ମିଳିଲାନି ପଲିଥିନ୍‌, ବର୍ଷାରେ ବିପନ୍ନ ହିନସ୍ତା

ରାସନ କାର୍ଡ ନଥିବା ବିପନ୍ନଙ୍କୁ ସହାୟତା ମିଳିବା ନେଇ ସନ୍ଦେହ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ ୧ଲକ୍ଷ ୨୫ ହଜାର ଲୋକ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଏଯାଏ କାହାରିକୁ ପଲିଥିନ୍‌ ଯୋଗାଇ ଦିଆଯାଇନାହିଁ। ପ୍ରଭାବିତଙ୍କ ମଧ୍ୟରୁ ୨୪ହଜାର ୬୮ଜଣ ରାସନ କାର୍ଡଧାରୀଙ୍କୁ ପଲିଥିନ୍‌ ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି। ବାକି ବିପନ୍ନଙ୍କୁ ପଲିଥିନ ମିଳିବ କି ନାହିଁ, ତାହା ସ୍ଥିର ହୋଇନାହିଁ। ଏଭଳି ସ୍ଥିତିରେ ଆଜି ଅପରାହ୍‌ଣରେ ବାଲିଅନ୍ତାରେ ବର୍ଷା ହେବା ଯୋଗୁଁ ବିପନ୍ନ ପରିବାର ହିନସ୍ତା ହୋଇଛନ୍ତି। ରାଜସ୍ବ ବିଭାଗ ପକ୍ଷରୁ ମଧ୍ୟ ୨୪ହଜାର ୫ଶହ ଚାଳ ଓ ଆଜବେଷ୍ଟ୍‌ସ ଘର ଭାଙ୍ଗିଯାଇଥିବା ନେଇ ବ୍ଲକ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯାଇଛି। ରିପୋର୍ଟକୁ ଆଧାର କରି କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ରାସନ କାର୍ଡ ନଥିବା ବିପନ୍ନଙ୍କୁ ସହାୟତା ମିଳିବା ନେଇ ସନ୍ଦେହ
ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ଯୋଜନାଭୁକ୍ତ ହୋଇଥିବା ରାସନ କାର୍ଡଧରୀଙ୍କୁ ମୁଣ୍ଡପିଛା ୫୦ କିଗ୍ରା ଚାଉଳ, ୨ହଜାର ଟଙ୍କା ଓ ପଲିଥିନ୍‌ ଯୋଗାଇ ଦିଆଯିବା ପାଇଁ ପ୍ରାଶାସନିକ ସ୍ତରରେ ଘୋଷଣା ହୋଇଛି। ହେଲେ ଉପରୋକ୍ତ ଯୋଜନାରୁ ବାଦ୍‌ ପଡ଼ିଥିବା ବିପନ୍ନ ପରିବାର ଏହି ସହାୟତା ପାଇବେ କି ନାହିଁ ସେନେଇ ସନ୍ଦେହ ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରେ ଉପଜିଲ୍ଲାପାଳ ଶୁଭେନ୍ଦୁ ଶେଖର ସାହୁ ବ୍ଲକ କାର୍ଯ୍ୟାଳୟରେ ବିଡିଓ ରଶ୍ମିରେଖା ପ୍ରଧାନଙ୍କ ସହ ଆଲୋଚନା ବେଳେ ଏନେଇ ସୂଚନା ପ୍ରଦାନ କରିବା ସହ ବେଗୁନିଆ, ବୋଲଗଡ଼ ବ୍ଲକ ବାଦ ରହିବ ବୋଲି କହିଛନ୍ତି।

ନିରାଡ଼ମ୍ବରରେ ହେବ ଅକ୍ଷୟ ତୃତୀୟା
ବାତ୍ୟା ଯୋଗୁଁ ବାଲିଅନ୍ତା ବ୍ଲକରେ ଅକ୍ଷୟ ତୃତୀୟା ନିରାଡ଼ମ୍ବର ଭାବେ ପାଳନ ହେବ ବୋଲି ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ସକାଳ ସାଢ଼େ ୭ଟା ବେଳେ ଭିଙ୍ଗାରପୁର ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ଅଖିମୁଠି ଅନୁକୂଳ କାର୍ଯ୍ୟରେ ବିଡିଓ ରଶ୍ମିରେଖା ପ୍ରଧାନ ଯୋଗଦେବେ ବୋଲି ବ୍ଲକ ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳ ସୂଚନା ଦେଇଛନ୍ତି। ତେବେ ଜୟଦେବ ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ ସଂକୀର୍ତ୍ତନ ମଣ୍ଡଳୀ ପୀଠରେ ପହଞ୍ଚି ସଂକୀର୍ତ୍ତନ ପରିବେଷଣ କରିବ କି ନାହିଁ ତାହାର ସ୍ପଷ୍ଟ ସୂଚନା ମିଳିନାହିଁ।

୪୬୨୦ ହେକ୍ଟର ଫସଲ ନଷ୍ଟ
ବାଲିଅନ୍ତା ବ୍ଲକ ଅଞ୍ଚଳର ମୋଟ ୯୯୦୦ ହେକ୍ଟର ଜମି ମଧ୍ୟରୁ ୪୬୨୦ ହେକ୍ଟର ଜମିରେ ହୋଇଥିବା ରବି ଫସଲ ଯଥା ଧାନ, ମୁଗ, ବିରି, ପନିପରିବା ଓ କଦଳୀ ଚାଷ ନଷ୍ଟ ହୋଇଯାଇଥିବା ସମ୍ପର୍କିତ ରି‌‌ପୋର୍ଟ ବ୍ଲକ ପ୍ରଶାସନକୁ ପ୍ରଦାନ କରାଯାଇଛି। ସହକାରୀ କୃଷି ଅଧିକାରୀଙ୍କ ସମେତ କୃଷି ବିଭାଗ, ଉଦ୍ୟାନ କୃଷି କର୍ମଚାରୀ, ଜିଆର୍‌ଏସ ଓ ରାଜସ୍ବ ବିଭାଗ ଅଧିକାରୀମାନେ ବ୍ଲକ ପ୍ରଶାସନକୁ ତଥ୍ୟ ପ୍ରଦାନ କରିଛନ୍ତି। ରିପୋର୍ଟକୁ ଆଧାର କରି ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳିବ।

ରିଲିଫ କାର୍ଯ୍ୟ ପରିଚାଳନାରେ ଅବହେଳା
ବାଲିଅନ୍ତା ବ୍ଲକରେ ରିଲିଫ କାର୍ଯ୍ୟ ପରିଚାଳନାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। କିଛି ଜନ ପ୍ରତିନିଧି କାର୍ଯ୍ୟରେ ଅସହଯୋଗ କରୁଥିବାରୁ ଆଶ୍ରୟସ୍ଥଳୀ ଓ ଗ୍ରାମରେ ଥିବା ବିପନ୍ନଙ୍କ ନିକଟରେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ରିଲିଫ ସାମଗ୍ରୀ ପହଞ୍ଚିବାରେ ବିଳମ୍ବ ଘଟୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଯେତିକି ସହାୟତା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିବାରୁ ଜନ ପ୍ରତିନିଧିମାନେ ବିପନ୍ନଙ୍କ ରୋଷର ଶିକାର ହୋଇଥିବା କହିଛନ୍ତି। ଦୁଇଦିନ ତଳେ ଭିଙ୍ଗାରପୁର ପଞ୍ଚାୟତରେ କିଛି ବିପନ୍ନ ପରିବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୀର୍ଘ ସମୟ ଧରି ଘେରାଉ କରି ପ୍ରତିବାଦ କରିଥିଲେ। ପୁଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ରନ୍ଧାଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ଅଧିକ ତ୍ବରାନ୍ବିତ କରିବା ଲାଗି ପ୍ରତି ୱାର୍ଡ ପିଛା ୫ହଜାର ଟଙ୍କା ପ୍ରଦାନ କରିଥିବା ଭିଙ୍ଗାରପୁର ସରପଞ୍ଚ ଜୟଶ୍ରୀ ନାୟକଙ୍କ ସ୍ବାମୀ ମାନସ ରଂଜନ ନାୟକ କହିଛନ୍ତି।

ଗୁରୁତର ଦୁଇ ବାଛୁରୀ ଓ ଗାଈ ମୃତ
ବାତ୍ୟା‌ ବେଳେ ଗୁହାଳ କାନ୍ଥ ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିବା ଦୁଇ ବାଛୁରୀ ଓ ଗୋଟିଏ ଗାଈର ଉପଯୁକ୍ତ ଚିକିତ୍ସା ଅଭାବରୁ ଆଜି ମୃତ୍ୟୁ ହୋଇଯାଇଛି। ଛନ୍ଦୋଳ ଗ୍ରାମର ଶିଖର ବେହେରାଙ୍କ ଦୁଇଟି ମାଈ ବାଛୁରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପୂରଣପଧାନ ଗ୍ରାମର ବାନାମ୍ବର ବେହେରାଙ୍କ ଗୋଟିଏ ଗାଈର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବ୍ରାହ୍ମଣସୁଆଁଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ୧୧ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଟି ଗାଈ ଆହତ ହୋଇଥିଲେ।

ମାଟିରେ ମିଶିଲା ଶତାଧିକ କୁକୁଡ଼ା ଫାର୍ମ
ବିଭିନ୍ନ ପଞ୍ଚାୟତରେ ଥିବା ଶତାଧିକ କୁକୁଡ଼ା ଫାର୍ମ ବାତ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ମାଟିରେ ମିଶିଯାଇଛି। ଏବେ ବି ହଜାର ହଜାର କୁକୁଡ଼ାଙ୍କ ମୃତଦେହ ଫାର୍ମ ଭିତରେ ଚାପି ହୋଇ ରହିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ହେଉଛି। ଜନବସତି ଭିତରେ ଏଭଳି ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖ‌ାଦେଇଛି। ହେଲେ ଫାର୍ମ ମାଲିକମାନେ ମଲା କୁକୁଡ଼ାଗୁଡ଼ିକୁ ମାଟିରେ ପୋତିବା ଦିଗରେ ଦୃଷ୍ଟି ଦେଉ ନଥିବାରୁ ସାଧାରଣରେ ଅ‌ସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ କେତେକ ଫାର୍ମ ମାଲିକ ମଲା କୁକୁଡ଼ା ମାଂସ ବାହାରକୁ ପଠାଉଥିବା ନେଇ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର