ଭୁବନେଶ୍ବର(ଦେବାଶିଷ ପଣ୍ଡା): ପଞ୍ଜାବ-ହରିୟାଣା ଭଳି ରାଜ୍ୟର ଚାଷୀ କ୍ଷେତରେ ପାଳ ପୋଡ଼ି ଦେଉଥିବାରୁ ତା’ ଦଶା ରାଜଧାନୀ ଦିଲ୍ଲୀକୁ ଭୋଗିବାକୁ ପଡ଼ୁଛି। ଦିଲ୍ଲୀର କଳକାରଖାନା, ନିର୍ମାଣ କାର୍ଯ୍ୟ, ଗାଡ଼ି ମୋଟର ଧୂଆଁ ସାଙ୍ଗକୁ ଏ ଧୂଆଁ ମିଶି ଯିବାରୁ ପୂରା ସହର ଗ୍ୟାସ୍‌ ଚାମ୍ବରରେ ପରିଣତ ହୋଇଯାଉଛି। ଦିନକରେ ୮ଟି ସିଗାରେଟ୍‌ ଟାଣିବା ସହ ଏହି ପ୍ରଦୂଷିତ ବାୟୁ ଗ୍ରହଣ କରିବା ସମାନ ବୋଲି ଏଇ କିଛି ବର୍ଷ ତଳେ ପ୍ରକାଶ ପାଇଥିବା ଏକ ରିପୋର୍ଟ ପୂରା ଦେଶ ପାଇଁ ଚିନ୍ତାର କାରଣ ହୋଇଥିଲା। କିନ୍ତୁ ଦିଲ୍ଲୀ ଭଳି ଜନସଂଖ୍ୟା, କଳକାରଖାନା, ଗାଡ଼ି ମୋଟର କିମ୍ବା ପଞ୍ଜାବ-ହରିୟାଣା ଭଳି ପାଳ ପୋଡ଼ି ଭଳି ଘଟଣା ଦେଖା ଯାଉ ନଥିବା ଭୁବନେଶ୍ବର ବି ଆଗାମୀ ଦିନରେ ଏ ଦୁର୍ଦ୍ଦଶା ଭୋଗିବାକୁ ଯାଉଛି। ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କର ଗତ ୮ ବର୍ଷର କ୍ରମାଗତ ବୃଦ୍ଧି ଧାରାକୁ ଦେଖି ପରିବେଶବିତ୍‌ମାନ ଏପରି ଚେତାବନୀ ଦେଲେଣି।

Advertisment

ଜନଜୀବନ ଅସ୍ତବ୍ୟସ୍ତ, ଆଗକୁ ରହିପାରିବେନି
ସବୁ ଜାଣି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚୁପ୍‌, ସରକାରଙ୍କ ନିଘା ନାହିଁ
ରାଜଧାନୀ ପାଗ କ୍ୟାନସର୍‌ ଅନୁକୂଳ: ବିଶେଷଜ୍ଞ
୨୦୧୫ରେ ଏକ୍ୟୁଆଇ ୮୩, ୨୦୨୨ରେ ୧୧୦

