ଭୋଟ୍‌ ଦେଲେ ରାଜନେତା, ପ୍ରଶାସକ

ଭୁବନେଶ୍ବର: ଗଣତନ୍ତ୍ରର ମହାପର୍ବରେ ଆଜି ସାଧାରଣ ଜନତାଙ୍କ ସହ ରାଜନେତା ଓ ପ୍ରଶାସକ ମଧ୍ୟ ସାମିଲ ହୋଇଥିଲେ। କେବଳ ସାମିଲ ହୋଇଥିଲେ ତାହା ନୁହେଁ, ସାଧାରଣ ଲୋକଙ୍କ ପରି ଧାଡ଼ିରେ ଦୀର୍ଘ ସମୟ ଛିଡ଼ା ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଚାଲିଚାଲି ଯାଇ ଏରୋଡ୍ରମ୍‌ ୟୁପି ସ୍କୁଲ୍‌ ୧୧୪ ନମ୍ବର ବୁଥ୍‌ରେ ଭୋଟ୍‌ ଦେଇଥିଲେ। ସେହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମସ୍ତ ଭୋଟର ତଥା ଯୁବ ଭୋଟରଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିଥିଲେ। ରାଜ୍ୟରେ ବିଜେଡି ବିଧାନସଭା ଓ ଲୋକସଭାରେ ପୂର୍ଣ୍ଣ ବହୁମତ ପାଇବ ଏବଂ ସ୍ଥିର ସରକାର କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏଥିସହ ଭୋଟରଙ୍କ ସହ ସେଲ୍‌ଫି ନେଇଥିଲେ। ସାଂସଦ ତଥା ଭୁବନେଶ୍ବର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ସକାଳୁ ନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ‌ଦେବାସହ ଅଧିକରୁ ଅଧିକ ମତଦାନ କରିବାକୁ ଭୋଟରଙ୍କୁ ନିବେଦନ କରିଥିଲେ। ବି‌ଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ ଅଟୋରେ ଆସି ୟୁନିଟ୍‌-୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭୋଟ୍‌ ଦେଇଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ତାଙ୍କ ପତ୍ନୀ ମଧ୍ୟ ୟୁନିଟ୍‌-୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ମତଦାନ କରିଥିଲେ। ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ୟୁନିଟ୍‌-୮ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭୋଟ୍‌ ‌ଦେଇଥିଲେ। ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଜ୍ଞ ବିହାରୀ ଧଳ ପତ୍ନୀଙ୍କ ସହ ୟୁନିଟ୍‌-୧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆସି ମତାଧିକାର ସାବ୍ୟସ୍ତ କରିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ରଘୁନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମତଦାନ କରିଥିଲେ।

ଏକାମ୍ର ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଏରୋଡ୍ରମ ୟୁପି ସ୍କୁଲ୍‌, ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ କପିଳପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୋଟ୍‌ ଦେଇଥିଲେ। ଜଟଣୀ ନିର୍ବାଚନ ମଣ୍ଡଳୀ ୧୪୮ ନମ୍ବର ବୁଥ୍‌ରେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଧାୟକ ସୁରେଶ ରାଉତରାୟ ଓ ପତ୍ନୀ ମାଳତୀ ରାଉତରାୟ ଭୋଟ୍‌ ‌ଦେଇଥିଲେ। ୧୨୫ ନମ୍ବର ବୁଥ୍‌ରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା ଓ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ ନିଜଗ୍ରାମ ବୋତଣ୍ଡା ଓରକଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମତଦାନ କରିଛନ୍ତି। ସେହିପରି ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ବର ମଧ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅଚ୍ୟୁତ ସାମନ୍ତ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ଆଇଏଏସ୍‌ ସୁଜାତା ଆର୍‌ କାର୍ତ୍ତିକେୟନ, ଅନୁ ଗର୍ଗ, ସତ୍ୟବ୍ରତ ସାହୁ, ଅରବିନ୍ଦ ପାଢ଼ୀ, ଉଷା ପାଢ଼ୀ, ବିଷ୍ଣୁପଦ ସେଠୀ, ପୂର୍ବତନ ପୁଲିସ ଡିଜି ସୁନୀଲ ବଂଶଲ୍, ପରିବହନ କମିସନର ଅମିତାଭ ଠାକୁର ଓ ପତ୍ନୀ ରିଚା ଠାକୁର, ପୁଲିସ କମିସନର ସଂଜୀବ କୁମାର ପଣ୍ଡା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଭୁବନେଶ୍ବରର ବିଭିନ୍ନ ବୁଥ୍‌ରେ ମତଦାନ କରିଥିଲେ।

