ଭୁବନେଶ୍ୱର: ଏକଦା ଜୀବନ ଯାପନର ଆଧାର ପାଲଟିଥିବା ନଦୀଙ୍କ ମଧ୍ୟରୁ ଅନେକ ମରି ଗଲେଣି। ଯାହା ଅଛି, ସେଥିରୁ ଅଧିକାଂଶର ଜଳ ପ୍ରଦୂଷିତ। ଏହି ପ୍ରଦୂଷିତ ଜଳ ବିଭିନ୍ନ ରୋଗ ଜରିଆରେ ନଦୀ ଅବବାହିକାରେ ବସବାସ କରୁଥିବା‌ ଲୋକଙ୍କ ଜୀବନ ନେବାକୁ ବସିଲାଣି। ଅତ୍ୟଧିକ ବାଲି ଖନନ, ଶିଳ୍ପ, ସହର ଆବର୍ଜନା, ବ୍ୟାପକ ଜଙ୍ଗଲ ନଷ୍ଟ, ପରିବେଶ ଅସନ୍ତୁଳନ, ନଦୀ ପ୍ରବାହ ଅବରୋଧ ଆଦି ପ୍ରସଙ୍ଗ ଗୁରୁତର ଭାବେ ଜନଜୀବନକୁ ପ୍ରଭାବିତ କରିବାରେ ଲାଗିଛି। ବେଳହୁଁ ସାବଧାନ ନ ହେଲେ ଏହା ଭୟଙ୍କର ରୂପ ନେବ। ଏହିସବୁ ଗୁରୁତ୍ୱପୂର୍ଣ ପ୍ରସଙ୍ଗକୁ ନେଇ ମାନସମନ୍ଥନ ହୋଇଛି। ଆଜି ଲୋହିଆ ଏକାଡେମିରେ ନଦୀ ସୁରକ୍ଷା ସମିତି, ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ମଞ୍ଚର ମିଳିତ ଉଦ୍ୟମରେ ରାଜ୍ୟର ନଦୀମାନଙ୍କ ସମସ୍ୟା ସମାଧାନ ଓ ସୁରକ୍ଷା ସମ୍ପର୍କିତ ଆଲୋଚନା ହେବା ସହିତ ରାଜ୍ୟପାଳଙ୍କୁ ଏହି ମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Advertisment

ସଭାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାନ କରିଥିଲେ। ପ୍ରଦୂଷିତ ନଦୀଜଳ ବର୍ତମାନ ପାଇଁ ମାନବ ସମାଜର ଜୀବନ ଜୀବିକାକୁ ପ୍ରଭାବିତ କରିଥିବା ବେଳେ ଜଳଜୀବଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଛି। ସହରର ବର୍ଜ୍ୟଜଳ, ଶିଳ୍ପରୁ ନିର୍ଗତ ବିଷାକ୍ତ ପଦାର୍ଥ, ଖଣି ଖାଦାନର ବର୍ଜ୍ୟବସ୍ତୁ ନଦୀଜଳକୁ ଭୟଙ୍କର ଭାବରେ ପ୍ରଭାବିତ କରିଛି। ଯେଉଁମାନେ ଏହି ପରିସ୍ଥିତି ପାଇଁ ଦାୟୀ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ନଦୀଶଯ୍ୟାରେ ବେଆଇନ ନିର୍ମାଣ, ଅନାବଶ୍ୟକ ପ୍ରକଳ୍ପ ପ୍ରତିଷ୍ଠା ଯୋଗୁଁ ନଦୀର ପ୍ରାକୃତିକ ପ୍ରବାହରେ ବାଧା ସୃଷ୍ଟି ହେଉଥିବାରୁ ଜବରଦଖଲ ଉଚ୍ଛେଦ କରିବାକୁ ଦାବି ହୋଇଛି। ଅସ୍ୱାଭାବିକ ବର୍ଷାର ସମୟ, ବର୍ଷାଜଳର ପରିମାଣ ଆଦିକୁ ଅନୁଧ୍ୟାନ କରି ପ୍ରକଳ୍ପ ଅନୁମୋଦନ ପାଇଁ ବ୍ୟବସ୍ଥା କରିବା