ଭୁବନେଶ୍ବର(ବିଶ୍ବଜିତ ଦାଶ): ଜାତୀୟ ସ୍ତରରେ ହେଉଥିବା ବିଭିନ୍ନ ସର୍ଭେେର ଭୁବନେଶ୍ବର ରହିବା ପାଇଁ ସବୁଠୁ ଭଲ ବାସୋପଯୋଗୀ ସହର ମାନ୍ୟତା ପାଇଛି। କିନ୍ତୁ ଏଠାକାର ବାୟୁ ପ୍ରଦୂଷଣ ମାତ୍ରାକୁ ଯଦି ହିସାବକୁ ନିଆଯାଏ, ଭୁବନେଶ୍ବର ଦେଶର ଅଗ୍ରଣୀ ପ୍ରଦୂଷିତ ସହର ତାଲିକାରେ ରହିବ। ଏଠାରେ ଯିଏ ରହିବ, ତାର ଆୟୁଷ କମିଯିବ। ରାଜଧାନୀବାସୀ ଏବେ ପ୍ରଶ୍ବାସରେ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତାହାଠାରୁ ଢେର୍ ଅଧିକ ସଲ୍ଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ ଡାଇଅକ୍ସାଇଡ୍, ଓଜୋନ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଏବଂ ବିଷାକ୍ତ ଧୂଳିକଣାକୁ ନେଉଛନ୍ତି। ଆଉ ଏହା ହିଁ କମ୍ ଦିନରେ ହୃଦ୍ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍ଫୁସ୍ କର୍କଟ, ଯକ୍ଷ୍ମା, ଆଜ୍ମାରେ ରାଜଧାନୀବାସୀଙ୍କୁ ମାରିଦେଉଛି। ପ୍ରତି ମୁହୂର୍ତ୍ତରେ ଆୟୁଷ କମି କମି ଯାଉଛି। ରାଜଧାନୀରେ ବହୁଥିବା ପବନ ବିଷାକ୍ତ ହୋଇଗଲାଣି। ଯିଏ ଯେତେ ଅଧିକ ପ୍ରାକୃତିକ ବାୟୁ ଶରୀରକୁ ନେବ, ମୃତ୍ୟୁ ସେତେ ଶୀଘ୍ର ତାକୁ ମାଡ଼ି ବସିବ।
ରାଜଧାନୀର ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ି ବଢ଼ି ଚାଲିଥିବା ବେଳେ ନା ସରକାରଙ୍କ ଏଥିପ୍ରତି ନିଘା ଅଛି ନା ରାଜଧାନୀବାସୀ ଏନେଇ ଚିନ୍ତିତ ଅଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ପୂରା ବେଫିକର। ବାୟୁ ପ୍ରଦୂଷଣ ରୂପୀ ନିରବ ମୃତ୍ୟୁ ଏବେ ରାଜଧାନୀର ଗଳିକନ୍ଦିରେ କାୟା ମେଲାଇଲାଣି। ପ୍ରତିବର୍ଷ ଏଥିରେ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି । ରାଜଧାନୀର ସ୍ଥିତି ଏପରି ହୋଇଛି ଯେ ଦିନକୁ ଦିନ ଥଣ୍ଡା ଓ କାଶ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୀର୍ଘ ଦିନ ଧରି ଏହା ଲାଗି ରହୁଥିବା ବେେଳେ ଲୋକ ଏହାକୁ ସାଧାରଣ ରୋଗ ଭାବି ତୁରନ୍ତ ଚିକିତ୍ସା କରୁନାହାନ୍ତି। କିନ୍ତୁ ଏହା ଜୀବନ ନେବାରେ ଲାଗିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ପ୍ରଦୂଷଣ ମାପକ ଯନ୍ତ୍ରରୁ ଜଣାପଡ଼ିଛି ଯେ ଖଣ୍ଡଗିରି, ମଞ୍ଚେଶ୍ବର, କିଟ୍ ଛକ, ୟୁନିଟ-୮ ଡିଏଭି ଛକ, ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳ, ସହିଦ ନଗର, ଇନଫୋସିଟି ଅଞ୍ଚଳ ସମେତ ପୁରୁଣା ଭୁବନେଶ୍ବରରେ ପ୍ରଦୂଷଣ ସ୍ଥିତି ସାଂଘାତିକ। ସବୁଠୁ ଅଧିକ ବିପଜ୍ଜନକ ରହିଛି