ରିପୋର୍ଟ ପରେ ଚେତିଲେ, ବାଇକ୍‌ ପାଇଁ କୋହଳ କଲେ ପ୍ରଦୂଷଣ ଯାଞ୍ଚ

ଲାଇସେନ୍ସପ୍ରାପ୍ତ ସଂସ୍ଥାକୁ ତାଗିଦ୍‌; ଭିତ୍ତିଭୂମି ପ୍ରସ୍ତୁତି ପରେ କଡ଼ାକଡ଼ି

ଭୁବନେଶ୍ୱର: ଆବଶ୍ୟକ ଭିତ୍ତଭୂମି ଉପଲବ୍ଧ ନଥିବାରୁ ଚାଳକଙ୍କ ପାଇଁ ଚଢ଼ଉ ମହଙ୍ଗା ପଡ଼ିବାକୁ ଯାଉଛି। ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବା ସହ ପ୍ରବଳ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚାଳକ ସମସ୍ତ କାଗଜପତ୍ର ପ୍ରସ୍ତୁତ ରଖିବା ପାଇଁ ଚାହୁଁଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ସମ୍ଭବ ହେଉ ନାହିଁ। ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ପ୍ରଦାନ କରିବାକୁ କୌଣସି ସରକାରୀ ବ୍ୟବସ୍ଥା ନଥିବା ବେଳେ ଘରୋଇ ସଂସ୍ଥା ମଧ୍ୟ ପର୍ଯ୍ୟାପ୍ତ ନଥିବା ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ତନାଘନା ହୋଇଛି। ଆଜି ପୂର୍ବାହ୍ନରେ ଟ୍ରାଫିକ୍‌ ଅତିରିକ୍ତ ଡିସିପି ଅମରେଶ ପଣ୍ଡା ଆରଟିଓ-୧ ପ୍ରଦୀପ ମହାନ୍ତିଙ୍କ ସହ ଆଲୋଚନା କରିଛନ୍ତି। ଦୀର୍ଘ ଏକ ଘଣ୍ଟାର ଆଲୋଚନା ପରେ ଏହି ପିୟୁସିସି ଉଲ୍ଲଂଘନକୁ କଟକଣାକୁ କୋହଳ କରାଯାଇଛି। ଭିତ୍ତିଭୂମି ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ବା ପ୍ରଦୂଷଣ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ନ କରିବା ପର୍ଯ୍ୟନ୍ତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନ ଥିଲେ ମୋଟା ଅଙ୍କର ଜରିମାନା କଷା ଯିବ ନାହିଁ ବୋଲି ଅତିରିକ୍ତ ଡିସିପି ଶ୍ରୀ ପଣ୍ଡା କହିଛନ୍ତି।

ସୂଚନା ମୁତାବକ, ଆଜି ପୂର୍ବାହ୍ନରେ ଅତିରିକ୍ତ ଟ୍ରାଫିକ ଡିସିପି ଶ୍ରୀ ପଣ୍ଡା ଆରଟିଓ-୧ ପ୍ରଦୀପ ମହାନ୍ତିଙ୍କ ଚାମ୍ବରକୁ ଯାଇ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ। କେଉଁମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି? କାହିଁକି ସେମାନେ ପ୍ରମାଣପତ୍ର ପ୍ରଦାନ କରୁ ନାହାନ୍ତି? କେତେ ଦିନ ମଧ୍ୟରେ ଭିତ୍ତିଭୂମି ପ୍ରସ୍ତୁତ ହୋଇ ପାରିବ? ଏ ସବୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଏହି ପିୟୁସିସି ଉଲ୍ଲଂଘନକାରୀକୁ ନୂଆ ଆଇନ ମୁତାବକ ୧୦ ହଜାର ଟଙ୍କା ଜରିମାନା ରହିଛି। ଅନ୍ୟପଟେ ଅନେକ ଭାରୀଯାନର ମଧ୍ୟ ପିୟୁସିସି ନଥିବା ଜଣାପଡ଼ିଛି। ଚଢ଼ଉ ସହ ମୋଟା ଅଙ୍କର ଜରିମାନା ଦେଖି ସେମାନଙ୍କର ମଧ୍ୟ ନିଦ ହଜିଛି। ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅନ୍ୟାନ୍ୟ ସଂସ୍ଥାର ଏକାଧିକ ବସ୍‌, ଟ୍ରକ୍‌ ଓ ଅଟୋ ରହିଛି। ବିଶେଷ କରି ବଡ଼ ବଡ଼ ଘରୋଇ ଶିକ୍ଷାନୁଷ୍ଠାନର ସ୍କୁଲ ଓ କଲେଜ୍‌ ବସ୍‌ଗୁଡ଼ିକର ପିୟୁସିସି ଅପ୍‌ଡେଟ୍‌ ପାଇଁ ମାଲିକମାନେ ତତ୍ପର ହୋଇଛନ୍ତି। କିନ୍ତୁ ଏହି ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବାରୁ ସେମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

ଆରଟିଓ-୧ ଅଞ୍ଚଳରେ ୨୧ ଜଣଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ସ୍ବୀକୃତି ଦିଆଯାଇଥିବା ବେଳେ ମାତ୍ର ୬ ଜଣ ପ୍ରମାଣପତ୍ର ଯୋଗାଇବା ପାଇଁ ଯୋଗ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ଭୁବନେଶ୍ବରରେ ୪ଟି ଥିବା ବେଳେ ଖୋର୍ଦ୍ଧାରେ ୨ଟି ରହିଛି। ସେହିଭଳି ଆରଟିଓ-୨ ଅଧୀନରେ ୩୨ ଜଣ ସ୍ବୀକୃତି ପାଇଥିବା ବେଳେ ମାତ୍ର ୭ଟି ଯୋଗ୍ୟ ଅଛନ୍ତି। କୌତୁହଳପ୍ରଦ ହେଉଛି ଯୋଗ୍ୟ ସଂସ୍ଥାମାନଙ୍କ ମଧ୍ୟରୁ ମଧ୍ୟ ସମସ୍ତେ ଏହି ପରୀକ୍ଷା କରୁନାହାନ୍ତି। ଏଣୁ ବୈଧ ସଂସ୍ଥାମାନଙ୍କର ତାଲିକା ରହିଥିଲେ ମଧ୍ୟ କିଏ କେଉଁଠି ପରୀକ୍ଷା କରୁଛି ତାହାର ହିସାବ ମଧ୍ୟ ଆରଟିଓମାନଙ୍କ ପାଖ‌ରେ ନାହିଁ। କେତେକ ସ୍ବୀକୃତି ଥାଇ ମଧ୍ୟ ଅନ୍‌ଲାଇନ୍‌ ଜରିଆରେ ପ୍ରମାଣପତ୍ର ଦେଇ ପାରୁନଥିବାରୁ ଚଢ଼ଉ ଭୟରେ ସେମାନେ ବଜାରରୁ ଉଭାନ୍‌ ହୋଇ ଯାଇଛନ୍ତି। ଫଳରେ ଆଜି ଶତାଧିକ ବାଇକ୍‌ ଚାଳକ ଏହି ସବୁ ସ୍ବୀକୃତିପ୍ରାପ୍ତ ସଂସ୍ଥାମାନଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଛନ୍ତି। ତେବେ ଏହା କଡ଼ାକଡ଼ି ନଥିବାରୁ ଛାନିଆ ନ ହେବା ପାଇଁ ଆରଟିଓଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର