ଶଶାଙ୍କଙ୍କ ପଲିଗ୍ରାଫ୍‌ ଟେଷ୍ଟ୍‍

 ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା

ଚନ୍ଦ୍ରଶେଖରପୁର:  ପଟିଆ ଶ୍ରୀବିହାର ନିତ୍ୟ ପରମେଶ୍ୱର ଆପାର୍ଟମେଣ୍ଟ୍‌ର ଫ୍ଲାଟ୍‌ ନମ୍ବର ୩୦୧/ସି ବାଲ୍‌କୋନିରୁ ପଡ଼ି ଜିଜ୍ଞାସା ମିଶ୍ରଙ୍କ ମୃତ୍ୟୁ ଘଟଣାରେ ଆଜି ପୁଲିସ ଶଶାଙ୍କ ମିଶ୍ରଙ୍କ ପଲିଗ୍ରାଫ୍‌ ଟେଷ୍ଟ କରିଛି।  ଜିଜ୍ଞାସା ତାଙ୍କ ଇଚ୍ଛାରେ ଉକ୍ତ ଆପାର୍ଟମେଣ୍ଟ୍‌କୁ ଆସିଥିଲେ ନା’ ତାଙ୍କୁ ନିଶାସକ୍ତ ଅବସ୍ଥାରେ ଅଣାଯାଇଥିଲା ସେ ସଂପର୍କରେ ମଧ୍ୟ ପୁଲିସ ତଦନ୍ତ କରୁଛି। ଏ ନେଇ ପୁଲିସ ଆପାର୍ଟମେଣ୍ଟ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।  ଜିଜ୍ଞାସା ବାଲ୍‌କୋନିରୁ ତଳକୁ ଖସିପଡ଼ିଲେ ନା ତାଙ୍କୁ ଠେଲି ଦିଆଯାଇଛି ସେ ସଂପର୍କରେ ମଧ୍ୟ ପୁଲିସ ତଦନ୍ତ ଆରମ୍ଭ କରିଛି। ପଲିଗ୍ରାଫି ଟେଷ୍ଟ୍‍ ରିପୋର୍ଟ ଆସିବା ପୂର୍ବରୁ ପୁଲିସ୍‌ ଶାଶଙ୍କଙ୍କୁ ଘଟଣାସ୍ଥଳ ବୁଲାଇ ସବୁକିଛି ଜାଣିବାକୁ ଚେଷ୍ଟା କରିଛି। ତେବେ ଆଜି ଶଶାଙ୍କ ଥାନାରେ ଦେଇଥିବା ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶଶାଙ୍କଙ୍କ କହିବା ଅନୁଯାୟୀ ଜିଜ୍ଞାସା ସବୁ ପ୍ରକାର ନିଶା ସେବନ କରିବାରେ ଓସ୍ତାଦ ଥିଲେ।  ତାଙ୍କ ଅନୁରୋଧ ରକ୍ଷା କରି ସେ ତାଙ୍କୁ ଘରେ ରହିବା ପାଇଁ ଅନୁମତି ଦେଇଥିଲେ। ମାତ୍ର ସେଠାରେ ମଧ୍ୟ ଜିଜ୍ଞାସା ଅତ୍ୟଧିକ ନିଶାପାନ କରିଥିଲେ ବୋଲି ଶାଶାଙ୍କ ତାଙ୍କ ବୟାନରେ କହିଛନ୍ତି।  ଏପରିକି ସେ ତିନି ଦିନ ଧରି ନିଶାସକ୍ତ ଅବସ୍ଥାରେ ରହିବା ସହିତ  ଡିଜେ ଗୀତରେ ନୃତ୍ୟ କରୁଥିଲେ। ଏହି ସମୟରେ ତାଙ୍କ ମୋବାଇଲ୍‌କୁ ଫୋନ୍‌ ଆସୁଥିଲେ ମଧ୍ୟ ସେ ଏତେଟା ଗୁରୁତ୍ୱ ଦେଉ ନଥିଲେ। ଦିନରେ ଶୋଇ ରହିବା ପରେ ରାତିରେ ପୁଣି ନିଶାରେ ଚୁର୍‌ ରହୁଥିଲେ। ବିଳମ୍ବିତ ରାତିରେ ନିଦରୁ ଉଠି ସେ କିଚେନ୍‌ ଦିଗକୁ ଯାଉଥିବା ବେଳେ ବାଲ୍‌କୋନିରୁ ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ିଥାଇ ପାରନ୍ତି ବୋଲି ଶଶାଙ୍କ ପୁଲିସ ଆଗରେ କହିଛନ୍ତି। ଶାଶଙ୍କଙ୍କ ବୟାନରେ କେତେ ସତ୍ୟତା ରହିଛି ସେ ନେଇ ପୁଲିସ ତୀକ୍ଷ୍ଣ ନଜର ରଖିଛି। ଅନ୍ୟପକ୍ଷରେ ଆପାର୍ଟମେଣ୍ଟ୍‌ରେ ରହୁଥିବା ଅନ୍ୟ ଲୋକଙ୍କ କହିବା ଅନୁଯାୟୀ ଶଶାଙ୍କ ନିଜ କାର୍‌(ଓଡ଼ି-୦୨ଟି୬୯୬୪)ରେ ମହିଳାଙ୍କୁ ନେଇ ବିଳମ୍ବିତ ରାତିରେ ଘରକୁ ଆସିବାପରେ ତାଙ୍କୁ କାନ୍ଧରେ ଟେକି ଟେକି ଲିଫ୍ଟ ପର୍ଯ୍ୟନ୍ତ ନେଇଯାଇଥିଲେ। ପରେ ସେଠାରୁ ରୁମ୍‌ଭିତରକୁ ନେଇଥିଲେ। ତେଣୁ ଶଶାଙ୍କ ସହିତ ଜିଜ୍ଞାସାଙ୍କ ଭିନ୍ନ ସଂପର୍କ ଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଚର୍ଚା ହେଉଛି।  ସେହିପରି ଶଶାଙ୍କଙ୍କ ସହ ଆଉ କେହି ସେହି ଘର ଭିତରେ ରହିଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ୍‌ ସବୁଦିଗରୁ ତଥ୍ୟ ବାହାର କରିବା ନେଇ ଚେଷ୍ଟା ଚଳାଇଛି।

