ରାଜଭବନ ଆଗରେ ଗର୍ଜିଲା ପୋଲଭରମ୍‌ ପ୍ରକଳ୍ପ ବିରୋଧ ଅଭିଯାନ

ମୋଟୁରୁ ଦିଲ୍ଲୀ ପର୍ଯ୍ୟନ୍ତ ହେବ ଆନ୍ଦୋଳନ

ଭୁବନେଶ୍ୱର: ଆନ୍ଧ୍ରର ‘ପୋଲାଭରମ୍‌’ ପ୍ରକଳ୍ପକୁ ବିରୋଧ କରି ଆଜି ରାଜଭବନ ସମ୍ମୁଖରେ ଗର୍ଜିଛି ‘ପୋଲାଭରମ୍‌ ପ୍ରକଳ୍ପ ବିରୋଧ ଅଭିଯାନ’। ଏହି ପ୍ରକଳ୍ପରେ ଆନ୍ଧ୍ରପ୍ରଦେଶ ଲାଭବାନ ହେଉଥିବା ବେଳେ ଓଡ଼ିଶାର ନିରୀହ ଆଦିବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରକଳ୍ପ ନ ସରୁଣୁ ଏହାର ପଛୁଆ ପାଣି ଏବେ ଓଡ଼ିଶାର ମୋଟୁ ସହ ମାଲକାନଗିରି ଓ ଅବିଭକ୍ତ କୋରାପୁଟର ବ୍ୟାପକ ଅଞ୍ଚଳରେ ଜଳପ୍ରଳୟ ସୃଷ୍ଟି କରିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସ୍ଥିତି ଆହୁରି ଭୟଙ୍କର ହେବ। ତେଣୁ ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବାକୁ ମୋଟୁଠାରୁ ଆନ୍ଦୋଳନ ଆରମ୍ଭ ହୋଇ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି ଧାରଣାସ୍ଥଳରେ ‘ପୋଲାଭରମ୍‌ ପ୍ରକଳ୍ପ ବିରୋଧ ଅଭିଯାନ’ ପକ୍ଷରୁ ଘୋଷଣା କରାଯାଇଥିଲା।

ଅଭିଯାନର ଆବାହକ ବ୍ରଜକିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଓ ଆମ ଜନତା ଅଧିକାରର ରାଜ୍ୟ ଆବାହକ ମନୋଜ ଜେନାଙ୍କ ସଂଚାଳନାରେ ‘ଓଡ଼ିଶା ବଞ୍ଚାଅ ଅଭିଯାନ’, ‘ଲୋକନାୟକ ଜୟପ୍ରକାଶ ଅନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର’, ‘ଓଡ଼ିଶା ନାଗରିକ ସମାଜ’, ‘ଆମ ଜନତା ଅଧିକାର’ର ମିଳିତ ଆନୁକୂଲ୍ୟରେ ଏହି ବିକ୍ଷୋଭରେ ଶତାଧିକ ପ୍ରକଳ୍ପ ବିରୋଧୀ ଏକାଠି ହୋଇଥିଲେ। ବିକ୍ଷୋଭରେ ସିପିଏମ୍‌ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇର କେନ୍ଦ୍ରୀୟ ସଦସ୍ୟ ଅଭୟ ସାହୁ, ବରିଷ୍ଠ ସାମ୍ବାଦିକ ରବି ଦାସ, ନାଗରିକ ସମାଜ ସଭାପତି ଲଳିତ ମୋହନ ପଟ୍ଟନାୟକ, ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ, କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ, ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ସମୃଦ୍ଧ ଓଡ଼ିଶା ସଭାପତି ଯତୀଶ ମହାନ୍ତି, ସିପିଏମ୍‌ ନେତା ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ତାପସୀ ପ୍ରହରାଜ,ଏନ୍‌ସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆରପିଆଇ ସଭାପତି ଅବଦୁଲ ୱାଲି, ସିପିଆଇଏମଲର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଶୋକ ପ୍ରଧାନ, ଓଡ଼ିଶା ଅଭିଭାବକ ମହାସଂଘ ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ମାଲକାନଗିରି ପୂର୍ବତନ ବିଧାୟକ ନିମାଇଁ ସରକାର, ଆମ ଜନତା ଅଧିକାର ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ, ସମତକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, ଆମ ଆଦମୀ ପାର୍ଟି ଭୁବନେଶ୍ୱର ସଭାପତି ଜୟସୂର୍ଯ୍ୟ କାନୁନଗୋ, କ୍ଷୀରୋଦ ସିଂହଦେଓ, ବଦ୍ରି ନାରାୟଣ ଦାସ, ବିଜୟ ବେହେରା, ନିରୁପମା ରଥ, ଅପର୍ଣ୍ଣା ନାୟକ, ଅବଦୁଲ କାଲାମ ଆଜାଦ, ଜଗନ୍ନାଥ ମିଶ୍ର, ମମତା ସାମନ୍ତରାୟ, ଶାଲ ମାର୍ଣ୍ଡିଙ୍କ ସମେତ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ଗଣସଂଗଠନ, ଜଳ ବିଶେଷଜ୍ଞ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ଏହି ଅବସରରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅପରପକ୍ଷେ ପୋଲାଭରମ୍‌ ଯୋଗୁଁ ସୃଷ୍ଟି ହେଉଥିବା ଅସୁବିଧା ଓ ପ୍ରକଳ୍ପ ଉପରେ ସବିଶେଷ ବିବରଣୀଯୁକ୍ତ ଏକ ପୁସ୍ତକ ସଭାସ୍ଥଳରେ ଉନ୍ମୋଚନ କରାଯାଇଥିଲା। ପ୍ରସନ୍ନ ବିଷୋୟୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର