ଭୁବନେଶ୍ବର: ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ରେ ରହିଛି। ବିଧାନସଭା ନିର୍ବାଚନ ସମୟରେ ଭୋଟରମାନେ ମତଦାନ ସାବ୍ୟସ୍ତ କରୁଛନ୍ତି। ହେଲେ ବିଏମ୍ସିର କୌଣସି କାର୍ଯ୍ୟକ୍ରମରେ ଏଠାକାର ବିଧାୟକଙ୍କୁ ସାମିଲ କରାଯାଉ ନାହିଁ। ବୈଠକକୁ ଭୁବନେଶ୍ବର ମଧ୍ୟ, ଏକାମ୍ର ଓ ଉତ୍ତର ବିଧାୟକଙ୍କୁ ଡକାଯାଉଥିଲେ ମଧ୍ୟ ଜଟଣୀ ବିଧାୟକଙ୍କୁ ନିମନ୍ତ୍ରଣ ଦିଆଯାଉ ନାହିଁ। ବିଏମ୍ସିର ଯେଉଁ ଫଳକ ଲାଗୁଛି ସେଥିରେ ଜଟଣୀ ବିଧାୟକଙ୍କ ନାମକୁ ସ୍ଥାନିତ କରାଯାଉ ନାହିଁ। ଗତ ବିଧାନସଭା ଅଧିବେଶନ ସମୟରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଏଭଳି ପ୍ରଶ୍ନ ଉଠାଇଥିଲେ। ଉଦ୍ଘାଟନ କି ଭିତ୍ତିପ୍ରସ୍ତର ଫଳକରେ ବିଧାୟକଙ୍କ ନାଁ ନ ରଖିବାକୁ ନିଷ୍ପତ୍ତି ହୋଇଛି କି ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରଶ୍ନ କରିଥିଲେ। ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ ସେଭଳି କୌଣସି ନିଷ୍ପତ୍ତି ହୋଇ ନାହିଁ। ଦେଢ଼ ମାସ ତଳେ ବିଧାନସଭାରେ ଉଠିଥିବା ଏହି ନାମ ଫଳକ ରାଜନୀତି ଏବେ ଭୁବନେଶ୍ବର ରାଜନୀତିକୁ ଉଷ୍ମ କରିଛି। କେଉଁ ନାମ ଫଳକରେ କାହାର ନାଁ ରହିବ, କାହା ନାଁ କଟିବ ସେନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ନେତାଙ୍କ ମଧ୍ୟରେ ଟଣାଓଟରା ଚାଲିଛି।
ବିଜେପି-ବିଜେଡି ନେତାଙ୍କ ମଧ୍ୟରେ ଟଣାଓଟରା
ଉଦ୍ଘାଟନୀ ଫଳକରେ ରହୁନି ସାଂସଦଙ୍କ ନାମ
ବିଧାୟକଙ୍କୁ ନ ଡାକି କାର୍ଯ୍ୟକ୍ରମ କରୁଛନ୍ତି ସାଂସଦ
ଭୁବନେଶ୍ବରର ତିନୋଟି ଯାକ ନିର୍ବାଚନମଣ୍ଡଳୀରେ ଏହି ଫଳକ ରାଜନୀତି ଧୀରେ ଧୀରେ ବଢ଼ୁଛି। ଭୁବନେଶ୍ବର ସାଂସଦ ଏବଂ ଏକାମ୍ର ବିଧାୟକ ଶାସକ ବିଜେପି ଦଳର ହୋଇଥିବା ବେଳେ ଭୁବନେଶ୍ବର ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀର ବିଧାୟକ ବିଜେଡିର। ସେହି ଦୃଷ୍ଟିରୁ ଏକାମ୍ର ନିର୍ବାଚନମଣ୍ଡଳୀରେ କୌଣସି ଉଦ୍ଘାଟନୀ କିମ୍ବା ଭିତ୍ତିପ୍ରସ୍ତର ଫଳକରେ ଉଭୟ ସାଂସଦ ଓ ବିଧାୟକଙ୍କ ନାମ ଫଳକ ଲାଗିବାରେ କୌଣସି ଅସୁବିଧା ନାହିଁ। ହେଲେ ଭୁବନେଶ୍ବର ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀରେ ସମସ୍ୟା ସୃଷ୍ଟି ହେଉଛି। ଏହି ଦୁଇ ନିର୍ବାଚନମଣ୍ଡଳୀରେ ବିଧାୟକ ଓ ଭୁବନେଶ୍ବର ମେୟର ବିରୋଧୀ ବିଜେଡି ଦଳର। ତେଣୁ ଯେଉଁ କାମ ପାଇଁ ଫଳକ ଲାଗୁଛି ସେଥିରେ ବିଧାୟକ ଓ ମେୟରଙ୍କ ନାମ ରହୁଛି। ସାଂସଦଙ୍କ ନାମ ରଖାଯାଉ ନ ଥିବାରୁ ଶାସକ ବିଜେପିର ନେତୃବୃନ୍ଦ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗତ ସପ୍ତାହରେ ମଧ୍ୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଏମ୍ସି ୩୭ ନମ୍ବର ୱାର୍ଡରେ ସଙ୍ଗଠିତ କଳା ବୋଳା ଘଟଣାକୁ ଦେଖିଲେ ଫଳକ ରାଜନୀତି କେଉଁ ସ୍ତରରେ ପହଞ୍ଚିଲାଣି ତାହା ଜଳଜଳ ହୋଇ ଦିଶୁଛି। ଏଠାକାର କର୍ପୋରେଟର ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହେଲେ। ପୁଣିଥରେ ଦଳ ପରିବର୍ତ୍ତନ କରି ଏବେ ଶାସକ ବିଜେପିରେ ସାମିଲ ହୋଇଛନ୍ତି। ତେଣୁ ତାଙ୍କ ସମର୍ଥକମାନେ ସାଂସଦଙ୍କ ପାଇଁ ବାହାରିବା ସ୍ବାଭାବିକ। ଲାଗିଥିବା ନାମ ଫଳକରେ ବିଧାୟକ ଓ ମେୟରଙ୍କ ନାମ ରହିଥିବା ବେଳେ ସାଂସଦଙ୍କ ନାଁକୁ କାହିଁକି ବାଦ୍ ଦିଆଗଲା ସେନେଇ ପ୍ରଶ୍ନ ଉଠାଇଥିଲେ ଏବଂ ବିଧାୟକଙ୍କ ନାମରେ କଳା ବୋଳିଥିଲେ। ଏଭଳି କାର୍ଯ୍ୟକୁ ନେଇ ମେୟର ଅସନ୍ତୋଷ ପ୍ରକାଶ କରିବା ସହ ଫିତା କଟିବା କ୍ଷଣି ପଳାଇ ଆସିଥିଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ, ଲକ୍ଷ୍ମୀସାଗରରେ ଏକ ପ୍ରକଳ୍ପ ଉଦ୍ଘାଟନକୁ ନେଇ କିଛି ମାସ ତଳେ ବିଜେଡି ଓ ବିଜେପି ମଧ୍ୟରେ ରାଜନୀତି ଜୋର ଧରିଥିଲା।
ବିଜେପି ଶାସନ କ୍ଷମତାକୁ ଆସିବା କ୍ଷଣି ଅଗଷ୍ଟ ମାସରେ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହଂସପାଳ ଫ୍ଲାଏ ଓଭରବ୍ରିଜ୍ ଗୋଟିଏ ପାଖ(କଟକ ପଟରୁ ଭୁବନେଶ୍ବର) ରାସ୍ତା ଖୋଲାଯାଇଥିଲା। କାମ ସରିନଥିଲେ ମଧ୍ୟ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ଉଦ୍ଘାଟନ କରିଥିଲେ। ସାଙ୍ଗରେ ଭୁବନେଶ୍ବର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ସାମିଲ ହୋଇଥିଲେ। ସେଠାକୁ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ କିମ୍ବା କର୍ପୋରେଟରଙ୍କୁ ଡକାଯାଇ ନ ଥିଲା। ଏହାକୁ ନେଇ ବିଜେଡି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ମାତ୍ର ନିର୍ବାଚନ ପୂର୍ବରୁ ପଟିଆ ଓ କଳାରାହାଙ୍ଗଠାରେ ରେଳ ଫ୍ଲାଏଓଭର ନିର୍ମାଣର ଭିତ୍ତିପ୍ରସ୍ତର ସମୟରେ ଉଭୟ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ବିଧାୟକ ଶ୍ରୀ ରାଉତ ମଞ୍ଚରେ ଏକାଠି ସାମିଲ ହୋଇଥିଲେ। ହେଲେ ପରବର୍ତ୍ତୀ ରାଜନୈତିକ ପରିସ୍ଥିତିରେ ଏବେ ତୁ ତୁ ମେଁ ମେଁ ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ ଏହା କିଭଳି ରୂପ ନେଇ ତାହା ଉପରେ ନଜର ରହିଛି।