ସୂଚନାଯୋଗ୍ୟ ଯେ, ଜିଜ୍ଞାସା ହାଇଦ୍ରାବାଦ୍‌ରେ ଇଂଜିନିୟର ଭାବେ କାମ କରୁଥିବା ଅଭିଷେକ ପରମାଣିକଙ୍କୁ ବିବାହ କରିଥିଲେ। କିଛିଦିନ ହେବ ସେ ବିବେକାନନ୍ଦ ସ୍କୁଲ୍‌ ଛକରେ ରହୁଥିବା ତାଙ୍କ ବାପାଙ୍କ ଘରେ ରହୁଥିଲେ।  ସପ୍ତାହକ ତଳେ ବିଳମ୍ବିତ ରାତିରେ ଜନତା ମଇଦାନ ନିକଟରେ ତାଙ୍କର ଶଶାଙ୍କଙ୍କ ସହିତ ଦେଖା ହୋଇଥିଲା। ଶଶାଙ୍କ ବିବାହିତ। ତାଙ୍କ ପତ୍ନୀ ବାପଘର ଛତିଶିଗଡ଼ ରାୟପୁର ଯାଇଛନ୍ତି। ଫଳରେ ଏଠାରେ ସେ ଏକା ରହୁଥିଲେ। ଗତ ୩ ଦିନ ହେଲା ଜିଜ୍ଞାସା ଶଶାଙ୍କ ସହ ଉକ୍ତ ଆପାର୍ଟମେଣ୍ଟ୍‌ର ୩୦୧/ସିରେ ରହୁଥିଲେ। ଗୁରୁବାର ରାତି ପ୍ରାୟ ୩ଟା ବେଳକୁ ବେଡ୍‌ରେ ଜିଜ୍ଞାସାଙ୍କୁ ନପାଇ ଶଶାଙ୍କ ଘର ସାରା ଖୋଜାଖୋଜି କରିଥିଲେ। ପରେ ତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ତଳେ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ପଞ୍ଚନାମା କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯାଇଥିଲା।

ସମ୍ବନ୍ଧିତ ଖବର