ସାଧାରଣତଃ ଏକ୍ୟୁଆଇ ୫୦ କିମ୍ବା ଏହା ତଳକୁ ରହିଲେ ତାହାକୁ ଭଲ(ଗୁଡ୍‌) ବୋଲି ବିବେଚନା କରାଯାଇଥାଏ। ସେହିପରି ଏହି ସୂଚକାଙ୍କ ୫୧ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ (ସାଟିସ୍‌ଫ୍ୟାକ୍ଟୋରି), ୧୦୧ରୁ ୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର (ମଡରେଟ୍‌), ୨୦୧ରୁ ୩୦୦ ମଧ୍ୟରେ ରହିଲେ, ତାହାକୁ ସାଂଘାତିକ (ପୁଅର୍‌), ୩୦୧-୪୦୦ ମଧ୍ୟରେ ରହିଲେ ଅତି ସାଂଘାତିକ (ଭେରି ପୁଅର୍‌) ବୋଲି ଧରାଯାଏ। ଏହା ଉପରକୁ ଅର୍ଥାତ୍‌ ୪୦୧-୫୦୦ ମଧ୍ୟରେ ରହିଲେ, ମଣିଷ ଓ ଜୀବଜଗତ ତିଷ୍ଠିବା ଅସମ୍ଭବ ହୋଇପଡ଼ିବ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାୟୁ ଗୁଣବତ୍ତା ସୂଚକାଙ୍କକୁ ନେଇ ଏହି ବର୍ଗୀକରଣ ଉପରେ ଆଖି ପକାଇଲେ ଜଣାପଡ଼ୁଛି ଯେ ଗତ ୮ ବର୍ଷ ହେଲାଣି ଭୁବନେଶ୍ବରର ବାୟୁ କେବେ ବି ଭଲ (ଗୁଡ୍‌)ସ୍ତରକୁ ଆସିନାହିଁ। ତେବେ ଚଳିତ ବର୍ଷ ଏହା ଅତୀତର ସବୁ ରେକର୍ଡ ପାର୍‌ କରି ନୂଆ ଶୀର୍ଷ ଛୁଇଁଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ୮ ବର୍ଷ ତଳେ ଏହି ଏକ୍ୟୁଆଇ ୮୩ ରହିଥିବା ବେଳେ ଏବର୍ଷ ତାହା ୧୧୦ ପାର୍‌ କରିଯାଇଛି। ବର୍ଷ ପରେ ବର୍ଷ କ୍ରମାଗତ ଭାବେ ଏହି ଏକ୍ୟୁଆଇ ବଢ଼ି ଚାଲିଛି, ଯାହାକି ପରିବେଶବିତ୍‌ମାନଙ୍କୁ ଚିନ୍ତାରେ ପକାଇଛି। ଏପରି ଧାରା ଜାରି ରହିଲେ, ଭୁବନେଶ୍ବରକୁ ଦିଲ୍ଲୀ ହେବାରେ ବେଶି ଡେରି ହେବନି ବୋଲି ସେମାନେ କହିଛନ୍ତି।

ତେବେ ଖାଲି ପ୍ରଦୂଷଣ ନୁହେଁ, ବାୟୁରେ ପଦାର୍ଥ କଣିକା (ପିଏମ୍‌-୧୦) ମଧ୍ୟ ଅସାମାନ୍ୟ ଭାବେ ବଢ଼ି ଚାଲିଛି। ଏକ୍ୟୁଆଇ ସହ ତାଳ ଦେଇ ପିଏମ୍‌-୧୦ ଏବେ ୧୧୫ରେ ପହଞ୍ଚି ଗଲାଣି। ବାୟୁରେ ପିଏମ୍‌-୧୦ର ମାନ ବଢ଼ିବା କ୍ୟାନସର୍‌ ଭଳି ବିଭିନ୍ନ ପ୍ରକାର ମାରାତ୍ମକ ରୋଗକୁ ନିମନ୍ତ୍ରଣ ଦେଇଥାଏ। ପରିବେଶବିତ୍‌ମାନଙ୍କ କହିବାନୁଯାୟୀ, ଭୁବନେଶ୍ବରରେ ବେଲଗାମ ନିର୍ମାଣ କାର୍ଯ୍ୟ, ମାତ୍ରାଧିକ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିବା, ଶିଳ୍ପ ସଂସ୍ଥାଗୁଡ଼ିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏସ୍‌ଓପି ନିୟମ ନ ମାନିବା, ସଠିକ୍‌ ବର୍ଜ୍ୟ ପରିଚାଳନା ନହେବା ଓ ଜନସଂଖ୍ୟା ସହ ତାଳ ଦେଇ ଗାଡ଼ି ସଂଖ୍ୟା ବୃଦ୍ଧି ଆଦି କାରଣ ପାଇଁ ଏଭଳି ସ୍ଥିତି ଦେଖାଯାଉଛି। ପରିବେଶକୁ କ୍ଷତି ପହଞ୍ଚାଇବା ପାଇଁ ବହୁ ବେଆଇନ କାର୍ଯ୍ୟ ଚାଲିଥିଲେ ହେଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସବୁ ଦେଖି ନ ଦେଖିଲା ପରି ହେଉଛି।

