ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ବିଜେଡି କର୍ପୋରେଟର ଅମରେଶ ଜେନା(ବାଇଁଆ) ଗିରଫ ପରେ ରାଜ‌ନୈତିକ ବୟାନବାଜି ଆରମ୍ଭ ହୋଇଛି। ଗିରଫଦାରୀକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଦୋଷ ଲଦାଲଦି ଚାଲିଛି। କିଏ ସଚ୍ଚୋ‌ଟ ଓ କିଏ ଶୂନ୍ୟ ସହନଶୀଳତା ଅବଲମ୍ବନ କରିଛି ସେନେଇ ଉଭୟ ଦଳର ନେତା ଆଗକୁ ବାହାରିଛନ୍ତି। ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ବି ସରଗରମ ହୋଇଛି।

Advertisment

ଭୁବନେଶ୍ବରର ରାଜନୀତିରେ ଅମରେଶଙ୍କ ଦବଦବା ରହିଛି। ଚାରି ଚାରି ଥର ସେ ବିଜେଡି ଟିକେଟରେ ସେ ବିଏମ୍‌ସିକୁ ନିର୍ବାଚିତ ହୋଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ସେ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ ପାଇଁ ଦାବିଦାର ଥିଲେ। ତେବେ ଦଳ ଅନନ୍ତ ନାରାୟଣ ଜେନାଙ୍କୁ ଦ୍ବିତୀୟ ଥର ଟିକେଟ ଦେଇ ଅମରେଶଙ୍କୁ ବୁଝାସୁଝା କରିବାରେ ସକ୍ଷମ ହୋଇଥିଲା। ଅନନ୍ତଙ୍କ ସହ ଅମରେଶଙ୍କ ବିବାଦ ସେବେଠାରୁ ଅଧିକ ତୀବ୍ର ହୋଇଥିଲା। ଏପଟେ ବିଜେଡିର ବର୍ତ୍ତମାନର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହ ମଧ୍ୟ ଅମରେଶଙ୍କ ତିକ୍ତ ସମ୍ପର୍କ ରହିଛି। ବିଭିନ୍ନ ସମୟରେ ଅମରେଶ ଖୋଲାଖୋଲି ଭାବେ ଅଶୋକ ଓ ଅନନ୍ତଙ୍କ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ସ୍ଥାନୀୟ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ‌ ନଥିଲେ ବି ବିଜେଡିର ଶୀର୍ଷ ସ୍ତରରେ କିଛି ନେତାଙ୍କ ସହ ଅମରେଶଙ୍କ ଘନିଷ୍ଠ ସମ୍ପର୍କ ରହିଛି। ସେଥିପାଇଁ ଭୁବନେଶ୍ବରରେ ତାଙ୍କର ଦବ୍‌ଦବା ସବୁ‌ବେଳେ ରହିଆସିଛି। ଏବେ ଗିରଫ ହେଲା ପରେ ସ‌ଙ୍ଗେ ସଙ୍ଗେ ବିଜେଡି ଅମରେଶଙ୍କ ହାତ ଛାଡ଼ି ଦେଇଛି। 

ସ୍ବାମୀଙ୍କ ଗିରଫ ପଛରେ ରାଜନୈତିକ ଷଡ଼୍‌ଯନ୍ତ୍ର
ମୋ ସ୍ବାମୀଙ୍କୁ ଫସାଇ ଦିଆଯାଇଛି। ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି ବୋଲି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ବାୟାଁଙ୍କ ପତ୍ନୀ। ସେ କହିଛନ୍ତି ଏ ଘଟଣା ପଛରେ କିଏ କିଏ ଅଛନ୍ତି ବୁଝିଯାଆନ୍ତୁ। ସମୟ ଆସିଲେ ସବୁ ଜାଣିବେ। ଅଜି ପୁଲିସ ଗିରଫ କଲା ‌ବୋଲି ନୁହେଁ; ଗତ ୧୫ଦିନ ହେବ ଏ ଷଡ଼ଯନ୍ତ୍ର ଚାଲିଥିଲା। ହେଲେ ମୋର କୋର୍ଟ ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ଯେବେ ନ୍ୟାୟ ମିଳିବ ମୁଁ ନିଜେ ସାମ୍ବାଦିକ ସମ୍ମିଳନୀ କରି ଆପଣଙ୍କୁ ଜଣାଇବି। ତେବେ ଅର୍ଚ୍ଚନା ନାଗ ନାଁରେ କାଉଣ୍ଟର କେସ୍‌ ଓ ଇତିଶ ପ୍ରଧାନ ସୋ ସ୍ବାମୀଙ୍କ ଭିଡିଓ ଭାଇରାଲ୍‌ କରିଥିବାରୁ ଉଭୟଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲୁ। ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ ପୁଲିସ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। 