 ପ୍ରାର୍ଥୀଙ୍କ ପ୍ରବେଶକୁ ନେଇ ଉତ୍ତେଜନା
ବୁଥ୍‌ରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ପ୍ରବେଶକୁ ନେଇ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ବର ଆଇଆରସି ଭିଲେଜର ୧୧୮ତମ ବୁଥରେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଭୋଟ ଦେବାକୁ ଯିବା ସମୟରେ କର୍ମୀଙ୍କ ସହ ମୋବାଇଲ୍‌ ନେଇ ଯାଉଥିବାରୁ ବିଜେଡି କର୍ମୀମାନେ ତାହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସେହିପରି ସାଲିଆସାହି ଭୋଟରଙ୍କ ପାଇଁ ଇନ୍ଦିରା ଗାନ୍ଧୀ ଫାର୍ମାସି କଲେଜର ଦୁଇଟି ବୁଥ୍‌ରେ ଅପରାଜିତାଙ୍କ ରିଗିଂ ଉଦ୍ୟମ କରୁଥିବା ନେଇ ଅଭି‌ଯୋଗ କରିଥିଲେ। ସେଠାରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆରଓ ଓ ମାଜିଷ୍ଟ୍ରେଟ୍‌ ଘଟଣା ସ୍ଥଳକୁ ପଠାଯାଇ ତଦନ୍ତ କରିବା ପରେ ଅଭିଯୋଗ ମିଥ୍ୟା ବୋଲି ଜଣାପଡ଼ିଥିଲା। ଭିଏସ୍‌ଏସ୍‌ନଗର ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରବେଶକୁ ସ୍ଥାନୀୟ ବିଜେଡି ନେତ୍ରୀମାନେ ପ୍ରତିବାଦ କରିଥିଲେ। ଉତ୍ତେଜନା ପ୍ରକାଶ ପାଇବାରୁ ସହିଦନଗର ଥାନା ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

 ନାକରେ ଶ୍ୱାସନଳୀ, ହାତରେ ଅକ୍ସିଜେନ୍ ଥଳି
ନାକରେ ଶ୍ୱାସନଳୀ। ହାତରେ ଥିଲା ଅକ୍ସିଜେନ୍‌ ଥଳି। ଚାଲିବାକୁ କି କଥା କହିବାକୁ ବଳ ପାଉ ନ ଥିଲା। ତା’ ସତ୍ତ୍ୱେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ପଛାଇ ନାହାନ୍ତି ବୃଦ୍ଧା। ରାଜଭବନ ସ୍କୁଲ୍ ବୁଥ୍‌ରେ ଆଜି ଏଭଳି ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ନିଜ ଅସୁସ୍ଥ ପତ୍ନୀଙ୍କୁ ଧରି ସକାଳୁ ଭୋଟ କେନ୍ଦ୍ରରେ ପହଞ୍ଚିଥିଲେ ସୁରେନ ଝୁନଝୁନଵାଲା। ଧାଡ଼ିରେ ଛିଡ଼ା ହେବା ସହ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ୫ ବର୍ଷରେ ଥରେ ମତାଧିକାର ସାବ୍ୟସ୍ତ କରିବାକୁ ପଡ଼ୁଥିବା ଗଣତନ୍ତ୍ରର ଏହି ମହାନ ପର୍ବରେ ସେମାନେ ସାମିଲ ହୋଇ ନିଜ ନେତାଙ୍କୁ ବାଛିଛନ୍ତି। ଶ୍ରୀ ଝୁନଝୁନଵାଲା ଗଣମାଧ୍ୟମକୁ କହିଥିଲେ ଯେ ମୋ ପତ୍ନୀଙ୍କ ଶରୀର ପ୍ରାୟ ୨୫ ବର୍ଷ ହେବ ଅସୁସ୍ଥ ରହିଛି। ଅକ୍ସିଜେନ ପାଇପ ସହାୟତାରେ ସେ ବଞ୍ଚିଛନ୍ତି। ତାପରେ ମଧ୍ୟ ଭୋଟ ଦେବାକୁ ଆମେ ଖୁବ୍‌ ଉତ୍ସାହିତ ଅଛୁ। ତେଣୁ ସକାଳୁ ଭୋଟ ଦେବାକୁ କେନ୍ଦ୍ରକୁ ଆସିଛୁ। କାରଣ ନିଜ ଦେଶର ଭବିଷ୍ୟତ ଗଠନ ନିମନ୍ତେ ଆମେ ଠିକ୍‌ ନେତା ବାଛିବା ଉଚିତ୍‌। ତେଣୁ ଆମେ ସମସ୍ତେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭୋଟ ଦେବା ଉଚିତ। ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଥିଲେ ମଧ୍ୟ ମତାଧିକାର ସାବ୍ୟସ୍ତ କରିବାକୁ ଆସିଛି। କାରଣ ଏହା ମୋର ଅଧିକାର ବୋଲି ବୃଦ୍ଧା ଜଣକ କହିଥିଲେ।

 ସୋସିଆଲ୍‌ ମିଡିଆରେ ସେଲ୍ଫି
ସାଧାରଣତଃ ସେଲ୍ଫି ଉଠାଇବା, ସୋସିଆଲ୍‌ ମିଡିଆରେ ସେୟାର କରିବା ଭଳି ନିଶା ଯୁବବର୍ଗଙ୍କ ମଧ୍ୟରେ ଦେଖିବାକୁ ମିଳେ। ତେବେ ଚଳିତ ନିର୍ବାଚନରେ ମତଦାନ କେନ୍ଦ୍ରରେ କରାଯାଇଥିବା ସେଲ୍ଫି ପଏଣ୍ଟରେ ସବୁ ବର୍ଗର ମତଦାତା ସେଲ୍ଫି ଉଠାଉଥିବା ଦେଖିବାକୁ ମିଳିଛି। ‘ଆଇ ଆମ୍‌ ପ୍ରାଉଡ୍‌ ଭୋଟର’, ‘ମତଦାନ କରୁଥିବାରୁ ନିଜକୁ ଗର୍ବିତ ମନେ କରୁଛି’, ‘ଗାଁରୁ ସହର ଯେଉଁଠି ଥାଅ, ନିଜର ଭୋଟ ନିଶ୍ଚିତ ଦିଅ’ ଭଳି ସ୍ଲୋଗାନ୍‌ ଥିବା ସେଲ୍ଫି ପଏଣ୍ଟ୍‌ରେ ଫଟୋ ଉଠାଇ ତାହାକୁ ସୋସିଆଲ ମିଡିଆରେ ‌ପୋଷ୍ଟ କରିଛନ୍ତି। କେହି କେହି ଆଙ୍ଗୁଠିରେ ଲଗାଯାଇଥିବା କାଳି ଓ ଭୋଟର ପରିଚୟପତ୍ର ଧରି ଧାଡ଼ିରେ ଥିବ‌ା ବେଳର ଫଟୋ ପୋଷ୍ଟ କରିଥିବା ଦେଖିବାକୁ ମିଳୁଛି। ଫେସ୍‌ବୁକ୍‌ରୁ ଆରମ୍ଭ କରି ‘ଏକ୍ସ’ ପର୍ଯ୍ୟନ୍ତ ସବୁ ସୋସିଆଲ୍‌ ମିଡିଆ ଆଜି ଏଭଳି ଫଟୋ ଛାଇ ଯାଇଥିଲା। ଅଭିନେତା ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ, ନେତା, ଖେଳାଳୀ କେହି ବି ବାଦ୍‌ ପଡ଼ିନଥିଲେ। ନିର୍ବାଚନ ମୈଦାନ୍‌ରୁ ଉଭାନ୍‌ ହୋଇଯାଇଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ମତଦାନ କେନ୍ଦ୍ରରେ ଉଠାଇଥିବା ଫଟୋ ଏକ୍ସ୍‌ରେ ପୋଷ୍ଟ କରିଛନ୍ତି।

 ଶାଶୁ ଦେଲେ ଭୋଟ୍ ନାଁ ପଡିଛି ବୋହୂଙ୍କର
ରାଜଧାନୀରେ ଭୋଟ ଦେବାକୁ ଆସି ହଟହଟା ହୋଇଛନ୍ତି ମହିଳା। ଝାରପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ଶୁଭାସିନୀ ଦାସଙ୍କୁ ପୋଲିଂ ଅଧିକାରୀ ଭୋଟ ଦେବାକୁ ମନା କଲେ। ପୂର୍ବରୁ ସେ ପୋଷ୍ଟାଲ ବାଲାଟରେ ଭୋଟ ଦେଇଥିବା ପୋଲିଂ ଅଧିକାରୀ କହିଥିଲେ। ତେବେ ସୁବାସିନୀ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଥିଲେ ହୋମଭୋଟିଂ ଜରିଆରେ ତାଙ୍କ ଶାଶୂ ପୋଷ୍ଟାଲ ବାଲାଟ୍‌ରେ ମତଦାନ କରିଛନ୍ତି। କିନ୍ତୁ ତାଙ୍କ ନାଁ କିଭଳି ଉଠିଲା ଏବଂ ତାଙ୍କ ବଦଳରେ କିଏ ଭୋଟ ଦେଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଅବ୍ୟବସ୍ଥା କାରଣରୁ ଏଭଳି ଘଟିଥିବା ସେ ଅଭିଯୋଗ କରିଛନ୍ତି। ମହିଳା ଜଣକ ଭୋଟ ଦେଇ ନ ପାରିବା ଘଟଣାକୁ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ନିନ୍ଦା କରିବା ସହ ତଦନ୍ତ ଦାବି କରିଛନ୍ତି।