ଓ ନଦୀର ପ୍ରାକୃତିକ ଓ ବିଶୁଦ୍ଧ ଜଳ ପ୍ରବାହ ପାଇଁ ବ୍ୟବସ୍ଥା କରିବାକୁ ସଂଗଠନମାନେ ପ୍ରସ୍ତାବ ଦେଇଛନ୍ତି। ସେହିଭଳି ବାଲି ଖନନ ଦ୍ୱାରା ନଦୀ ଶଯ୍ୟାରେ ଗଭୀର ଗର୍ତ୍ତ ଯୋଗୁଁ ଅଣମୌସୁମୀରେ ଜଳ ପ୍ରବାହରେ ବିଚ୍ୟୁତି ହେଉଛି, ଯାହା ଫଳରେ ନଦୀ ଶଯ୍ୟାରେ ଋତୁକାଳୀନ ଫସଲ, ପନିପରିବା, ଫଳ ଅମଳ କରି ନଦୀ ଅବବାହିକାରେ ବଞ୍ଚୁଥିବା ଅନେକ କ୍ଷୁଦ୍ରଚାଷୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସରକାର ଗଚ୍ଛିତ ବାଲିର ଆକଳନ କରି ଖନନକୁ ଅନୁମତି ପ୍ରଦାନ କରି ବେଆଇନ ବାଲି ଖନନ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି। ନଦୀ ଅବବାହିକରେ ଚାଷଜମିର ଅବକ୍ଷୟ ହେଉଛି।

ଗୃହପଯୋଗୀ ଜମି ନଦୀଶଯ୍ୟାରେ ଲୀନ ହୋଇଯାଉଛି। ଏଥିରେ କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରକଳ୍ପ ନିର୍ମାଣ ପୂର୍ବରୁ କୂଳରେ ରହୁଥିବା ଜନସାଧାରଣଙ୍କ ସହମତି ନିଆଯାଉ। ସରକାର ନଦୀ ଅବବାହିକାର ଗୋଷ୍ଠୀଗତ ସମସ୍ୟାକୁ ବିଚାର କରି ପ୍ରକଳ୍ପ ଓ ଜଳର ବ୍ୟାବହାରିକ ବଣ୍ଟନ ନିଷ୍ପତି ନେବା ଉଚିତ ବୋଲି ଆଲୋଚନା ହୋଇଛି। ସରକାର ଛୋଟ ବଡ଼ ସବୁନଦୀକୁ ନାଳ ଆଖ୍ୟା ନଦେଇ ନଦୀର ମାନ୍ୟତା ପ୍ରଦାନ କରନ୍ତୁ ଓ ଡ୍ରେନେଜ ବିଭାଗ ଅଧୀନରୁ ସେହିସବୁ ନଦୀକୁ ହଟାଇ ଜଳସମ୍ପଦ ବିଭାଗକୁ ଆଣନ୍ତୁ। ଶୁଖି ଯାଇଥିବା ନଦୀଗୁଡ଼ିକର ପୁନରୁଦ୍ଧାର କରାଯାଉ। ଆଲୋଚନାରେ ଏହିସବୁ ପ୍ରସ୍ତାବ ଆସିବା ପରେ ନଦୀଗୁଡ଼ିକର ସମସ୍ୟା ସମାଧାନ ଓ ନଦୀର ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ନଦୀ ସୁରକ୍ଷା ସମିତିର ଅଧ୍ୟକ୍ଷ ଅଶ୍ୱିନୀ ମହାପାତ୍ର, ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ଦୟା ବଞ୍ଚାଅ ଆନ୍ଦୋଳନ ଆବାହକ ସଚ୍ଚିକାନ୍ତ ପ୍ରଧାନ, ହାଁସନାଥ ସାହୁ, ବ୍ରତୀନ୍ଦି ଜେନା, ଶୁଭ୍ରାଂଶୁ ରାୟ, ଅକ୍ଷୟ ଦାସ, ଉମା ଶଙ୍କର ମହାନ୍ତି ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟିଛି।