ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ଉଠିବା ବେଳେ ଅଘଟଣ ନେଇ ରାଜନୀତି ତେଜିବାରେ ଲାଗିଛି। ଅଘଟଣ ପଛର କାରଣ ନେଇ ସ୍ପଷ୍ଟ ଚିତ୍ର ଆସି ନଥିବା ବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ଶାସକ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତା ଯୋଗୁ ଅଘଟଣ ଘଟିଥିବା ଉଭୟ ବିଜେଡି ଓ କଂଗ୍ରେସ ଆରୋପ ଲଗାଇଛନ୍ତି। ଅନ୍ୟପଟେ ଠାକୁରଙ୍କୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ।
ବିଜେଡି ଗଣମାଧ୍ୟମ ସଂଯୋଜକ ଲେଲିନ୍ ମହାନ୍ତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି, ଲିଙ୍ଗରାଜ ମନ୍ଦିରର ଘଟଣା ଦୁଃଖଦାୟକ, ନିନ୍ଦନୀୟ ଓ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଫଳତା। ଏ ଅଘଟଣ ଏକ ବଡ଼ ଧରଣର ପରିଚାଳନାଗତ ବିଭ୍ରାଟ। ରଥଯାତ୍ରା ସମୟରେ, ପହଣ୍ଡି ସମୟରେ ବଡ଼ ଠାକୁର ଖସି ପଡ଼ିଲେ। ସେହି ତଦନ୍ତ ରିପୋର୍ଟ ଆଜିଯାଏ ଆସିଲା ନାହିଁ। ଲିଙ୍ଗରାଜ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ହେଲାନି। କିନ୍ତୁ ଭିଆଇପି ପାସ୍ ବ୍ୟବସ୍ଥା ହେଲା। କେତେ ଭିଆଇପି ପାସ୍ ବଣ୍ଟାଯାଇଥିଲା, ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ମେୟର ସୁଲୋଚନା ଦାସ ଆହତ ସେବାୟତଙ୍କୁ ଭେଟିବା ପରେ କହିଛନ୍ତି, ମହାଦୀପ ଉଠିବା ପୂର୍ବରୁ ତଳେ ବାଲି ଦିଆଯାଇନଥିବାରୁ ଗୋଡ଼ ଖସି ସେବାୟତ ତଳେ ପଡ଼ିଗଲେ। ଏହି ଅଘଟଣର ତଦନ୍ତ ହେବା ଦରକାର। ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସରକାରଙ୍କ ଅବହେଳା ଯୋଗୁ ଅଘଟଣ ଘଟିଥିବା କହିବା ସହ ପ୍ରସ୍ତୁତି ବୈଠକକୁ ଡକା ଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।
ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତା ଯୋଗୁ ଅଘଟଣ: ବିଜେଡି
ତ୍ରୁଟି ପାଇଁ ସରକାର ଦାୟୀ, ତୁରନ୍ତ ଶ୍ବେତପତ୍ର ଜାରି କରନ୍ତୁ: ପିସିସି ସଭାପତି
ଠାକୁରଙ୍କୁ ନେଇ ରାଜନୀତି କରିବା ଠିକ୍ ନୁହେଁ : ବାବୁ ସିଂ
