୨୬ରେ ତିନି ନିର୍ବାଚନମଣ୍ଡଳୀରେ ବିଜେଡିର ସମାବେଶ
୨୫ରେ ଶିଶୁପାଳଗଡ଼ରୁ ବିଜେପିର ଅଭିଯାନ
ଜୋନ୍ସ୍ତରୀୟ ବୈଠକ ଉପରେ କଂଗ୍ରେସର ଗୁରୁତ୍ବ
ଭୁବନେଶ୍ବର/ପୁରୁଣା ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ତିନି ପ୍ରମୁଖ ରାଜନୈତିକ ଦଳ। ରୂପରେଖ ପ୍ରସ୍ତୁତ ସହ ଲୋକଙ୍କ ନିକଟରେ ପହଞ୍ଚିଲେଣି ନେତା। ବିକାଶକୁ ମୁଦ୍ଦା କରି ବିଜେଡି ନେତାମାନେ ପଞ୍ଚାୟତରେ ପହଞ୍ଚୁଛନ୍ତି। ମନ୍ତ୍ରୀ, ବିଧାୟକ ପ୍ରତିଦିନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ କରୁଛନ୍ତି। ଆଉ ଶାସକ ବିଜେଡ଼ିକୁ ଘେରିବାକୁ ବିରୋଧୀ ବି ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧିକୁ ଆୟୁଧ କରି ଯଥାକ୍ରମେ ବିଜେପି ଓ କଂଗ୍ରେସ ଏବେ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି। ଗାଁ ଗାଁରେ ସଭା, ସମିତି, ଶୋଭାଯାତ୍ରା, ବୈଠକ କରି ପଞ୍ଚାୟତ ହାତେଇବାକୁ ପାଗ ଭିଡ଼ିବାରେ ଲାଗିପଡ଼ିଛନ୍ତି ତିନି ରାଜନୈତିକ ଦଳର ନେତା। ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଭୁବନେଶ୍ବର ଉପକଣ୍ଠରେ ଥିବା ପଞ୍ଚାୟତଗୁଡ଼ିକରେ ଏବେ ଉଷ୍ମ ହେଲାଣି ରାଜନୀତି।
ଅବଶ୍ୟ ଶାସକ ବିଜେଡ଼ି ଏବେ ଟିକିଏ ଆଗରେ ରହିଛି। ଉତ୍ତର ଓ ଏକାମ୍ର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୧୧ ପଞ୍ଚାୟତ ଉପରେ ଦଳ ଫୋକସ୍ କରିଛି। ୨୬ ତାରିଖରେ ବିଜେଡ଼ିର ପ୍ରତିଷ୍ଠା ଦିବସ ଅବସରରେ ତିନୋଟି ଯାକ ନିର୍ବାଚନ ମଣ୍ଡଳୀରେ ସମାବେଶ କରାଯାଇ କର୍ମୀଙ୍କୁ ଏକଜୁଟ କରାଯିବ। ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ଅଧୀନ ପାଞ୍ଚ ପଞ୍ଚାୟତରେ ଝିଙ୍କରଡ଼ିହି ଘେରିବନ୍ଧ ନିର୍ମାଣ, କଣ୍ଟୁଣିଆରୁ ମରିଚିଆ ସାଇଫନ୍ ରାସ୍ତା, କୁଆଖାଇ ନଦୀ ବନ୍ଧ ଆଲୋକୀକରଣ, ଜଳସେଚନ ବିଭାଗ ଅଧୀନ ୬ଟି ବିଜ୍ରି ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ଉଦ୍ଘାଟନ ହୋଇଛି। ଗଣ୍ଡରପୁର ଷ୍ଟାଡିୟମ୍ ନିର୍ମାଣ କରାଯାଇଛି। ୫-ଟି ଅଧୀନରେ ନନ୍ଦନକାନନ ହାଇସ୍କୁଲ, କେନ୍ଦୁପାଟଣା ହାଇସ୍କୁଲର ବିକାଶ କରାଯାଇଛି। ବରିମୁଣ୍ଡର ବାପୁଜୀ ହାଇସ୍କୁଲ, ଗଣ୍ଡରପୁର ହାଇସ୍କୁଲ ଦ୍ବିତୀୟ ପର୍ଯ୍ୟାୟରେ ସାମିଲ ହୋଇଛି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଦାଢ଼ା, ବରିମୁଣ୍ଡ, ରଘୁନାଥପୁର, କଲ୍ୟାଣପୁର ପଞ୍ଚାୟତବାସୀଙ୍କ ଲାଗି ଆଉ କିଛି ପ୍ରକଳ୍ପ ଭେଟି ଦେବାକୁ ଦଳ ଲକ୍ଷ୍ୟ ରଖିଛି। କଳାରାହାଙ୍ଗ ପଞ୍ଚାୟତ ଏଥର ବିଏମ୍ସିରେ ମିଶିବା ସହ ଇଞ୍ଜଣା ନୂଆ ପଞ୍ଚାୟତ ହୋଇଥିବାରୁ ସେଠାକାର ଉନ୍ନତି ଲାଗି ମଧ୍ୟ ଦଳ ନକ୍ସା ପ୍ରସ୍ତୁତ କରିଛି।
ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାସୁଆଘାଇ, ଧଉଳି, ଶିଶୁପାଳଗଡ଼, ଇଟିପୁର ପ୍ରଭୃତି ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଇଛି। ଦୟା ନଦୀ ବନ୍ଧ ସୁଦୃଢ଼ୀକରଣ, କଟକ-ପୁରୀ ବାଇପାସ୍ ଆଲୋକୀ କରଣ, ଧଉଳି ପର୍ଯ୍ୟଟନ ସ୍ଥଳୀର ବିକାଶ, ଧଉଳି ପଞ୍ଚାୟତରେ କଲ୍ୟାଣ ମଣ୍ଡପ, ମିଶନ ଶକ୍ତି ଗୃହ ସହ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ ହୋଇଛି। ପଞ୍ଚାୟତରେ ବିଜୁ ସ୍ବାସ୍ଥ୍ୟ କାର୍ଡ, ରାସ୍ତା, ଡ୍ରେନ୍, ଆଲୋକୀକରଣ, ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଉ କିଛି ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ଲକ୍ଷ୍ୟ ରଖାଯାଇଛି।
ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି ଯେ ଯେକୌଣସି ସମୟରେ ପଞ୍ଚାୟତ ନିର୍ବାଚନ ହେଲେ ମଧ୍ୟ ଆମେ ପ୍ରସ୍ତୁତ ରହିଛୁ। ଲୋକଙ୍କ ବିକାଶ ଲାଗି ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଜନହିତକାରୀ ଯୋଜନାକୁ ପଞ୍ଚାୟତସ୍ତରରେ ପହଞ୍ଚିବା ଆମର ପ୍ରଥମ ଲକ୍ଷ୍ୟ। ରାଜଧାନୀ ଉପକଣ୍ଠ ପଞ୍ଚାୟତଗୁଡ଼ିକର ବ୍ୟାପକ ବିକାଶ ହୋଇଛି। ରାସ୍ତାଘାଟଠାରୁ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି। ଲୋକଙ୍କ ସହ ଆମେ ଅଛୁ। ରହିବୁ ମଧ୍ୟ।
ପଞ୍ଚାୟତରେ ପତିଆରା ଜାହିର ପାଇଁ ବିଜେପି ବି ପ୍ରସ୍ତୁତ ହୋଇଛି। ଆସନ୍ତା ୨୫ ତାରିଖରେ ସୁଶାସନ ଦିବସ ତଥା ବାଜପେୟୀ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ବାରା ଲୋକଙ୍କ ପାଇଁ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଦଳ ପ୍ରଚାର ଆରମ୍ଭ କରିବ। ବିଜେପି ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶିଶୁପାଳଗଡ଼ ପଞ୍ଚାୟତରେ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଉତ୍ତର ଓ ଏକାମ୍ର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ଅଧୀନ ଗ୍ରାମ ପଞ୍ଚାୟତଗୁଡ଼ିକରେ ଦଳ କିଭଳି ଭଲ ଫଳ କରିବ ସେଥିପ୍ରତି ଗଳିକନ୍ଦିରେ ପ୍ରଚାର କରାଯିବ। ଗାଁ ଗାଁରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍ କିଷାନ ଯୋଜନାର ସଫଳତା ନେଇ କୁହାଯିବ। ୧୧ଟି ଯାକ ପଞ୍ଚାୟତରେ ଦଳ କିଭଳି ମଜବୁତ୍ ହେବ ସେଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି।
କଂଗ୍ରେସ ମଧ୍ୟ ପଛରେ ପଡ଼ି ନାହିଁ। କଂଗ୍ରେସ ସରକାର ସମୟରେ ଗ୍ରାମାଞ୍ଚଳରେ କିଭଳି କାର୍ଯ୍ୟ କରାଯାଉଥିଲା ସେନେଇ ଲୋକଙ୍କୁ ଅବଗତ କରାଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦରଦାମ ବୃଦ୍ଧି, ଚାଷୀଙ୍କୁ ଅବହେଳା, ପଞ୍ଚାୟତର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ଏବେ ଲୋକଙ୍କୁ ବୁଝାଇବା ପାଇଁ ରଣନୀତି ଆରମ୍ଭ ହୋଇଛି। ଏଥିପାଇଁ ଜୋନ୍ସ୍ତରୀୟ ବୈଠକ କରାଯାଉଛି। ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଓ ନାରୀନେତ୍ରୀ ରଶ୍ମୀ ମହାପାତ୍ର ବିଭିନ୍ନ ପଞ୍ଚାୟତରେ କଂଗ୍ରେସ କର୍ମୀଙ୍କୁ ଭେଟିବା ମଧ୍ୟ ଆରମ୍ଭ କରିଛନ୍ତି। ଇତି ମଧ୍ୟରେ ଦଳ ଉତ୍ତର ଭୁବନେଶ୍ବରରେ ଦୁଇଟି ଓ ଏକାମ୍ର ଭୁବନେଶ୍ବରରେ ୩ଟି ବୈଠକ ଶେଷ କରିଛି। ଆଗାମୀ ଦିନରେ ପଞ୍ଚାୟତସ୍ତରରେ ଅଧିକରୁ ଅଧିକ ବୈଠକ କରାଯିବ ବୋଲି ଦଳର ଭୁବନେଶ୍ବର ଜିଲ୍ଲା ସଭାପତି ବିଶ୍ବଜିତ୍ ଦାଶ କହିଛନ୍ତି।