ଭୁବନେଶ୍ବର: କେଉଁଠି ଅଧା ପୁଷ୍କରିଣୀ ପୋତି ହୋଇଗଲାଣି ତ କେଉଁଠି ଦଳ ଭର୍ତି ଯୋଗୁଁ ପୋଖରୀରେ ଜଳରାଶି ଦିଶୁନାହିଁ। କିଛି ସ୍ଥାନରେ ଅଧା ପୁଷ୍କରିଣୀ ଦଳମୟ ହୋଇଛି ତ କେଉଁଠି ପୋଖରୀ ଟାଙ୍ଗରା ପଡ଼ିଛି। ଏମିତିରେ ସହରବାସୀ ଡଙ୍ଗା ଭସାଇବେ କେଉଁଠି ସେନେଇ ଦ୍ବନ୍ଦ୍ବରେ ପଡ଼ିଲେଣି। ମନ୍ଦିର ମାଳିନୀ ସହର ମଧ୍ୟରେ ତୀର୍ଥ ସ୍ଥାନରେ ପୁଷ୍କରିଣୀରେ ଡଙ୍ଗା ଭସାଇବା ପାଇଁ ସହରବାସୀ ଲକ୍ଷ୍ୟ ରଖିଥାଆନ୍ତି। ମାତ୍ର ଏହି ତୀର୍ଥ ପୁଷ୍କରିଣୀଗୁଡ଼ିକ ଏବେ ଦଳ ଭର୍ତି ହୋଇ ରହିଛି। ବିନ୍ଦୁସାଗର ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିବାରୁ ଏଠାରେ ବ୍ୟାପକ ଭିଡ଼ ପରିଲକ୍ଷିତ ହୁଏ। ମାତ୍ର ପୁଷ୍କରିଣୀର ୭୦ ଭାଗ ଦଳ ଅକ୍ତିଆର କରି ନେଇଛି। ଏକାମ୍ର ବନ ପାର୍ଶ୍ବରେ ଦଳ ଏକଦମ କୂଳକୁ ଲାଗି ଯାଇଛି। ତେଣୁ ଏହି ପାର୍ଶ୍ବରେ ଡଙ୍ଗା ଭସାଇବା ସମ୍ଭବ ହେବ ନାହିଁ ବୋଲି ଜଳଜଳ ବାରି ହେଉଛି। ମେଘେଶ୍ବର ମନ୍ଦିର ନିକଟରେ ଥିବା ପୁଷ୍କରିଣୀରେ ଗଛ ଓ ଦଳ ଏମିତି ଚରିଯାଇଛି ଯେ, ପାଣି ପଙ୍କରେ ପରିଣତ ହେଲାଣି। ବ୍ରହ୍ମେଶ୍ବର ମନ୍ଦିର ନିକଟ ପୁଷ୍କରିଣୀର ମଧ୍ୟ ସମଦଶା। ଏଠାରେ ମଧ୍ୟ ଗଛ ଓ ଦଳ ଏମିତି ମାଡ଼ିଛି ଯେ, ଡଙ୍ଗା ଭାସିବ ନାହିଁ। ଏହି ଦୁଇ ପୁଷ୍କରିଣୀ ମେଘେଶ୍ବର ଓ ବ୍ରହ୍ମେଶ୍ବର ମନ୍ଦିର ନିକଟରେ ରହିଥିବାରୁ ଲୋକେ ତୀର୍ଥ ଜଳରେ ସ୍ନାନ ପୂର୍ବକ ଡଙ୍ଗା ଭସାଇ ପ୍ରଭୁଙ୍କୁ ଦର୍ଶନ କରି ଘରକୁ ଫେରନ୍ତି। ମାତ୍ର ଦୁଇ ପୁଷ୍କରିଣୀର ସ୍ଥିତି ଯାହା ତାହା ଆଉ ସ୍ନାନଯୋଗ୍ୟ ହୋଇ ରହିନାହିଁ। ସବୁଠୁ ସଙ୍ଗିନ ଅବସ୍ଥା ଭାସ୍କରେଶ୍ବର ପୁଷ୍କରିଣୀର। ସେଠାରେ କିଛି ବର୍ଷ ହେବ ଟୋପେ ପାଣିନାହିଁ। ଏଇ ଜଳାଶୟଗୁଡ଼ିକ ମନ୍ଦିର ନିକଟରେ ଥିବାରୁ ତିଷ୍ଠି ରହିବ ବୋଲି ଆଶା କରାଯାଉଥିଲେ ହେଁ ତାହା ହୋଇପାରିଲା ନାହିଁ। ଏହାକୁ ପୁନରୁଦ୍ଧାର କରିବା ପାଇଁ ମଧ୍ୟ ଏପର୍ଯ୍ୟନ୍ତ ଚେଷ୍ଟା ହେଲା ନାହିଁ। ଦେବୀ ପାଦହରା ପୁଷ୍କରିଣୀରେ ମଧ୍ୟ ଅର୍ଧାଧିକ ଅଂଶ ଦଳ ଭର୍ତି ହୋଇ ରହିଛି। ଓଡ଼ିଆ ସାଧବ ପୁଅର ସମୁଦ୍ର ପଥରେ ବଣିଜର ସ୍ମୃତିକୁ ସ୍ମରଣ ସ୍ବରୂପ ଦିନ କେଇଟା ପରେ ତୀର୍ଥ ଜଳାଶୟରେ ଡଙ୍ଗା ଭସାଯିବ। ମାତ୍ର ଧୀରେଧୀରେ ଶୋଚନୀୟ ହୋଇ ପଡ଼ିଥିବା ଜଳାଶୟର ଏତାଦୃଶ ଅବସ୍ଥା ପ୍ରତି ଯେମିତି ପ୍ରଶାସନ ଆଖି ବୁଜିଦେଇଛି।
ବିପର୍ଯ୍ୟସ୍ତ ଐତିହ୍ୟ ପୁଷ୍କରିଣୀ, ଡଙ୍ଗା ଭସେଇବୁ କୋଉଠି
/sambad/media/post_attachments/wp-content/uploads/2018/11/TEMPLe-3.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)