ଭୁବନେଶ୍ବର: ଅକ୍ଟୋବର ୨ରୁ ୫ ମହାନଗର ନିଗମ ଭୁବନେଶ୍ବର, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ସମେତ ପୁରୀ ସହରରେ ପଲିଥିନ୍ ଓ ବିଭିନ୍ନ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ହେବନି ବୋଲି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। କିନ୍ତୁ ଏବେ ବି ଖୁଲମଖୁଲା ପଲିଥିନ୍ରେ ବିଭିନ୍ନ ସାମଗ୍ରୀ ବିକ୍ରି ହେଉଛି। କାଁ ଭାଁ କପଡ଼ା ବ୍ୟାଗରେ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ଦିଆଯାଉଥିବାବେଳେ ପଲିଥିନ୍ ଏବେବି ସାମଗ୍ରୀ ପରିବହନର ପ୍ରମୁଖ ମାଧ୍ୟମ ପାଲଟିଛି। ପଲିଥିନ୍ କଡ଼ାକଡ଼ି ଭାବେ ବନ୍ଦ କରିବା ପାଇଁ ନା ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ନା ଲୋକଙ୍କୁ ସଚେତନ କରୁଛନ୍ତି। ସରକାରଙ୍କ ଅପାରଗତା ଯୋଗୁଁ ଏବେ ୬ ସହର ପଲିଥିନ୍ ମୁକ୍ତ ହୋଇପାରୁନି। ପୂର୍ବରୁ ଗୁଟ୍ଖା ନିଷେଧ କରିବା ପରି ଏବେ ପଲିଥିନ୍ ନିଷେଧ ବାଟବଣା ହୋଇଯାଇଛି। ଭୁବନେଶ୍ବରରେ ଯଦିଓ କେତେକ ସ୍ଥାନରେ ପଲିଥିନ୍ ବ୍ୟବହାର କମିଛି କିନ୍ତୁ ଅନ୍ୟ ୫ ସହରରେ ସ୍ଥିତି ସଙ୍ଗିନ୍। ଜଳଖିଆ ଦୋକାନରୁ ଆରମ୍ଭ କରି ଗ୍ରୋସେରି ଦୋକାନ ପର୍ଯ୍ୟନ୍ତ ସବୁଠି ପଲିଥିନ୍ ଖୁଲମଖୁଲା ବ୍ୟବହାର ହେଉଛି। ପଲିଥିନ୍ ନିେଷଧାଦେଶ ବାଟବଣା ହେବା ନେଇ ଲୋକ ଯେତିକି ଦାୟୀ ନୁହେଁ ସରକାର ତାହାଠାରୁ ଢେର୍ ଅଧିକ ଦାୟୀ ବୋଲି କୁହାଯାଉଛି। କାରଣ ମୁଖ୍ୟମନ୍ତ୍ରୀ ଜୁଲାଇ ୧୦ରେ ଘୋଷଣା କଲେ ଯେ, ଅକ୍ଟୋବର ୨ରୁ ୫ମହାନଗର ନିଗମ ସମେତ ପୁରୀ ସହରରେ ପଲିଥିନ୍ ଓ ପ୍ଲାଷ୍ଟିକ ନିଷେଧ ହେବ। ହେଲେ ଅକ୍ଟୋବର ୨ରୁ ଯେପରି ପଲିଥିନ୍ ଆଉ ବଜାରରେ ନମିଳିବ, ନିଷେଧ ହୋଇଥିବା ପ୍ଲାଷ୍ଟିକ୍ ସାମଗ୍ରୀ ବଜାରରେ ଉପଲବ୍ଧ ନହେବ ସେଥିପାଇଁ କିଛି ବି ପଦକ୍ଷେପ ନେଲେନି। ପଲିଥିନ୍ ଓ ପ୍ଲାଷ୍ଟିକ ନିଷେଧ ଘୋଷଣା କରି ସାବାସି ପାଇବା ଚକ୍କରରେ ସରକାର ରହିଲେ। ଆଉ ଅଢ଼େଇ ମାସ ପରେ ସେପ୍ଟେମ୍ବର ୨୭ରେ ଜଙ୍ଗଲ ଓ ପରିବେଶ ବିଭାଗ ବିଜ୍ଞପ୍ତି ଜାରି କଲା ଯେ, ଅକ୍ଟୋବର ୨ରୁ ୫ ମହାନଗର ନିଗମ ଓ ପୁରୀ ସହରରେ ପଲିଥିନ୍ ନିଷେଧ ହେବ। ଯେଉଁମାନେ ପଲିଥିନ୍ ଓ ନିଷେଧ େହାଇଥିବା ପ୍ଲାଷ୍ଟିକ୍ ସାମଗ୍ରୀ ମହଜୁଦ୍ ରଖିଛନ୍ତି ସେମାନେ ବିଜ୍ଞପ୍ତି ପ୍ରକାଶ ପାଇବାର ମାସକ ମଧ୍ୟରେ (ଅର୍ଥାତ୍ ଅକ୍ଟୋବର ୨୬ ସୁଦ୍ଧା) ଶେଷ କରିବେ। ଏହାପରେ ଯଦି କେହି ପଲିଥିନ୍ ଓ ନିଷେଧ ହୋଇଥିବା ପ୍ଲାଷ୍ଟିକ୍ ଉତ୍ପାଦନ କରୁଥିବେ ବା ବିକ୍ରି କରୁଥିବେ ତେବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ ସହଯୋଗରେ ଚଢ଼ଉ କରି ଉକ୍ତ କମ୍ପାନିକୁ ସିଜ୍ କରାଯିବ। ଜଙ୍ଗଲ ଓ ପରିବେଶ ବିଭାଗର ଏହିଭଳି କୋହଳ କଟକଣା କେହି ମାନିଲେନି। ବରଂ ପଲିଥିନ୍ ଅଧିକ ପ୍ରସ୍ତୁତ କରି ବଜାରରେ ଚଢ଼ା ଦରରେ ବିକ୍ରି କଲେ। ବିଜ୍ଞପ୍ତିକୁ ମାସେ ପୂରିବାକୁ ବସିଥିବାବେଳେ ନା ଜିଲ୍ଲାପାଳ ନା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗୋଟିଏ ସ୍ଥାନରେ ବି ଚଢ଼ଉ କରି କମ୍ପାନିକୁ ସିଜ୍ କରିପାରିଲେନି। ଅପରପକ୍ଷେ ପଲିଥିନ୍ର ବିକଳ୍ପ ବ୍ୟବସ୍ଥା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ପଲିଥିନ୍ ହଠାତ୍ ବନ୍ଦ ହୋଇଗଲେ ବଜାର ଉପରେ ସାଂଘାତିକ ପ୍ରଭାବ ପଡ଼ିବ। ଏହାସହ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ବି ଚୁପ୍ ହୋଇ ବସି ଯାଇଛନ୍ତି।
ଏହି କଟକଣା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳଙ୍କୁ ପଚାରିବାରୁ ସେ କହିଛନ୍ତି, କଟକଣା ଜାରି କରାଯାଇଥିବା ୬ଟି ସହରର ଜିଲ୍ଲାପାଳଙ୍କୁ ଆମେ ଚିଠି ଲେଖିଛୁ। ଖୁବ୍ ଶୀଘ୍ର ଏନେଇ ଏକ ବୈଠକ ବସିବ। ନିଷେଧ ପଲିଥିନ୍ ଓ ପ୍ଲାଷ୍ଟିକ ବ୍ୟବହାର କରୁଥିବା ବ୍ୟବସାୟୀ ବା ନିୟମ ଉଲ୍ଲଂଘନକାରୀ ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା ଆଦାୟ ହେବ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ପଲିଥିନ୍ ଓ ପ୍ଲାଷ୍ଟିକ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକର ଲାଇସେନ୍ସ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/POLYTHENE-021.jpg)