ଖଣ୍ଡଗିରି, ଇନଫୋସିଟି, ମେଞ୍ଚଶ୍ବର, କିଟ୍ ଛକ। ଏହି ସ୍ଥାନରେ ବାୟୁର ଗୁଣାତ୍ମକ ସୂଚକାଙ୍କ (ଏକ୍ୟୁଆଇ) ଦୈନିକ ହାରାହାରି ୫୦୦ ଛୁଉଁଛି। ଏପରିକି ଅଧିକାଂଶ ଦିନ ଏହା ୧୦୦୦ରୁ ୧୨୦୦ ବି ରହୁଛି। ଯେତେବେଳେ କି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହୁଛି ଏକ୍ୟୁଆଇ ୫୦ ଭିତରେ ରହିବା ଦରକାର। ଯାହା ରାଜଧାନୀର ଗୋଟିଏ ବି ସ୍ଥାନରେ କୌଣସି ଦିନ ନାହିଁ। ରାଜଧାନୀରେ ପିଏମ୍ ୨.୫ (୨.୫ ମାଇକ୍ରୋମିଟରର ଧୂଳିକଣା) ଏବଂ ପିଏମ୍ ୧୦ ମାତ୍ରା ବହୁ ସ୍ଥାନରେ ହଜାରେ ପାଖାପାଖି ରହିଥିବାରୁ ଏହା ବିପଜ୍ଜନକ ସାଜିଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଏବେ ୧୦ଟି ସ୍ଥାନରେ ପ୍ରଦୂଷଣ ମାପିବା ପାଇଁ ଡିଜିଟାଲ ବୋର୍ଡ ଲାଗିଥିବା ବେଳେ ଏଥିରେ ରେକର୍ଡ ହୋଇଥିବା ସୂଚନା ଅନୁଯାୟୀ, ଖଣ୍ଡଗିରି, କଳିଙ୍ଗ ହସ୍ପିଟାଲ, ରିଜିଓନାଲ ପ୍ଲାଣ୍ଟ, ୟୁନିଟ-୮ ଡିଏଭି, ମାଷ୍ଟରକ୍ୟାଣ୍ଟିନ, ରମାଦେବୀ, ଇନଫୋସିଟି, କିଟ୍ ଛକ, ଲିଙ୍ଗରାଜ ମନ୍ଦିର ଏବଂ ମଞ୍ଚେଶ୍ବରରେ ସଲ୍ଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ ଡାଇଅକ୍ସାଇଡ୍, ଓଜୋନ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍. ପିଏମ୍ ୨.୫ ଏବଂ ପିଏମ୍ ୧୦ ମାତ୍ରା ବହୁତ ଅଧିକ। କିନ୍ତୁ ଏହା ପ୍ରତ୍ୟେକ ଦିନ ସମାନ ରହୁନି। କେତେବେଳେ ପୂର୍ବାହ୍ନରେ ତ କେତେବେଳେ ସଂଧ୍ୟାରେ ପ୍ରଦୂଷଣ ମାତ୍ରା ଅଧିକ ରହୁଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀର ପ୍ରଦୂଷଣ ମାତ୍ରା ଚିନ୍ତାଜନକ ହୋଇଥିବା ବେଳେ ଏହା କିପରି ନିୟନ୍ତ୍ରଣାଧୀନ ହେବ, ସେଥିପାଇଁ ଆମେ ଏବେ ରାଜଧାନୀର ୧୦ଟି ପ୍ରମୁଖ ଅଞ୍ଚଳର ପ୍ରଦୂଷଣ ମାତ୍ରା ରେକର୍ଡ କରୁଛୁ। ଏହାପରେ ବାୟୁ ପ୍ରଦୂଷଣେର କେଉଁ ପାରାମିଟର ଅଧିକ ରହୁଛି ତାହାର ବିଶ୍ଲେଷଣ କରିବା ପରେ ତାହା କିପରି କମିବ, ପଦକ୍ଷେପ ନେବୁ।
୮.୧% ମୃତ୍ୟୁର କାରଣ ବାୟୁ ପ୍ରଦୂଷଣ
ଓଡ଼ିଶା: ଡିଜିଜ୍ ବର୍ଡନ ପ୍ରୋଫାଇଲ୍ ତଥ୍ୟ ଅନୁଯାୟୀ, ୨୦୧୬ ମସିହା ସୁଦ୍ଧା ସାରା ରାଜ୍ୟରେ ଯେତିକି ଲୋକଙ୍କର ମୃତ୍ୟୁ ହେଉଛି ସେଥିରୁ ୮.୧% ଲୋକଙ୍କ ମୃତ୍ୟୁର କାରଣ ବାୟୁ ପ୍ରଦୂଷଣ ସାଜିଛି। ଯାହା ଅପପୃଷ୍ଟି ଜନିତ ମୃତ୍ୟୁ ପେର ରାଜ୍ୟରେ ଦ୍ବିତୀୟ ସର୍ବାଧିକ। ଅପରପକ୍ଷେ ହୃଦଘାତରେ ୫.୮%, ୪.୫% ହୃଦରୋଗ ଜନିତ, ଶ୍ବାସକ୍ରିୟାଜନିତ ରୋଗରେ ୪%, ଟିବିରେ ୩.୫% ଲୋକଙ୍କର ମୃତ୍ୟୁ ହେଉଛି। ଆଉ ଏହି ସବୁ ରୋଗ ସୃଷ୍ଟି ହେବାରେ ହିଁ ବାୟୁ ପ୍ରଦୂଷଣ ପ୍ରମୁଖ ଭୂମିକା ସାଜିଛି।