ପିସିସି ସଭାପତି ଭକ୍ତଚରଣ ଦାସ ଆହତ ସେବାୟତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଛନ୍ତି। ସେ କହିଛନ୍ତି, ଏଭଳି ଅଘଟଣ ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ ନିଜେ ଏହି ଘଟଣାର ଗୁରୁତ୍ବ ଉପଲବ୍ଧି କରି ତୁରନ୍ତ ତଦନ୍ତ କରିବା ଆବଶ୍ୟକ। ତେଲ ଲାଗିଲେ ମଧ୍ୟ ଯେଭଳି ଗୋଡ଼ ନଖସିବ ସେଥିପାଇଁ ସେହି ଶିଡ଼ିରେ ବାଲି ଦିଆଯାଏ। କିନ୍ତୁ ଏଥର ଦିଆଯାଇନଥିଲା। ଏହି ତ୍ରୁଟି ପାଇଁ ସରକାର ଦାୟୀ। ସରକାର ଆହତ ସେବକଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା କରନ୍ତୁ। ପରିଚାଳନାଗତ ତ୍ରୁଟି ଯୋଗୁ ଠେଲାପେଲାରେ ୫ ଜଣ ଆହତ ହୋଇଛନ୍ତି। ପୁରୀ ରଥଯାତ୍ରା ସମୟରେ ବଡ଼ ଠାକୁର ପଡ଼ିଯିବା ଓ ଗତକାଲି ଲିଙ୍ଗରାଜଙ୍କ ସେବକ ପଡ଼ିଯିବା ଘଟଣାରେ ସରକାର ଶ୍ବେତପତ୍ର ପ୍ରଦାନ କରନ୍ତୁ। ବିଜେପି ଧର୍ମକୁ ନେଇ ରାଜନୀତି କରେ ଓ ଠାକୁରଙ୍କ ନାଁରେ ଭୋଟ୍ ଭିକ୍ଷା କରେ। ପିସିସି ସଭାପତିଙ୍କ ସହ ବରିଷ୍ଠ ନେତା ପଞ୍ଚାନନ କାନୁନ୍ଗୋ, ମାନସ ଚୌଧୁରୀ, ୟାସିର ନୱାଜ, ରଣଜିତ ପାତ୍ର, ମହମ୍ମଦ ଇନଦାଜ, ମନୋଜ ବିଶ୍ବାଳ, ସୁଧାଂଶୁ ଶେଖର ଦେଓ, ସିଦ୍ଧାର୍ଥ ସ୍ବରୂପ ଦାସ, ରଜନୀ ମହାନ୍ତି, ମହମ୍ମଦ ପରଭେଜ, ସୁଶାନ୍ତ ତ୍ରିପାଠୀ ଓ ଅମରେଶ ପରିଡ଼ା ଆହତ ସେବାୟତଙ୍କୁ ମେଡିକାଲ୍ରେ ଭେଟିଥିଲେ। ସେହିପରି ବିଧାୟିକା ସୋଫିଆ ଫିର୍ଦୋସ ଶିବରାତ୍ରୀ ପୂର୍ବରୁ ହୋଇଥିବା ସମୀକ୍ଷା ବୈଠକ ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦି ଶୃଙ୍ଖଳିତ ଦର୍ଶନ ହେଲାନି ଓ ଅଘଟଣ ଘଟିଲା ତେବେ ପୂର୍ବ ବୈଠକରେ କ’ଣ ହୋଉଥିଲା ବୋଲି ସୋଫିଆ ପ୍ରଶ୍ନ କରିଛନ୍ତି। ଏଥିପାଇଁ ସରକାର ଓ ଦାୟିତ୍ବରେ ଥିବା ଅଧିକାରୀ ଦାୟୀ।
ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଦଳମତ ନିର୍ବିଶେଷରେ ଆମେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲୁ। ସବୁ ଶୃଙ୍ଖଳାର ସହ କରିବାକୁ ସମସ୍ତେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ଯୋଗେନ୍ଦ୍ର ସମର୍ଥା ୩୦ ବର୍ଷ ଧରି ମହାଦୀପ ଉଠାନ୍ତି। କାଲି ଏକ ଅଘଟଣ ଘଟିଲା। ମୁଁ ଭାବୁଛି ଏହାକୁ ନେଇ ରାଜନୀତି କରିବା ଠିକ୍ନୁହେଁ। ମେୟର ମନ୍ଦିରରେ ଥିଲେ। ଯଦି କିଛି ଭୁଲ୍ ରହିଛି ସେ ସୁଧାରି ପାରିଥା’ନ୍ତେ। ସେ ମଧ୍ୟ ପ୍ରଶାସନର ଏକ ଅଂଶ। ମୁଁ ଭାବୁଛି କାହା ଉପରେ ଦୋଷ ଲଦା ନଯାଉ। ପ୍ରଭୁଙ୍କ ଆଶୀର୍ବାଦରୁ ବଡ଼ ବିପଦ ଟଳିଛି। ଆଗକୁ ଅଘଟଣ ନଘଟିବା ପାଇଁ ରାଜନୀତି କରିବା ଠିକ୍ ନୁହେଁ।