ଉଦାହରଣ ସ୍ବରୂପ, ଗତ ଦୀପାବଳିରେ ବାଣ ଫୁଟାଇବା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେତେକ ନିର୍ଦ୍ଦେଶାବଳୀ ଜାରି କରିଥିଲା। ରାତି ୮ଟାରୁ ୧୦ଟା ମଧ୍ୟରେ କେବଳ ୨ ଘଣ୍ଟାରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଦୀପାବଳି ଦିନ ନିର୍ଦ୍ଦେଶାବଳୀ ତା’ ବାଟରେ, ଲୋକ ତାଙ୍କ ବାଟରେ। ସେଦିନ ଲୋକ ସକାଳୁ ରାତି ୧ଟା ଯାଏ ବାଣ ଫୁଟାଇଲେ। ପୂରା ସହର ବାଣଧୂଆଁରେ ଗନ୍ଧେଇଲା। ଏହାକୁ ନେଇ ପରେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ପୁଲିସ୍‌ ଓ ଲୋକଙ୍କୁ ଦୋଷ ଦେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚୁପ୍‌ ବସି ପଡ଼ିଲା। ରାଜ୍ୟ ସରକାର ମଧ୍ୟ ଏହି ପ୍ରସଙ୍ଗକୁ ଯେଭଳି ଗମ୍ଭୀର ଦୃଷ୍ଟିରେ ଦେଖିବା କଥା, ତାହା ପରିଲକ୍ଷିତ ହେଉ ନାହିଁ। ପରିବେଶର ଏଭଳି ସ୍ଥିତି ନେଇ ନିକଟ ଅତୀତରେ କୌଣସି ଉଚ୍ଚସ୍ତରୀୟ ବୈଠକ ମଧ୍ୟ ହୋଇନାହିଁ।

publive-image

ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ ମଧ୍ୟ ଏହି ଦିଗକୁ ଆଙ୍ଗୁଳି ଉଠାଇଛନ୍ତି। ସେ କହିଛନ୍ତି ଯେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସରକାରୀ ସ୍ତରରେ କୌଣସି ଉଦ୍ୟମ ହେଉନାହିଁ। ଲୋକମାନଙ୍କୁ ସଚେତନ କରାଯାଉନାହିଁ। କଳ କାରଖାନାମାନଙ୍କରୁ ନିର୍ଗତ ପ୍ରଦୂଷିତ ବାୟୁକୁ ବିଶୁଦ୍ଧୀକରଣ କରି ବାହାରକୁ ଛାଡ଼ିବା ପାଇଁ ନିୟମ ରହିଥିଲେ ମଧ୍ୟ କେହି ଏହାକୁ ପାଳନ କରୁନାହାନ୍ତି। ସେହିଭଳି ନିର୍ମାଣ କାମ ବର୍ଷ ସାରା ଚାଲିଛି। ଏଥିପାଇଁ କିଛି ନିୟମ କି ପ୍ରତିବନ୍ଧକ ନାହିଁ। ଏହାବ୍ୟତୀତ ଲୋକମାନେ ମାତ୍ରାଧିକ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର କରୁଛନ୍ତି। ସେଗୁଡ଼ିକ ନଷ୍ଟ ନହୋଇ ବର୍ଷ ବର୍ଷ ଧରି ପଡ଼ି ରହିବା ପରେ ସମୟକ୍ରମେ ତାହା କ୍ଷୁଦ୍ର ପଦାର୍ଥ କଣିକାରେ ପରିଣତ ହୋଇ ମାଇକ୍ରୋ-ପ୍ଲାଷ୍ଟିକ୍‌ ଆକାରରେ ବାୟୁ ମଣ୍ଡଳରେରେ ଘୂରି ବୁଲୁଛି।

ମଣିଷ ଆଖିକୁ ଦେଖାଯାଉ ନଥିବା ଏହି ପ୍ଲାଷ୍ଟିକ୍‌ କ୍ଷୁଦ୍ର କଣିକା ଶରୀର ଭିତରକୁ ଗଲେ କ୍ୟାନସର୍‌ ଭଳି ରୋଗର କାରଣ ହେଉଛି। ଏହା ଏତେ ବିଷାକ୍ତ ଯେ ସ୍ତନ୍ୟପାନ ଜରିଆରେ ବି ଶିଶୁ ଦେହକୁ ଚାଲି ଆସୁଛି। ଏଇଥିପାଇଁ ୭/୮ ବର୍ଷ ଛୁଆ ଦେହରେ ବି କ୍ୟାନସର୍‌ ଦେଖାଯାଉଛି। ସେହିପରି ଏହି କଣିକାଗୁଡ଼ିକ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟରେ ମିଶି ଅତି ଆରାମରେ ଲୋକଙ୍କ ଦେହ ଭିତରେ ପ୍ରବେଶ କରୁଛି। ତେଣୁ ଏବେଠାରୁ ଦୃଷ୍ଟି ଦିଆ ନଗଲେ, ଆଗାମୀ ଦିନରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସେ କହିଛନ୍ତି। ସରକାର ଏବେଠୁ ପ୍ରଦୂଷଣର ବିଭିନ୍ନ ଉତ୍ସକୁ ଚିହ୍ନଟ କରି ତା’ର ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ବୋଲି ଶ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି। ‌ଏ ସଂପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସୋହନ୍‌ ଗିରିଙ୍କୁ ଯୋଗଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ଦେଇ ନଥିଲେ।