ଖଣ୍ଡଗିରି: ଶୌଚାଳୟ ଉଦ୍‌ଘାଟନକୁ ନେଇ ବିଏମ୍‌ସି ୩୭ ନମ୍ବର ୱାର୍ଡରେ ଆଜି ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି। ଉଦ୍‌ଘାଟନୀ ଫଳକରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ନ ଥିବାରୁ ସ୍ଥାନୀୟ କର୍ପୋରେଟରଙ୍କ ସମେତ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଯଦି ସାଂସଦଙ୍କ ନାମକୁ ଫଳକରେ ସ୍ଥାନ ଦିଆଯିବ ନାହିଁ ତାହେଲେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାଁ କାହିଁକି ରହିବ ବୋଲି ଲୋକେ ପ୍ରଶ୍ନ କରିଥିଲେ। ପରେ ଉକ୍ତ ଫଳରେ ବିଧାୟକଙ୍କ ନାଁ ଉପରେ କଳା ବୋଳିଥିଲେ। ଉଦ୍‌ଘାଟନ କରିବାକୁ ବିଧାୟକ ଆସି ନ ଥିବା ବେଳେ ବିଏମ୍‌ସି ମେୟର ସୁଲୋଚନା ଦାସ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ କିଏ ଓ କେଉଁ ପରିସ୍ଥିତିରେ କଳା ବୋଳିଲେ ବୋଲି ପ୍ରଶ୍ନ କରିଥିଲେ।

Advertisment

ସୂଚନା ଅନୁଯାୟୀ ସହରର ୧୦୮ଟି ସ୍ଥାନରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଯାହାମଧ୍ୟରେ ୩୭ ନମ୍ବର ୱାର୍ଡର କସ୍ତୁରବା ସ୍କୁଲ ନିକଟରେ ନିର୍ମିତ ଶୌଚାଳୟକୁ ୫ ତାରିଖ ମଧ୍ୟାହ୍ନ ୧୨ଟା ୧୫ରେ ଉଦ୍‌ଘାଟନ କରାଯିବାକୁ ନିଷ୍ପତ୍ତି ହୋଇଥି‌ଲା। ଏଥିରେ ଅତିଥି ଭାବେ ସାମିଲ ହେବାକୁ ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ୍‌ ଜାନୁଆରି ୪ ତାରିଖରେ କର୍ପୋ‌‌ରେଟର ବନ୍ଦିତା ପାଲ୍‌ଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ନିଜ ୱାର୍ଡରେ ଫଳକ ଉଦ୍‌ଘାଟନ ହେବାକୁ ଥିବା ବେଳେ କର୍ପୋରେଟରଙ୍କୁ କେଉଁ ପରିସ୍ଥିତିରେ ଶେଷ ମୁହୂର୍ତ୍ତରେ ଅତିଥି ଭାବେ ଡକାଯାଉଛି ବୋଲି କର୍ପୋରେଟର ଆଜି ପ୍ରଶ୍ନ କରିଥିଲେ। ଏଥିସହ ଫଳକରେ କାହିଁକି ସାଂସଦଙ୍କ ନାଁ ରଖାଗଲା ନାହିଁ ବୋଲି ସ୍ଥାନୀୟ ଲୋକେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହି ଫଳକରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟିମେୟର ମଞ୍ଜୁଲତା କହଁର, ସ୍ବାସ୍ଥ୍ୟ ଓ ପରିମଳ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର, କର୍ପୋରେଟର ଶ୍ରୀମତୀ ପାଲଙ୍କ ନାମ ରହିଥିଲା। କିନ୍ତୁ ସାଂସଦଙ୍କ ନାମ ନଥିବାରୁ ତାଙ୍କ ସମର୍ଥକମାନେ ବିଧାୟକଙ୍କ ନାଁ ଉପରେ କଳା ବୋଳିଦେଇଥିଲେ। 

ଉତ୍ତ୍ୟକ୍ତ ଲୋକଙ୍କ କହିବା କଥା ହେଉଛି, ଅତିଥି ତାଲିକା ଚୂଡ଼ାନ୍ତ କରାଯାଇ ଫଳକ ଲଗାଯିବା ପରେ କର୍ପୋ‌ରେଟରଙ୍କୁ ଅତିଥି ଭାବେ ଡକାଯାଉଛି। ଏହା ଆଦୌ ଗ୍ରହଣୀୟ ନୁହେଁ। ଭୁବନେଶ୍ୱର ମେୟରଙ୍କୁ ଯଦି ଲୋକେ ନିର୍ବାଚିତ କରିଛନ୍ତି, ଏଠାକାର ଜନସାଧାରଣ ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ସାଂସଦ ଭାବେ ନିର୍ବାଚିତ କରିଛନ୍ତି। ଯଦି ପଥ ଉତ୍ସବକୁ ତାଙ୍କୁ ଡକାଯାଇପାରିଲା ତାହାଲେ କ’ଣ ପାଇଁ ମଧ୍ୟ ବିଧାୟକଙ୍କ ସହିତ ସାଂସଦଙ୍କ ନାଁ ଲେଖାଗଲା ନାହିଁ। ଫଳକରେ ସାଂସଦଙ୍କ ନାଁ ଲେଖିବାକୁ ଗତକାଲିଠାରୁ ସୁଲଭ ଏଜେନ୍ସି ଓ ବିଏମସି ଅଧିକାରୀଙ୍କୁ କହିଥିଲୁ। ମାତ୍ର କେହି ଶୁଣିଲେ ନାହିଁ। କେବଳ ସେତିକି ନୁହେଁ ୱାର୍ଡ ୬୭ରେ ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି ହୋଇଥିଲେ ମଧ୍ୟ ନାମ ଫଳକରେ ତାଙ୍କ ନାମ ବଦଳରେ କେବଳ ‘ଏକାମ୍ର ବିଧାୟକ’ ଲେଖାଯାଇଥିଲା। ତେଣୁ ଏହା ପୂର୍ବ ପ୍ରାୟୋଜିତ ବୋଲି ୱାର୍ଡ ବାସିନ୍ଦା ଅଭିଯୋଗ କରିଛନ୍ତି। କର୍ପୋରେଟରଙ୍କ କହିବାନୁଯାୟୀ ଏଥିରେ କୌଣସି ବିରୋଧ ହୋଇ ନ ଥିଲା। ହେଲେ ଆମ ସାଂସଦଙ୍କ ନାଁ କାହିଁକି ନ ଥିଲା ବୋଲି ପ୍ରଶ୍ନ କରିଥିଲୁ। ଏହାକୁ ନେଇ ୱାର୍ଡବାସୀ ଅସନ୍ତୋଷ ପ୍ରକାଶ କରିବା ସହ ବିଧାୟକଙ୍କ ନାଁରେ କଳା ବୋଳି ଦେଇଥିବା ସେ କହିଛନ୍ତି।