 ସ୍ମାର୍ଟୱାଚ୍‌ କାଢ଼ି ଭୋଟ ଦେଲେ ନିର୍ବାଚନ କମିସନ
ନିର୍ବାଚନକୁ ଯିବା ସମୟରେ ବୁଥ୍‌ ଭିରତକୁ କେହି ମୋବାଇଲ ନେଇପାରିବେ ନାହିଁ ବୋଲି କଟକଣା ଲଗାଯାଇଛି। ତା’ସତ୍ତ୍ବେ ମଧ୍ୟ କିଛି ଜଣ ମୋବାଇଲ୍‌ ନେଇଯାଉଥିବାରୁ ଆଜି ଅନେକ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଆଜି ଏକ ପ୍ରେସ୍‌ମିଟ୍‌ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି ଯେ କୌଣସି ଅଧିକାରୀ କିମ୍ବା ଭୋଟର ବୁଥ୍‌ ଭିତରକୁ ମୋବାଇଲ ନେଇପାରିବେ ନାହିଁ। ଏପରିକି ସ୍ୱିଚ୍ ଅଫ୍ ମଧ୍ୟ କରି ନେଇପାରିବେ ନାହିଁ। ଏପରିକି ବୁଥ୍ ଭିତରକୁ ସ୍ମାର୍ଟୱାଚ୍ ପିନ୍ଧି ଯିବା ଉପରେ ମଧ୍ୟ କଟକଣା ଲାଗିଛି। ଏହି ନିୟମକୁ ପାଳନ କରି ନିଜ ସ୍ମାର୍ଟୱାଚକୁ ଖୋଲି ବାହାରେ ରଖିବା ପରେ ବୁଥ୍ ଭିତରକୁ ଭୋଟ ପାଇଁ ଯାଇଥିବା ସେ କହିଥିଲେ।

 ପିଲାଙ୍କୁ ଜଗିଲେ ଅଙ୍ଗନବାଡ଼ି ଦିଦି
ଛୋଟ ପିଲାଙ୍କୁ ସାଙ୍ଗରେ ଧରି ମତଦାନ କେନ୍ଦ୍ରକୁ ଆସିଥିବା ମା’ମାନେ ଆଜି ସୁରକ୍ଷିତ ଭାବେ ମତାଧିକାର ସାବ୍ୟସ୍ତ କରିଛନ୍ତି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ‌ଲୋଇଲା ସ୍କୁଲଠାରେ ହୋଇଥିବା ମତଦାନ କେନ୍ଦ୍ରରେ ଆଇସିଡିଏସ୍‌ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ବାପା, ମା’ ଭୋଟ ଦେବାକୁ ଯିବା ସମୟରେ ଅଙ୍ଗନବାଡ଼ି ଦିଦି ଓ କର୍ମୀମାନେ ଛୋଟ ପିଲାଙ୍କୁ ପାଖରେ ରଖିଥିଲେ। ସେମାନଙ୍କୁ ଖେଳାଇବା ସହ ଯତ୍ନ ନେଇଥିଲେ। ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ସହରର ହାତଗଣତି କିଛି କେନ୍ଦ୍ରରେ ଏଭଳି ବ୍ୟବସ୍ଥା ହୋଇଥିବାରୁ ବହୁ କେନ୍ଦ୍ରରେ ଅସନ୍ତୋଷ ପ୍ରକାଶ ପାଇଥିଲା।

 ବଞ୍ଚାଇଦେଲା କୁଲିଂ ଫ୍ୟାନ୍‌
ତାତିରେ ଆଉଟୁପାଉଟୁ ହୋଇଥିଲା ସାରା ସହର। ଭୋଟ ଦେବାକୁ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥିବା ଭୋଟର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେହି କେହି ଅଣନିଶ୍ବାସୀ ହୋଇପଡ଼ିଥିଲେ। ତେବେ କଳାରାହାଙ୍ଗ ଓ ପ୍ରଶାନ୍ତିବିହ‌ାର ସ୍କୁଲରେ ହୋଇଥିବା କେନ୍ଦ୍ରରେ ପ୍ରାର୍ଥୀଙ୍କ ସମର୍ଥକମାନେ କୁଲିଂ ଫ୍ୟାନ୍‌ ଲଗାଇଥିଲେ। ତାତିରୁ ନିସ୍ତାର ପାଇଁ ପ୍ରତି ବୁଥ୍‌ରେ ଗୋଟିଏ ଲେଖାଏ ଫ୍ୟାନ୍‌ ଲଗାଯାଇଥିବାରୁ ଭୋଟରମାନେ ଟିକିଏ ଆଶ୍ବସ୍ତି ଅନୁଭବ କରିଥିଲେ।

ସମ୍ବନ୍ଧିତ ଖବର