ପଲିଥିନ୍ କଥା ଭୁଲିଗଲେ : ସ୍କ୍ୱାଡ୍‌ରେ ସାମିଲ୍ ହେଉନାହାନ୍ତି ତିନି ବିଭାଗ

ବନ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କମିସନରେଟ୍ ପୁଲିସ ଧରାଛୁଆଁ ଦେଉନାହାନ୍ତି

ପୁରୁଣା ଭୁବନେଶ୍ବର : ୨୦୧୮ ଗାନ୍ଧୀ ଜୟନ୍ତୀରୁ ରାଜଧାନୀରେ ‘ସିଙ୍ଗଲ୍‌ ୟୁଜ୍ ପ୍ଲାଷ୍ଟିକ୍’ ବା ‘ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍’ ଓ ୫୦ମାଇକ୍ରନରୁ କମ୍‌ ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲାଗିଛି। ହେଲେ ଏବେବି ରାଜଧାନୀରେ ଏହିଭଳି ପଲିଥିନ୍ ଓ ପ୍ଲାଷ୍ଟିକ ବିକ୍ରି ହେଉଛି। କେଉଁଠୁ ଏହି ପଲିଥିନ୍ ଓ ପ୍ଲାଷ୍ଟିକ ଆସୁଛି ତାକୁ ଖୋଜି ବାହାର କରିବା ସହ ଚଢ଼ଉ କରି ବନ୍ଦ କରିବା ପାଇଁ ବିଏମ୍‌ସି ନେତୃତ୍ବରେ ସ୍କ୍ବାଡ୍ ଗଠନ ହୋଇଛି। ହେଲେ ଗତ କିଛି ଦିନ ହେଲା ଏହି ସ୍କ୍ବାଡ୍ କାମ କରୁନି। ଏହି ସ୍କ୍ବାଡ୍‌ର ଥିବା ତିନିଟି ବିଭାଗ ବନ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କମିସନରେଟ୍ ପୁଲିସ୍ ଏବେ ବିଏମ୍‌ସିକୁ ଧରାଛୁଆଁ ଦେଉନାହାନ୍ତି। ଫଳରେ କିଛି ଦିନ ହେଲା ରାଜଧାନୀରେ ଚଢ଼ଉ ବନ୍ଦ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ଲାଷ୍ଟିକ ଓ ପଲିଥିନ୍ ଡିପୋ, କାରଖାନା ଓ ଗୋଦାମ ଉପରେ ଚଢ଼ଉ କରିବା ପାଇଁ ଜୁନ୍ ୧୦, ୨୦୧୯ରେ ରାଜ୍ୟ ସରକାର ବିଏମ୍‌ସି ଅଞ୍ଚଳ ପାଇଁ ସ୍କ୍ବାଡ଼୍‌ ଗଠନ କରିଥିଲେ। ଗଠନ ହୋଇଥିବା ସ୍କ୍ବାଡ୍‌ରେ ବନ ବିଭାଗରୁ ଦୁଇଜଣ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୨ଜଣ, ବିଏମ୍‌ସିରୁ ୫ଜଣ, କମିସନରେଟ୍ ପୁଲିସର ୪ଜଣ ଲେଖାଏ କର୍ମଚାରୀ ରହିବାର ନିୟମ ହୋଇଛି। ହେଲେ ତିନିଟି ବିଭାଗ କର୍ମଚାରୀ ପଠାଇବାକୁ ମନା କରୁଥିବାରୁ ବିଏମ୍‌ସି ଏକାକୀ ଆଉ ଚଢ଼ଉ କରିପାରୁନି।

ସୂଚନାଯୋଗ୍ୟ ଯେ, ବେଆଇନ୍‌ ପଲିଥିନ୍‌ କାରବାର ପାଇଁ ୬ ମାସରେ ୬ଲକ୍ଷ ୮୮ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରି ଗତ ଜାନୁଆରିରୁ ଫେବ୍ରୁଆରି ୧୦ ମଧ୍ୟରେ ଲକ୍ଷାଧିକ ଟଙ୍କା ଆଦାୟ କରାଯାଇଥିଲା। ତେବେ ଦୁଇ ମାସ ହେଲା ବନ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କର୍ମଚାରୀ ଆସୁନାହାନ୍ତି। ସପ୍ତାହେ ହେଲା କମିସନରେଟ୍ ପୁଲିସର କର୍ମଚାରୀ ମଧ୍ୟ ଆସୁନାହାନ୍ତି। ଫଳରେ ବିଏମ୍‌ସି ଚଢ଼ାଉ କରିବାକୁ ଯୋଜନା କରୁଥିଲେ ହେଁ ସ୍କ୍ବାଡ୍ ପୂର୍ଣ୍ଣକ୍ଷମ ହୋଇପାରୁ ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରୁନି।

ସମ୍ବନ୍ଧିତ ଖବର