ବର୍ଷାକୁ ନେଇ ରାଜନୀତି ସରଗରମ: ବିଜେଡି-ବିଜେପି ଟୁଇଟ୍ ଯୁଦ୍ଧ

କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ: ଅପରାଜିତା, କମିସନର୍‌ ଥିବା ବେଳେ ସମାଧାନ କଲେନି: ଅନନ୍ତ

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ରାଜଧାନୀ। ୪୮ ଘଣ୍ଟା ମଧ୍ୟରେ ୨୦୦ ମିମିରୁ ଅଧିକ ବର୍ଷାରେ ଜଳମୟ ହୋଇଯାଇଛି ସହରର ଅଧିକାଂଶ ଅଞ୍ଚଳ। କେଉଁଠି ଘର ଦବିଛି ତ ଆଉ କେଉଁଠି ରାସ୍ତା ଧୋଇ ଯାଇଛି। ବର୍ଷା ଜଳରେ ବାଇକ୍‌ ବି ଭାସିଯାଇଛି। ଅସରାଏ ବର୍ଷାରେ ସହରରେ ଏଭଳି ସ୍ଥିତି ଉପୁଜୁଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ଯାହାକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ଟୁଇଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ୨୧ ବର୍ଷ ଧରି ଶାସନରେ ରହିବା ପରେ ବି ଇଏ କି ଅବସ୍ଥା ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ। ଆଜି ସକାଳୁ ମଧ୍ୟ ସେ ଟୁଇଟ୍‌ କରି କୁମ୍ଭକର୍ଣ୍ଣ ନିଦରୁ ଉଠିବା ପାଇଁ ଆହ୍ବାନ ଦେଇଥିଲେ। ସାଂସଦ ଅପରାଜିତାଙ୍କ ଟୁଇଟ୍ ପରେ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଜବାବ ଦେବାକୁ ଆଗକୁ ଆସିଥିଲେ। ଶ୍ରୀ ଜେନା କହିଥିଲେ ଯେ ମୁମ୍ବାଇ ରେଳ ଷ୍ଟେସନରେ ପାଣି ଜମି ୨ରୁ ୪ ଦିନ ପର୍ଯ୍ୟନ୍ତ ଷ୍ଟେସନ ବନ୍ଦ ହୋଇଥାଏ। ଆମର ସେମିତି ସ୍ଥିତି ନାହିଁ। ସାଂସଦ ମହାଶୟା ଯେତେବେଳେ କମିସନର ଥିଲେ ସେତେବେଳେ ସମସ୍ୟାର ସମାଧାନ କଲେନି। ଆଜି ବି ସେ ସାଂସଦ ଅଛନ୍ତି। ପ୍ରଥମେ ଜାତୀୟ ରାଜପଥ ପାର୍ଶ୍ବରେ ଡ୍ରେନ୍‌ କରାନ୍ତୁ। ସେହି ପାଣି ସହର ଭିତରକୁ ପଶି ସମସ୍ୟା ସୃଷ୍ଟି କରୁଛି। ରାଜ୍ୟ ସରକାର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଆଉ ଗୋଟେ ବର୍ଷ ଭିତରେ ଏ ସମସ୍ୟା ରହିବନି। ଇସ୍କନ୍‌ ମନ୍ଦିର ନିକଟ ସମସ୍ୟାର ସମାଧାନ ପାଇଁ ଟେଣ୍ଡର ସାରିଛି। ଖୁବଶୀଘ୍ର କାମ ଆରମ୍ଭ ହେବ।

 କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ: ଅପରାଜିତା
 କମିସନର୍‌ ଥିବା ବେଳେ ସମାଧାନ କଲେନି: ଅନନ୍ତ
 ଆପଣଙ୍କ କାର୍ଯ୍ୟର ପ୍ରାୟଶ୍ଚିତ କରୁଛୁ: ଶ୍ରୀମୟୀ

ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମଧ୍ୟ ଟୁଇଟ୍‌ ଯୁଦ୍ଧରେ ସାମିଲ ହୋଇଥିଲେ। ଅପରାଜିତାଙ୍କ ଟୁଇଟ୍‌ର ଉତ୍ତର ଦେବାକୁ ଯାଇ ଶ୍ରୀମୟୀ କହିଥିଲେ ଯେ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ୩ ବର୍ଷ ଧରି ଆପଣ ବିଏମ୍‌ସି କମିସନର ଦାୟିତ୍ବରେ ରହିଥିଲେ। ନିଜର ଉନ୍ନତ ମସ୍ତିଷ୍କରେ ସେତେବେଳେ ଯେଉଁ ଭଲ କାମ କରିଥିଲେ ତା’ର ପରିଣାମ ଏବେ ସହରବାସୀଙ୍କୁ ଭୋଗିବାକୁ ପଡ଼ୁଛି। ବିଏମ୍‌ସି କମିସନର ଭାବେ ଆପଣଙ୍କ କାର୍ଯ୍ୟର ପ୍ରାୟଶ୍ଚିତ ଆମେ ହିଁ କରୁଛୁ ବୋଲି କଟାକ୍ଷ କରି କହିଥିଲେ।
ଅନ୍ୟପକ୍ଷରେ ଭୁବନେଶ୍ବର ବିଜେପି ସଭାପତି ବାବୁ ସିଂ ଟୁଇଟ୍‌ କରି ରାଜଧାନୀରେ ଡଙ୍ଗା ଯୋଜନା କେବେ ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ରାଜଧାନୀବାସୀ ପାଣି ଘେରରେ ଉବୁଟୁବୁ ହୋଇ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସ୍ମାର୍ଟସିଟି ଅବସ୍ଥାଠାରୁ ଗାଁ ଅବସ୍ଥା ବହୁତ ଭଲ। ରାଜ୍ୟ ସରକାରଙ୍କ ଅବହେଳା ପାଇଁ ରାଜଧାନୀବାସୀ କାନ୍ଦିକାନ୍ଦି ଦିନ କାଟୁଛନ୍ତି। ଏତେ ସବୁ ପରେ ବି ବିଏମ୍‌ସି ଓ ରାଜ୍ୟ ସରକାର ନିରବ।

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ପୁଣିଥରେ ବର୍ଷିଥିଲେ। ସେ କହିଥିଲେ ଯେ ଭୁବନେଶ୍ୱରର ସ୍ଥିତି ସଙ୍ଗିନ ରହିଛି। ଲୋକଙ୍କ ପାଖରେ ଶାସନ ଓ ପ୍ରଶାସନ ପହଞ୍ଚିବାର ଆବଶ୍ୟକତା ରହିଛି। ଏବେ କେହି ଘରୁ ପଦାକୁ ବାହାରି ପାରୁନାହାନ୍ତି। ଯାହାର ଘର ଉପରେ ଭଲ ଛାତ ଖଣ୍ଡିଏ ନାହିଁ ସିଏ କ’ଣ କରିବ? କେମିତି ଚଳିବ ବୋଲି ପ୍ରଶ୍ନ କରିଥିଲେ। ମୁଁ ଅନେକ ଲୋକଙ୍କ ଶୋଇବା ଘରକୁ ଯାଇ ଦେଖିଛି। ସମସ୍ତଙ୍କ ବେଡ୍‌ରୁମ୍‌ରେ ବି ପାଣି ଖେଳୁଛି। ରାଜଧାନୀର ପ୍ରାୟ ସବୁ ବସ୍ତିରେ ସମସ୍ୟା ଗମ୍ଭୀର ହୋଇଛି। କାହିଁକି ଏଭଳି ସ୍ଥିତି ହେଲା ତାହାର ଉତ୍ତର ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ ବୋଲି ସେ କହିଥିଲେ। ଶ୍ରୀମତୀ ଷଡ଼ଙ୍ଗୀ ଆହୁରି କହିଥିଲେ, ସାଂସଦ ହେବା ପରେ ଡ୍ରେନେଜ୍‌ ସମସ୍ୟା ଉପରେ ଗୁରୁତ୍ବ ଦେଇଥିଲି। ୨୦୨୦ରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଭୁବନେଶ୍ବର ବୁଲି ଦେଖିବା ସହ ଡ୍ରେନେଜ୍‌ ସମସ୍ୟା ଉପରେ ଗୁରୁତ୍ବ ଦେଇଥିଲେ। କମ୍ପ୍ରେହେନ୍‌ସିଭ୍‌ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦିଆଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ୧୩ଟି ପ୍ରାକୃତିକ ଡ୍ରେନ୍‌ର ସମସ୍ୟା ଓ ୪୪ଟି ଅତ୍ୟନ୍ତ ସମ୍ବେଦନଶୀଳ ଜାଗାର ତାଲିକା ମଧ୍ୟ ପ୍ରଦାନ କରାଯାଇଥିଲା। ଏପର୍ଯ୍ୟନ୍ତ କିଛି ହୋଇ ନାହିଁ। ପାଣି ନିଷ୍କାସନ ପାଇଁ ୧୧୦ କୋଟି ଟଙ୍କା ଦିଆଯାଇଥିଲା। କିନ୍ତୁ ସେହି ଟଙ୍କା କୁଆଡ଼େ ଗଲା ଓ କେଉଁଠାରେ ବିନିଯୋଗ ହେଲା ବୋଲି ସେ ପ୍ରଶ୍ନ କରିଥିଲେ।

 

ସମ୍ବନ୍ଧିତ ଖବର