ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ସରଗରମ ହୋଇଛି ଏକାମ୍ର ରାଜନୀତି। ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ନେତାମାନଙ୍କ ପତିଆରା ଲଢ଼େଇ ରାଜନୀତିକୁ ଖୋରାକ ଯୋଗାଇଛି। ଗୋଟିଏ ପଟେ ବିଜେପି ବିଧାୟକ ବାବୁ ସିଂ ଓ ତାଙ୍କ ପଟୁଆର ଅନ୍ୟ ପଟେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଜେଡି ନେତାଙ୍କ ମେଳି ଆଜି ରୁକୁଣା ରଥଯାତ୍ରାରେ ଚର୍ଚ୍ଚାକୁ ଆସିଛି।
ଆଜି ଦିନ ୧୧ଟା ବେଳେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦନ ପ୍ରଭୁ ଲିଙ୍ଗରାଜଙ୍କୁ ମନ୍ଦିରରେ ଦର୍ଶନ କରିବା ପରେ କିଛି ସମୟ ରହି ଚାଲି ଯାଇଥିଲେ। କିନ୍ତୁ ସ୍ଥାନୀୟ ବିଧାୟକ ଓ ତାଙ୍କ ସାଥୀଗଣ ସକାଳୁ ରାତି ଯାଏ ବିଜେପି ଶିବିରରେ ବସିରହିଥିଲେ। ପହଣ୍ଡି ଠାରୁ ଆରମ୍ଭ କରି ରଥ ଗଡ଼ିବା ଯାଏ ବିଜେପି ନେତା ଓ କର୍ମୀମାନେ ରଥକୁ ଘେରି ରହିଥିଲେ। ପ୍ରଶାସନ ପକ୍ଷରୁ ଅତିଥିଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିଜେଡି ଓ ବିଜେପି ଅଲଗା ଅଲଗା ଶିବିର ପ୍ରସ୍ତୁତ କରିଥିଲେ। ବିଜେପି ମଞ୍ଚରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ଅନ୍ୟ ବିଜେଡି ନେତା ଉପସ୍ଥିତ ଥିଲେ। ସେହିପରି ବିଜେପି ମଞ୍ଚରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ସମେତ ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ନେତ୍ରୀ ରଶ୍ମି ମହାପାତ୍ର ଓ ଅନ୍ୟ ବିଜେପି ନେତୃତ୍ବ ଉପସ୍ଥିତ ଥିଲେ।
ତେବେ ରୋଚକ କଥା ହେଲା, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନା ବିଜେଡି ଶିବିର ପରିବର୍ତ୍ତେ ବିଜେପି ମଞ୍ଚରେ ବସିଥିଲେ। ଶ୍ରୀ ମହାସୁପକାର ଶୁଭେଚ୍ଛା ପୋଷ୍ଟରରେ ଶଙ୍ଖଚିହ୍ନ ରଖିଥିବା ବେଳେ ଆଜି ଆଇନମନ୍ତ୍ରୀ ଓ ବିଧାୟକଙ୍କ ସାଙ୍ଗରେ ରହିବା ଏବଂ ବିଜେପି ମଞ୍ଚରେ ବସିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା। ଆଜି ବିଜେଡି ସବୁଜ ରଙ୍ଗର ଗାମୁଛା ବାଣ୍ଟି ଥିବା ବେଳେ ବିଜେପି ନେତାମାନେ ଗେରୁଆ ରଙ୍ଗର ଗାମୁଛା ବାଣ୍ଟି ପରିବେଶକୁ ଗେରୁଆମୟ କରିବାକୁ ଚେଷ୍ଟା କରିଥିଲେ। ଏମିତିକି ବିଜେପି ପକ୍ଷରୁ ଗେରୁଆ ଦେଖା ଯାଉଥିବା ଥଣ୍ଡା ପାନୀୟ ଫାଣ୍ଟା ଓ ମିରିଣ୍ଡା ଲୋକଙ୍କୁ ବଣ୍ଟା ଯାଇଥିଲା।