ଡମ୍ପିଂୟାର୍ଡରେ ନିଆଁ : ବିଏମ୍‌ସିକୁ ୨୫ହଜାର ଜରିମାନା

ଭୁବନେଶ୍ୱର : ଭୁଆସୁଣି ଡମ୍ପିଂୟାର୍ଡରେ ଲାଗିଥିବା ନିଆଁ ନ ଲିଭିବା ବିଏମ୍‌ସି ପାଇଁ ମହଙ୍ଗା ପଡ଼ିଛି। ନିଆଁ ଲିଭାଇବା ନେଇ ବିଏମ୍‌ସି ଆବଶ୍ୟକ ପଦକ୍ଷେପ ନ ନେବାରୁ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦ୍‌ ସତ୍ତ୍ୱେ ବିଏମ୍‌ସି ନିଆଁ ଲିଭାଇବାରେ ବିଫଳ ହେବାରୁ ବିଏମ୍‌ସିକୁ ୨୫ହଜାର ଟଙ୍କା ଜରିମାନା ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗତ ୯ତାରିଖରେ ଏହି ଜରିମାନା ନୋଟିସ୍‌ ଜାରି ହୋଇଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ ବିଏମ୍‌ସି କମିସନର କ୍ରିଷନ କୁମାରଙ୍କୁ ଚିଠି ଲେଖିଛନ୍ତି ଯେ, ଭୁଆସୁଣୀରେ ବିଏମ୍‌ସି କରିଥିବା ଡମ୍ପିଂୟାର୍ଡରେ ନିଆଁ ଲାଗିବା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଫେବ୍ରୁଆରି ୬ତାରିଖରେ ଏହାର ଅନୁଧ୍ୟାନ କରାଯାଇଥିଲା। ଖୋଲା ଡମ୍ପିଂୟାର୍ଡରେ ନିଆଁ ଲାଗିଥିବାରୁ ଏହାକୁ ତୁରନ୍ତ ଲିଭାଇବାକୁ କୁହାଯାଇଥିଲା। କିନ୍ତୁ ତିନି ଦିନ ପରେ ବି ନିଆଁ ଲିଭିଲାନି। ନିଆଁକୁ ଆୟତ୍ତ କରିବା ପାଇଁ ବି ଆବଶ୍ୟକ ପଦକ୍ଷେପ ନିଆଗଲାନି। ତେଣୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୫ହଜାର ଟଙ୍କା ଜରିମାନା ସଂଗ୍ରହ ହେବ। ଶୀଘ୍ର ଏହି ଜରିମାନା ଜମା କରିବାକୁ ଶ୍ରୀ ପାଣିଗ୍ରାହୀ ଚିଠିରେ ଲେଖିଛନ୍ତି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି ଯେ, ଡମ୍ପିଂୟାର୍ଡରେ ନିଆଁ ୮ତାରିଖ ଦିନ ଲିଭି ଯାଇଥିଲା। ଏପରିକି ଏଠାରେ ବିଏମ୍‌ସି ନିଆଁ ଲଗାଇନି। କେତେକ ଜରିଗୋଟାଳି ଜଳନ୍ତା ବିଡ଼ି ପକାଇ ଦେବାରୁ ନିଆଁ ଲାଗିଥିଲା। ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରାଯାଇଛି। ତେଣୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କରିଥିବା ଜରିମାନା ନୋଟିସ୍‌ ତର୍ଜମା କରାଯିବ। ଏହାପରେ ଜରିମାନା ଦିଆଯିବ କି ଆଲୋଚନା କରି ଏହାକୁ ପ୍ରତ୍ୟାହାର କରିବାକୁ କୁହାଯିବ ସେନେଇ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର