତ ହେଲେ ସବୁ ସ୍ପଷ୍ଟ ହୋଇଯିବ।

ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ତାଙ୍କ ସମର୍ଥକଙ୍କ ସହ ଗ୍ୟାଲେରିଆ ମଲ୍‌ର ଜବରଦଖଲ ଉଚ୍ଛେଦ ଦାବିରେ କରିଥିବା ବିକ୍ଷୋଭକୁ ବେଆଇନ ଦର୍ଶାଇ ବିଏମ୍‌ସି ଅଭିଯୋଗ କରିବା ପରେ ଶ୍ରୀ ସିଂହ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଏହା ସଂପୂର୍ଣ୍ଣ ଉଦ୍ଦେଶ୍ୟ ପ୍ରଣୋଦିତ। ଭୁବନେଶ୍ବର ଏକାମ୍ର ବିଧାୟକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ନିର୍ବାଚନ ମଣ୍ଡଳୀରେ ଦୁଇଟି ଉଦ୍‌ଘାଟନ ଓ ଭୂମି ପୂଜା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ କୌଣସି ନିୟମ ମାନିନଥିଲେ। କେବଳ ଶ୍ରୀ ପଣ୍ଡା ନୁହେଁ ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତର ବିଧାୟକ ବି କରୋନା କଟକଣାକୁ ଉଲ୍ଲଂଘନ କରି ବିଭିନ୍ନ ସଭାସମିତି କରିଛନ୍ତି। କିନ୍ତୁ ତାଙ୍କ ନାମରେ ବିଏମ୍‌ସି ଅଭିଯୋଗ କରୁନି। ବିଜେଡି ପାଇଁ ସବୁ ମାଫ୍‌। ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ ସମ୍ମୁଖରେ ବିକ୍ଷୋଭ ସମୟରେ ଆମେ ସାମାଜିକ ଦୂରତା ରଖିଥିଲୁ, ମାସ୍କ ପିନ୍ଧିଥିଲୁ। ବିକ୍ଷୋଭ କରିବୁ ବୋଲି ସ୍ଥାନୀୟ ଥାନାକୁ ବି ଜଣାଇଥିଲୁ। ତେଣୁ ଆମେ କିଛି ନିୟମ ଉଲ୍ଲଂଘନ କରିନୁ।

ଏନେଇ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି। ଆମେ ଆଇନ କରୁଛୁ। ତେଣୁ ଆମେ ସମସ୍ତେ ଆଇନକୁ ସମ୍ମାନ ଦେବାକୁ ବାଧ୍ୟ। ମୋ ନାଁରେ ନିୟମ ଉଲ୍ଲଂଘନ ନେଇ ଯେଉଁ ଅଭିଯୋଗ ହୋଇଛି ତାହା ମିଛ। କାରଣ ଯେଉଁଠି ବିଏମ୍‌ସି ଅନୁମତି ଦେଇଛି ସେହି କାର୍ଯ୍ୟକ୍ରମକୁ ମୁଁ ଯାଇଛି। ବିନା ଅନୁମତିରେ କୌଣସି କାର୍ଯ୍ୟକ୍ରମକୁ ଯାଇନି। ସେହିପରି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ଆମେ କୌଣସି ନିୟମ ଭାଙ୍ଗି କିଛି କାର୍ଯ୍ୟକ୍ରମ କରିନୁ। ଯେଉଁଠି କିଛି କାର୍ଯ୍ୟକ୍ରମ ହୋଇଛି ସେଠାରେ ସରକାରୀ ନିୟମ ଅନୁଯାୟୀ ସାମାଜିକ ଦୂରତା ରଖିଛୁ ଓ ମାସ୍କ ପିନ୍ଧିଛୁ।

ସମ୍ବନ୍ଧିତ ଖବର