‌‌ରେଳ ଷ୍ଟେସନ୍‌ରେ ରାଜନୀତି: ଗଲେନି ବିଜେଡି ମନ୍ତ୍ରୀ, ବିଧାୟକ

ବିଶ୍ବସ୍ତରୀୟ ରେଳ ଷ୍ଟେସନ୍‌ର ଡିଜାଇନ୍‌ ଚାଲିଛି
୬ମାସ ମଧ୍ୟରେ ଆରମ୍ଭ ହେବ କାମ
ଲିଙ୍ଗରାଜ ପାସେଞ୍ଜର୍‌ ହଲ୍‌ଟର ବଦଳିବ ରୂପ

ଭୁବନେଶ୍ବର : ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସରେ ନୂତନ ଏଲ୍‌ଏଚ୍‌ବି କୋଚ୍‌ର ଶୁଭାରମ୍ଭ ପାଇଁ ଭୁବନେଶ୍ବର ରେଳ ଷ୍ଟେସନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁ‌ରେଶ କୁମାର ରାଉତରାୟ ଯୋଗ ଦେଇଥିଲେ। ଭର୍ଚୁଆଲ୍‌ରେ କେ‌ନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ। ମାତ୍ର ଦେଖିବାକୁ ମିଳି ନ ଥିଲେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଓ ଦୁଇ ବିଜେଡି ବିଧାୟକ। ନିମନ୍ତ୍ରଣପତ୍ରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଏକାମ୍ର ଭୁବନେଶ୍ବର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାମ ଉଲ୍ଲେଖ ଥିଲେ ମଧ୍ୟ କେହି ଆସି ନ ଥିଲେ। ସଭା ମଞ୍ଚରେ ସେମାନଙ୍କ ଲାଗି ଚେୟାରଗୁଡ଼ିକ ସଂରକ୍ଷିତ ଥିଲେ ମଧ୍ୟ ଖାଲି ରହିଥିଲା। ଏହାକୁ ନେଇ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପରୋକ୍ଷରେ କହିଥିଲେ ଯେ ରେଳ ବିକାଶରେ ରାଜନୀତି ଆଦୌ ଠିକ୍‌ ନୁହେଁ।

ଆଜକୁ ଠିକ୍‌ ୪ ମାସ ତଳେ ତଥା ସେପ୍ଟେମ୍ବରରେ ରେଳ ଷ୍ଟେସନର ଉକ୍ତ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ତାଙ୍କ ସମେତ ଦୁଇ ଜଣ ଯାକ ବିଧାୟକ ସାମିଲ ହୋଇଥିଲେ। ଭର୍ଚୁଆଲରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ ଶ୍ରୀ ପ୍ରଧାନ ବି ରହିଥିଲେ। ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ଲାଗି ସମସ୍ତ ବିଧାୟକ ଏକାସ୍ବରରେ ଦାବି ଉଠାଇଥିଲେ। ଅନ୍ୟ ଷ୍ଟେସନଗୁଡ଼ିକର ବିକାଶ କଥା ବି କହିଥିଲେ। ମାତ୍ର ଆଜି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଉପସ୍ଥିତ ଥିଲେ ମଧ୍ୟ ବିଧାୟକମାନଙ୍କ ଅନୁପସ୍ଥିତିକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏମିତି କ’ଣ ହେଲା ଯେ ଭୁବନେଶ୍ବରର ତିନି ଜଣ ଯାକ ବିଧାୟକ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଗଲେନି। କାହିଁକି ସେମାନେ ମନ ଉଣା କଲେ? ନା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଉପସ୍ଥିତି ଯୋଗୁଁ ବିଧାୟକମାନେ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଲେ। କାରଣ ଗତଥର ସଭାରେ ତିନି ବିଧାୟକ ଉପସ୍ଥିତ ଥି‌ବା ବେଳେ ସାଂସଦ ଅନୁପସ୍ଥିତ ରହିଥିଲେ। ମଞ୍ଚ ତଳେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଧାୟକ ସୁରେଶ କୁମାର ରାଉତରାୟ ପୂର୍ବଥର ପରି ଏଥର ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମ୍ମୁଖରେ ସମାନ ଦାବି ରଖିଛନ୍ତି। ସେ କହିଲେ ଭୁବନେଶ୍ବର ସମେତ ଦେଶର ୪ଟି ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବାକୁ ଯୋଜନା ହୋଇଥିଲା। ୩ଟି ହୋଇସାରିଥିଲେ ମଧ୍ୟ ଭୁବନେଶ୍ବର କାମ ଆଗେଇ ପାରି ନାହିଁ। ଶ୍ରୀଲିଙ୍ଗରାଜଙ୍କ ନାମରେ ଏକ ଏକ୍ସପ୍ରେସ ଚଲାଇବା, ଲିଙ୍ଗରାଜ ପ୍ୟାସେଞ୍ଜର ହଲ୍ଟକୁ ଷ୍ଟେସନରେ ପରିଣତ କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ଖୋର୍ଦ୍ଧା ରୋଡ ରେଳ ଷ୍ଟେସନର ଆଧୁନିକୀକରଣ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏଥିସହ କରୋନା ଯୋଗୁଁ ବନ୍ଦ ରହିଥିବା ଟ୍ରେନଗୁଡ଼ିକୁ ପୁଣି ଥରେ ଚଲାଇବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସାଂସଦ ଶ୍ରୀମତୀ ଷଡଙ୍ଗୀ ଆସନ୍ତା ୬ ମାସ ମଧ୍ୟରେ ଭୁବନେଶ୍ବର ବିଶ୍ବସ୍ତରୀୟ ରେଳ ଷ୍ଟେସନ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଥିଲେ। ସେ କହିଥିଲେ ଯେ ରେଳମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିବା ସମୟରେ ବିଭିନ୍ନ ରେଳ ‌ଷ୍ଟେସନର ବିକାଶ ଲାଗି ଅନୁରୋଧ କରିଥିଲେ। ଲିଙ୍ଗରାଜ ପାସେଞ୍ଜର ହଲ୍‌ଟକୁ ଷ୍ଟେସନରେ ପରିଣତ କରିବା, ତରାବୋଇ ପାସେଞ୍ଜର ହଲ୍‌ଟ, ବୋଲଗଡ ଷ୍ଟେସନ ବିଷୟରେ ଆଲୋଚନା କରିଛି। ଭୁବନେଶ୍ବର ରେଳ ଷ୍ଟେସନର ବିକାଶ କାର୍ଯ୍ୟ ତୁରନ୍ତ ଅଗ୍ରଗତି କରିବାକୁ ଅନୁରୋଧ କରିଛି। କାରଣ ଏହି ପ୍ରକଳ୍ପ ଶେଷ ହେଲେ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ। ରାଜ୍ୟର ଅର୍ଥନୀତି ସୁଦୃଢ଼ ହୋଇପାରିବ। କେନ୍ଦ୍ରମନ୍ତ୍ରୀ ଅନୁରୋଧ ରକ୍ଷା କରି ଆଶ୍ୱାସନା ଦେଇଥିବା ‌ସେ କହିଥିଲେ।

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ତିନି ମାସ ତଳେ ରାଜ୍ୟ ସରକାର ଆମକୁ ପ୍ରକଳ୍ପ ହସ୍ତାନ୍ତର କରିବା ପରେ କାର୍ଯ୍ୟ ଆଗେଇଛି। ଅକ୍ଟୋବରରେ ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀତ ଶର୍ମା ରେଳ ଷ୍ଟେସନ ବୁଲି ଦେଖିବା ସହ ନକ୍ସା ପ୍ରସ୍ତୁତ କରାଯାଉଛି। ଖୁବ୍‌ଶୀଘ୍ର ଡିଜାଇନ୍‌ ପ୍ରସ୍ତୁତ ହେବ। ୬ ମାସ ମଧ୍ୟରେ ଏହାର କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର