ଅଧିକାଂଶ ବାଇକ୍‌ର ‌‌ହୋଇନି ପ୍ରଦୂଷଣ ପ୍ରମାଣପତ୍ର ନବୀକରଣ : କିଣିବା ପରେ ଭୁଲିଯାଉଛନ୍ତି, ସ୍କୁଟି, ଲୁନାରେ ପ୍ରଦୂଷଣ ବେଶି

ଭୁବନେଶ୍ବର : ବାଇକ୍‌ ବା ଦୁଇଚକିଆ ଯାନର ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ଉପରେ ଗୁରୁତ୍ବ ଦିଆଯାଉଛି। କିଛି ଦିନ କୋହଳ କରାଯାଇଥିଲେ ମଧ୍ୟ ଖୁବ୍‌ଶୀଘ୍ର ପୁଣି ଥରେ ଯାଞ୍ଚ କଡ଼ାକଡ଼ି ହେବ। ପ୍ରଦୂଷଣ ପ୍ରମାଣପତ୍ର ବୈଧ ନ ଥିଲେ ଜରିମାନା ୧୦ ହଜାରର ବ୍ୟବସ୍ଥା ରହିଛି। ସଂଶୋଧିତ ମୋଟର ଯାନ ଆଇନରେ ଏଭଳି ମୋଟା ଅଙ୍କର ଜରିମାନାକୁ ନେଇ ତନାଘନା ହେବା ପରେ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଦୁଇଚକିଆ ଯାନର ଭିଡ଼ ଜମୁଛି। କିନ୍ତୁ ଏହି ପ୍ରଦୂଷଣ ବ୍ୟବସ୍ଥାର ବାସ୍ତବତା ଅନୁଧ୍ୟାନ କଲା ବେଳେ ଏକ ବିଚିତ୍ର ତଥ୍ୟ ପଦାକୁ ଆସିଛି। ନୂଆ ଗାଡ଼ି କିଣିବା ବେଳେ ‌‌ଯେଉଁ ପ୍ରଦୂଷଣ ପ୍ରମାଣପତ୍ର ମିଳିଥାଏ ତାକୁ ‌ଗାଡ଼ି ମାଲିକ ଆଉ ନବୀକରଣ କରୁ ନାହାନ୍ତି। ଅର୍ଥାତ୍‌ ବାଇକ୍‌ ବା ଦୁଇଚକିଆ ଯାନ କିଣିବା ପରେ ଚାଳକ ଏହି ପ୍ରଦୂଷଣ କଥା ଭୁଲି ଯାଉଛି।

୭୦ ସଂସ୍ଥାରୁ କାମ କରୁଛି ୧୨: ପ୍ରଦୂଷଣ ମାତ୍ରା ପରୀକ୍ଷା ପାଇଁ କାଗଜପତ୍ର ଅନୁଯାୟୀ ଭୁବନେଶ୍ବରର ଦୁଇଟି ଯାକ ଆରଟିଓ ଅଧୀନରେ ୭୦ରୁ ଊର୍ଦ୍ଧ୍ବ ସ୍ବୀକୃତିପ୍ରାପ୍ତ ସଂସ୍ଥା ରହିଛି। କିନ୍ତୁ ସେଥି ମଧ୍ୟରୁ ମାତ୍ର ୧୨ଟି କାମ କରୁଛି। ଫଳରେ ବାଇକ୍‌ ଚାଳକ ପାଇଁ ସମସ୍ୟା ହୋଇଛି।