ଶ୍ରୀ ପଣ୍ଡା କହିଛନ୍ତି, ଦଳର ସଭାପତି ନବୀନ ପଟ୍ଟନାୟକ ସବୁବେଳେ କହିଛନ୍ତି ଆଇନ ତା’ ବାଟରେ ଯିବ। ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି। ଆଜି ମଧ୍ୟ ବିଜେଡିର ସମସ୍ତ ନେତୃତ୍ବ, କର୍ମୀ, ନେତାମାନେ ସେଥିରେ ବିଶ୍ବାସ କରନ୍ତି। କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ପୀଡ଼ିତା ଯେଉଁ ଅଭିଯୋଗ କରିଛନ୍ତି ତାହାରି ଆଧାରରେ ଗିରଫ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଦଳରୁ ନିଲମ୍ବିତ କରାଯାଇଛି। ବିଜେଡି ସବୁବେଳେ ନାରୀ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସିଛି। ଶାସନରେ ଥିବା ବେଳେ ମହିଳାଙ୍କ ସୁରକ୍ଷା ପାଇଁ ‌ଦଳ ଯେଉଁ ନିଷ୍ପତ୍ତି ନେଉଥିଲା ଆଜି ମଧ୍ୟ ତାହା ବଳବତ୍ତର ରହିଛି। କିନ୍ତୁ ଅନ୍ୟ ଦଳ କ’ଣ କରୁଛନ୍ତି ଟି‌କିଏ ଦେଖନ୍ତୁ। କିଛି ଦିନ ତଳେ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ଘଟଣାରେ ଯାହାଙ୍କ ନାଁରେ ଅଭିଯୋଗ ଆସିଥିଲା ତାଙ୍କୁ ଗିରଫ କରିବାକୁ ଶାସକ ଦଳ କେତେ ଦିନ ସମୟ ନେଇଥିଲା? କାହିଁକି ତତ୍ପରତା ପ୍ରକାଶ କରି ନ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। କିଏ ନିଲମ୍ବିତ ହୋଇଗଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଯିଏ ଦଳର ନୀତି ଆଦର୍ଶରୁ ଦୂରେଇ ଯାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଭୁବନେଶ୍ବର ବିଜେଡି ସଂଗଠନରେ ଟାଣୁଆ ନେତା ଥିଲେ
ବିଜେଡି ସବୁବେଳେ ଶୂନ୍ୟ ସହନଶୀଳତା ଆପଣାଉଛି: ଅଶୋକ ପଣ୍ଡା
ଦୁଷ୍କର୍ମକୁ ନେଇ ବିରୋଧୀଙ୍କ ଭିତରେ ପ୍ରତିଯୋଗିତା ଚାଲିଛି: ବିଜେପି

ବିଜେଡି କର୍ପୋରେଟର ଗିରଫ ପରେ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ଚିତ୍କାର କରୁଥିବା ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ଭିତରେ ମହିଳା ଦୁଷ୍କର୍ମକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି। ଗୋଟିଏ ପଟେ ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ପ୍ରଧାନ ମହିଳା ଦୁଷ୍କର୍ମ ଘଟଣାରେ ଜେଲରେ ଥିବାବେଳେ ଆଜି ବିଜେଡି କର୍ପୋରେଟର ଅମରେଶ ଜେନା ମଧ୍ୟ ମହିଳା ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛନ୍ତି। ଏହା ଦ୍ବାରା ଉଭୟ ଦଳର ଅସଲ ଚେହେରା ପଦାରେ ପଡ଼ିଛି। ଉଭୟ କଂଗ୍ରେସ ଓ ବିଜେଡି ସରକାର ଅମଳରେ ଘଟିଯାଇଥିବା ମହିଳା ହିଂସା, ବ୍ୟଭୀଚାର, ନିର୍ଯାତନାକୁ ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀ ଭୁଲିନାହାନ୍ତି। ଓଡ଼ିଶାର ସାଧାରଣ ଜନତା ଗୋଟିଏ ମୁଦ୍ରାର ପାର୍ଶ୍ବରେ ଉଭୟ ବିଜେଡି ଓ କଂଗ୍ରେସ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ଭଲ ଭାବେ ଅତୀତରେ ଦେଖିଛନ୍ତି। ଆଜି ବି ଦେଖୁଛନ୍ତି। ଓଡିଶାବାସୀ ଉଭୟ ଦଳକୁ କେବେହେଲେ କ୍ଷମା କରିବେ ନାହିଁ। ମହିଳା ସୁରକ୍ଷା ପ୍ରସଙ୍ଗରେ ବିଜେପି ସବୁବେଳେ ସମ୍ବେଦନଶୀଳ। ବିଜେପି ସରକାର ମହିଳାଙ୍କ ପାଇଁ ସମର୍ପିତ ସରକାର। ମହିଳା ହିଂସା କିମ୍ବା ଦୁଷ୍କର୍ମରେ ସମ୍ପୃକ୍ତ କୌଣସି ଅଭିଯୁକ୍ତଙ୍କୁ ବିଜେପି ସରକାରରେ ଛଡ଼ାଯିବ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ମାସକରେ ୨ କର୍ପୋରେଟର ଗିରଫ
ମାସକ ଭିତରେ ବିଏମ୍‌ସିର ଦୁଇ ଜଣେ କର୍ପୋରେଟର ଗିରଫ ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଶାସକ ଦଳର ଓ ଜଣେ ବିରୋଧୀ ଦଳର। କିଛି ଦିନ ପୂର୍ବରୁ ବିଏମ୍‌ସି କାର୍ଯ୍ୟାଳୟରେ ଓଏଏସ୍‌ ଅଧିକାରୀଙ୍କୁ ମାଡ଼ ମରା ଘଟଣାରେ ବିଜେପି କର୍ପୋରେଟର ଜୀବନ ରାଉତ ଗିରଫ ହୋଇଥିଲେ। ଏବେ ଦୁଷ୍କର୍ମ ଅଭିଯୋଗରେ ବିଜେଡି କର୍ପୋରେଟର ଶ୍ରୀ ଜେନାଙ୍କ ଗିରଫ ହୋଇଛନ୍ତି। ଏମିତି ଗିରଫଦାରୀ ନିକଟ ଅତୀତରେ କେବେ ଘଟି ନଥିଲା ବୋଲି କୁହାଯାଉଛି।