ପ୍ରଦୂଷଣ ପରୀକ୍ଷା ପାଇଁ ନାହିଁ ସରକାରୀ ବ୍ୟବସ୍ଥା : ଧାର୍ଯ୍ୟ ହେଲା ପରୀକ୍ଷା ଦର, ବାଇକ୍‌ ପାଇଁ ୬୦

୨୧ଲାଇସେନ୍ସପ୍ରାପ୍ତ ସଂସ୍ଥାରୁ ୬ ଯୋଗ୍ୟ, ‌ଦ୍ବୈତନଗରୀରୁ ୮ ଲକ୍ଷ ୧୬ ହଜାର ୫ଶହ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର : ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ପୁଲିସ ଓ ଏମ୍‌ଭିଆଇ ମୋଟା ଅଙ୍କର ଜରିମାନା କଷୁଛନ୍ତି। ଗୋଟିଏ ଗୋଟିଏ ଜରିମାନା ଇ-ଚାଲାଣ ଦେଖିଲେ ଅନ୍ୟ ଚାଳକଙ୍କ ହୋସ୍‌ ଉଡ଼ିଯାଉଛି। ଫଳରେ ଗାଡ଼ିର ସମସ୍ତ କାଗଜପତ୍ର ପ୍ରସ୍ତୁତ ରଖିବାକୁ ଲୋକେ ତତ୍ପର ହୋଇଛନ୍ତି। ତେବେ ଫିଟ୍‌ନେସ୍‌ ଓ ବାୟୁ/ଶବ୍ଦ ପ୍ରଦୂଷଣକୁ ଧ୍ୟାନ ଦେଉନଥିବା ଚାଳକ ଏବେ ଶହ ଶହ ସଂଖ୍ୟାରେ ପରୀକ୍ଷା କେନ୍ଦ୍ରରେ ଭିଡ଼ ଜମାଉଛନ୍ତି। ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି)ନ ଥିଲେ ୧୦ହଜାର ଟଙ୍କା ତଣ୍ଡ ଗଣିବାକୁ ଥିବାରୁ ଏପରି ସ୍ଥିତି ଦେଖା‌ଯାଉଛି। କିନ୍ତୁ ଏହି ପରୀକ୍ଷା କରି ପ୍ରମାଣପତ୍ର ପ୍ରଦାନ କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜଧାନୀରେ ୨୧ଟି ଘରୋଇ ସଂସ୍ଥା ଏହି ପରୀକ୍ଷା କରିବା ପାଇଁ ସ୍ବୀକୃତିପ୍ରାପ୍ତ ହୋଇଥିବା ବେଳେ ମାତ୍ର ୬ଟି ସଂସ୍ଥା ପ୍ରମାଣପତ୍ର ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଆଇଡି ଓ ପାସ୍‌ୱାର୍ଡ ପାଇଛନ୍ତି। ଏହାକୁ ନେଇ ଭୁବନେଶ୍ବରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ବାଣୀବିହାର ଓଭରବ୍ରିଜ୍‌ କଡ଼ରେ ଥିବା କେନ୍ଦ୍ରରେ ଆଜି ପାଖାପାଖି ୭୦ ବାଇକ୍‌କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ହାତବାନ୍ଧି ବସିଥିବା ବେଳେ ଆଜି ସବୁଠାରୁ ଅଧିକ ଭିଡ଼ ହୋଇଥିବା କହିଛନ୍ତି ଟେକ୍ନିସିଆନ ଜଗନ୍ନାଥ ପରିଡ଼ା। ସେ କହିଛନ୍ତି, କମ୍ପ୍ୟୁଟର, ପ୍ରିଣ୍ଟର, ପଲ୍ୟୁସନ ଟେଷ୍ଟିଂ ମେସିନ୍‌ ସହ ବ୍ୟାକ୍‌ଅପ୍‌ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦରମା ହିସାବ କଲେ ଏଥିରେ ପ୍ରାୟ ୭ଲକ୍ଷ ଟଙ୍କା ବିନିଯୋଗ ହେଉଛି। ସେହି ଅନୁପାତରେ ବେପାର ନ ହେଲେ କିଛି ଲାଭ ନାହିଁ। ବ୍ୟାଟେରି ବ୍ୟାକ୍‌ଅପ୍‌ ରହୁ ନଥିବାରୁ ଆଉ ଅଧିକା ପରୀକ୍ଷା କରାଯାଇ ପାରୁନାହିଁ।

ଅନ୍ୟପଟେ ୨୧ଟି ସଂସ୍ଥା ଲାଇସେନ୍ସ କରିଥିଲେ ମଧ୍ୟ ବେପାର ଆରମ୍ଭ କରୁନାହାନ୍ତି। ଫଳରେ ଗୋଟିଏ ଜାଗାରେ ଭିଡ଼ ହେଉଛି। ବାସ୍ତବରେ ଏତେ ଟଙ୍କା ବିନିଯୋଗ କରି ବ୍ୟବସ୍ଥା ଆରମ୍ଭ କରିବା ପରେ ବେପାର ନ ହେବା ଆଶଙ୍କା ଥିବାରୁ ଅନ୍ୟମାନେ ବେପାର ଆରମ୍ଭ କରୁନାହାନ୍ତି। କିନ୍ତୁ ଏବେ ଜରୁରି ଥିବାରୁ ଯେଉଁମାନେ ଲାଇସେନ୍ସ କରି ମଧ୍ୟ ପରୀକ୍ଷା କରୁନାହାନ୍ତି, ସେମାନଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ଆରଟିଓ-୧ ପ୍ରଦୀପ ମହାନ୍ତି। ସେ କହିଛନ୍ତି, ଲାଇସେନ୍ସ କରିବା ପରେ ସେମାନଙ୍କୁ ବିଭାଗ ପକ୍ଷରୁ ଏକ ଆଇଡି ଓ ପାସ୍‌ୱାର୍ଡ ପ୍ରଦାନ କରାଯାଇଥାଏ। ଫଳରେ ଯେଉଁ ବାଇକ୍‌ ବା ଗାଡ଼ିର ପରୀକ୍ଷା କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଏ ତାହାର ସୂଚନା ତତ୍‌କ୍ଷଣାତ୍‌ ବିଭାଗକୁ ଆସି ଯାଇଥାଏ। ଅଳ୍ପସଂଖ୍ୟକ କେନ୍ଦ୍ର ପର୍ଯ୍ୟାପ୍ତ ହେଉନଥିବାରୁ ଅନ୍ୟମାନଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

ସେହିଭଳି ଏହି ପରୀକ୍ଷା ପାଇଁ ଦର ଧାର୍ଯ୍ୟ ହୋଇଛି। ସରକାରୀ ଧାର୍ଯ୍ୟ ଦରଠାରୁ କୌଣସି ପରୀକ୍ଷା କେନ୍ଦ୍ର ଅଧିକ ଟଙ୍କା ନେଇ ପାରିବେ ନାହିଁ ବୋଲି କହିଛନ୍ତି ଆରଟିଓ-୨ ସଞ୍ଜୟ ବେହେରା। ସରକାରୀ ଧାର୍ଯ୍ୟ ଦର ମୁତାବକ, ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ପାଇଁ ଦୁଇ ଓ ତିନିଚକିଆ ଚାଳକଙ୍କୁ ୬୦ ଟଙ୍କା ଦେବାକୁ ଥିବା ବେଳେ ହାଲୁକା ଯାନ ପାଇଁ ୧ଶହ ଓ ମଧ୍ୟ ଓ ଭାରୀଯାନ ପାଇଁ ୧୫୦ ଟଙ୍କା ଦେବାକୁ ପଡ଼ିବ। ଏଥିରୁ ଅଧିକ ନେଲେ ଆଇନ ଅନୁଯାୟୀ ପରୀକ୍ଷା କେନ୍ଦ୍ରର ଟେକ୍ନିସିଆନ୍‌ ଦଣ୍ଡିତ ହେବେ।

ଆଜି ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରି ଭୁବନେଶ୍ୱରରେ ୧୬୪ଜଣ ଧରାପଡ଼ିଥିବା ବେଳେ ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। କଟକ ଓ ଭୁବନେଶ୍ୱରରେ ମୋଟ ୧୧୫୪ଜଣ ଧରାପଡ଼ିଥିଲେ। ସେମାନଙ୍କଠାରୁ ୮ଲକ୍ଷ ୧୬ ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି।

ସମ୍ବନ୍ଧିତ ଖବର