ଫେଲ୍‌ ହେଲେ ଗାଡ଼ି କାମ କର: ଭଲଗାଡ଼ିର ପ୍ରଦୂଷଣ ମାତ୍ରା ୩.୫(ଅଙ୍ଗାରକାମ୍ଳ ସ୍ତର) ରହିବା କଥା। ଯଦି ଏହି ମାତ୍ରା ଏହାଠାରୁ ଅଧିକ ରୁହେ ତେବେ ‘ଟେଷ୍ଟ ରେଜଲ୍ଟ ଫେଲ’ ଆସେ। ଏହି ମାତ୍ରାରୁ କମ୍‌ ଥିଲେ ‘ଟେଷ୍ଟ ରେଜଲ୍ଟ ପାସ୍‌’ ଆସେ। ଯେଉଁ ଗୁଡ଼ିକ ଫେଲ୍‌ ରେଜଲ୍ଟ ଆସେ ସେଗୁଡ଼ିକ ମରାମତି କରି ପାସ୍‌ ପ୍ରମାଣପତ୍ର ସଂଗ୍ରହ କରିବାକୁ କୁହାଯାଇଥାଏ। ବିଶେଷତଃ ଗାଡ଼ିର କାର୍ବୋରେଟର ଖରାପ ଥିଲେ ଏହି ଅଙ୍ଗାରକାମ୍ଳ ସ୍ତର ଅଧିକ ଦେଖାଇ ଥାଏ। କାର୍ବୋରେଟର ମରାମତି କରିବା ପରେ ହିଁ ଠିକ୍ ହୋଇଥାଏ। କିନ୍ତୁ ଦେଖାଯାଉଛି, ଫେଲ୍‌ ମାରୁଥିବା ଗାଡ଼ି ଭିତରେ ସ୍କୁଟି ଓ ଲୁନା ସର୍ବାଧିକ ରହୁଛି। କାର୍ଯ୍ୟକ୍ଷମ ଥିବା ୧୨ଟି କେନ୍ଦ୍ରରୁ ଦିନକୁ ୧୫ରୁ ଊର୍ଦ୍ଧ୍ବ ଗାଡ଼ି ଏଭଳି ଫେଲ୍‌ ହେଉଥିବା କେନ୍ଦ୍ରଗୁଡ଼ିକରୁ ଜଣାପଡ଼ିଛି।

ଡିଜେଲ୍‌ ଗାଡ଼ିକୁ ୪୫୦!: ପ୍ରଦୂଷଣ ମାତ୍ରା ପରୀକ୍ଷା କରି ପ୍ରମାଣପତ୍ର ଦେବା ପାଇଁ ଦୁଇ ଓ ତିନିଚକିଆ ଯାନ ପାଇଁ ୬୦ ଟଙ୍କା ସରକାର ଧାର୍ଯ୍ୟ କରିଥିବା ବେଳେ ହାଲୁକା ଯାନ ପାଇଁ ଶହେ, ମଧ୍ୟମ ଓ ଭାରୀ ଯାନ ପାଇଁ ୧୫୦ ଟଙ୍କା ଧାର୍ଯ୍ୟ ହୋଇଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଅନେକ କେନ୍ଦ୍ରରେ ବି ଏବେ ଡିଜେଲ୍‌ ଗାଡ଼ିର ପରୀକ୍ଷା ହେଉନାହିଁ। ବିଭିନ୍ନ ବାହାନା କରି ଏହି ପରୀକ୍ଷା ବନ୍ଦ କରି ଦିଆଯାଉଛି। ଏଭଳି ସ୍ଥିତିରେ ମାତ୍ର ୩ଟି କେନ୍ଦ୍ର ଏହି ଡିଜେଲ୍‌ ଗାଡ଼ିର ପରୀକ୍ଷା କରୁଛନ୍ତି। ସେମାନେ ପୁଣି ଡିଜେଲ୍‌ ଗାଡ଼ି ପରୀକ୍ଷା ପାଇଁ ୪୫୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି।

ସଚେତନ କଲା ପରିବହନ ପ୍ରାଧିକରଣ: ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍‌(ଏଚ୍‌ଏସ୍‌ଆରପି)। ନୂଆ ଗାଡ଼ି କିଣିବା ବେଳେ ଡିଲର ହିଁ ଏହି ନମ୍ବର ପ୍ଲେଟ୍‌ ଲଗାଇ ଗାଡ଼ି ବିକ୍ରି କରିବ। ଏହି ନମ୍ବର ପ୍ଲେଟ୍‌ ବିନା ଗାଡ଼ି ବିକ୍ରି ହୋଇ ପାରିବ ନାହିଁ। ବିନା ଏଚ୍‌ଏସ୍‌ଆରପିରେ ଡିଲର ଗାଡ଼ି ବିକି ଦେଲେ ଉଭୟ ଡିଲର ଓ ଚାଳକ ଦଣ୍ଡିତ ହେବେ। ଡିଲରର ବ୍ୟବସାୟ ପ୍ରମାଣପତ୍ର ରଦ୍ଦ ହେବା ସହ ଚାଳକକୁ ୧୦ ହଜାର ଟଙ୍କା ଜରିମାନା ହେବାର ନିୟମ ରହିଛି। ଏଭଳି କଡ଼ା ବ୍ୟବସ୍ଥା ଥିଲେ ମଧ୍ୟ କେତେକ ଡିଲର ଖାଲି ଗାଡ଼ି ବିକ୍ରି କରି ଦେଉଛନ୍ତି। ଏଣୁ ଏଭଳି ନ କରିବା ପାଇଁ ଉଭୟ ଚାଳକ ଓ ଡିଲରଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ସ‌େଚତନ କରାଇଛି।

ସମ୍ବନ୍ଧିତ ଖବର