ଭୁବନେଶ୍ବର: ରାଜଧାନୀର ଜନଗହଳିପୂର୍ଣ୍ଣ ଏକ ପ୍ରମୁ୍ଖ ଛକ। ଶିଳ୍ପାଞ୍ଚଳ ସାଙ୍ଗକୁ ଛକରେ ଠିଆ ହୋଇଛି ନାମୀଦାମୀ ମଲ୍। କିନ୍ତୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଡ୍ରେନ୍ର ପଚା ପାଣି ପୋଖରୀ ଭଳି ଜମି ରହିଛି। ଯାନବାହନ ଚଳାଚଳ ଯୋଗୁଁ ପଚା ପାଣି ରାସ୍ତା ସାରା ବିଛାଡ଼ି ହୋଇ ଛୋଟ ଛୋଟ ଖାଲଗୁଡ଼ିକରେ ଜମି ରହିଛି। ଫଳରେ ଗୋଡ଼ ପକାଇବାକୁ ଜାଗା ନାହିଁ। କାର୍ ଓ ବାଇକ୍ଗୁଡ଼ିକ ରାସ୍ତାରେ ଗଳି ପଡ଼ି ଅଟକି ଯାଉଥିବାରୁ ବହୁ ସମୟରେ ରାସ୍ତା ଜାମ୍ ହେଉଛି। ଛୋଟମୋଟ ଦୁର୍ଘଟଣା ମଧ୍ୟ ଘଟୁଛି। ଏହି ଅବସ୍ଥା ହେଉଛି ସ୍ମାର୍ଟ ସିଟି ରାଜଧାନୀର ପ୍ରମୁଖ ଜନଗହଳିପୂର୍ଣ୍ଣ ରସୁଲଗଡ଼ ଏସ୍ପ୍ଲାନେଡ୍ ଛକର।
ପ୍ରାୟ ୧୫ ଦିନ ହେବ ଏହି ଛକରେ ଏମିତି ଦୟନୀୟ ଓ ଭୟଙ୍କର ଅବସ୍ଥା ଲାଗି ରହିଛି। ସ୍ମାର୍ଟସିଟିର ଦୁଆରମୁହଁ କୁହାଯାଉଥିବା ରସୁଲଗଡ଼ ଏସ୍ପ୍ଲାନେଡ୍ ଛକର ଏହି ଅବସ୍ଥାକୁ ଦେଖିଲେ, ସ୍ମାର୍ଟସିଟିର ଅସଲ ଚିତ୍ର ଜଳଜଳ ହୋଇ ଦିଶି ଯାଉଛି। ଏସ୍ପ୍ଲାନେଡ୍ ଛକରୁ ଶିଳ୍ପାଞ୍ଚଳ ଭିତରକୁ ଲମ୍ବିଥିବା ରାସ୍ତା ଓ ମୁଖ୍ୟ ରାସ୍ତାର ସଂଯୋଗସ୍ଥଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଡ୍ରେନ୍ ପାଣି ଜମି ଜମି ରାସ୍ତାରେ ବିରାଟ ଖାଲ ହୋଇଗଲାଣି। ଗାଡ଼ିମଟର ଖାଲରେ ପଡ଼ିବାରୁ ପଚା ପାଣି ଛିଟିକା ମାରୁଛି। ଖାଲରେ ପଡ଼ି ଗାଡ଼ିମଟର କ୍ଷତିଗ୍ରସ୍ତ ହେଉଥିବା ବେଳେ ପଚା ପାଣି ଛିଟିକି ଉପରେ ପଡ଼ିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ପ୍ରତିଦିନ ଗଣ୍ଡଗୋଳ ଘଟୁଛି। ଛକର ଏଭଳି ଅବସ୍ଥା ପାଇଁ ସେଠାରେ ଉଠାଦୋକାନ କରି ପେଟ ପୋଷୁଥିବା କିଛି ଦୋକାନୀଙ୍କ ଚୁଲି ଜଳିବା ବନ୍ଦ ହୋଇଯାଇଛି। ଦୋକନକୁ ଗ୍ରାହକ ଆସୁନଥିବାରୁ ଦୋକାନ ବନ୍ଦ ହୋଇଯାଇଛି।
ଅଭିଯୋଗ ମୁତାବକ, ଜାନୁଆରି ପହିଲାରୁ ରାସ୍ତା କାମ ହେବ ବୋଲି କହି ଡ୍ରେନ୍ ପାଖରେ ଏମିତି ଖୋଳିଦେଲେ ଯେ ଡ୍ରେନ୍ ଜାମ୍ ହୋଇଯାଇଛି। ଫଳରେ ଡ୍ରେନ୍ ପାଣି ରାସ୍ତା ଉପରକୁ ମାଡ଼ି ଆସି ଜମି ରହୁଛି। ତଦାରଖ କରୁଥିବା ଯନ୍ତ୍ରୀଙ୍କ ଅବହେଳା ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଜାମ୍ ହୋଇଥିବା ଡ୍ରେନ୍କୁ ସଫା କରିବା ପାଇଁ ଅଭିଯୋଗ କଲେ କିଛି ଲାଭ ହେଉ ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ୪ ମାସ ତଳେ ଡ୍ରେନ୍ରେ ଜଳ ନିଷ୍କାସନ ହେଉ ନଥିବାରୁ ବିଏମ୍ସି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି କାମ କରିଥିଲା। ଏହାର କିଛି ମାସ ପରେ ପୁଣି ରାସ୍ତା ମରାମତି କରୁକରୁ ଏଭଳି ଅବସ୍ଥା। ପୁଣି ଡ୍ରେନ୍ କାମ ନାଁରେ ଟଙ୍କା ହଡ଼ପ କରିବାକୁ ଯୋଜନା କରାଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/dh45s6f4h5s6f4h56fs4sf564h56h.jpg)