ପୋଖରୀ ଉନ୍ନତୀକରଣ ଯୋଜନା ଭେଳିକି : ପାଣିରେ ପଡ଼ିଲା ୫୦ଲକ୍ଷ, ରକ୍ଷଣାବେକ୍ଷଣ ଦାୟିତ୍ବ କେହି ନେଉନାହାନ୍ତି

ଭୁବନେଶ୍ବର : ବରମୁଣ୍ଡାସ୍ଥିତ ୫୦ ନମ୍ବର ଵାର୍ଡରେ ଥିବା ପୋଖରୀ ପାଣି ଏବେ ଧୀରେଧୀରେ ନଷ୍ଟ ହେବାରେ ଲାଗିଛି। ୬ମାସ ତଳେ ପ୍ରାୟ ୫୦ଲକ୍ଷ ଟଙ୍କା ବ୍ୟୟରେ ପୋଖରୀର ଉନ୍ନତୀକରଣ କାମ ହୋଇଥିବା ବେଳେ ଏହାର ସ୍ଥିତି ପୂରା ଶୋଚନୀୟ ହୋଇଯାଇଛି। ପାଣିରେ ବିଭିନ୍ନ ପ୍ରକାରର ଆବର୍ଜନାଠୁ ଆରମ୍ଭ କରି ଦଳ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ; ପୋଖରୀର ରକ୍ଷଣାବେକ୍ଷଣ ଦାୟିତ୍ବ କୌଣସି ସଂସ୍ଥା ଉପରେ ନ୍ୟସ୍ତ ନଥିବାରୁ ପୋଖରୀରୁ ଜଳସ୍ତର ହ୍ରାସ ହେବା ସହ ପୂର୍ବ ଭଳି ଆବର୍ଜନାମୟ ହ୍ରଦରେ ପରିଣତ ହେବ ବୋଲି ଆଶଙ୍କା କରାଯାଉଛି।

ଅନ୍ତଃରାଜ୍ୟ ବସ ଟର୍ମିନାଲ୍‌କୁ ଲାଗି ରହିଥିବା ବରମୁଣ୍ଡାର ଏହି ପୋଖରୀକୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଭିନ୍ନ ରାଜ୍ୟରୁ ଆସୁଥିବା ଲୋକେ ସ୍ନାନକର୍ମ ପାଇଁ ବ୍ୟବହାର କରନ୍ତି। ହେଲେ ପୋଖରୀରେ ଦଳ ଓ ଅଳିଆ ଆବର୍ଜନା ପଡ଼ିବା ଯୋଗୁଁ ଏହା ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଅପରପକ୍ଷରେ ଏହା ନିକଟରେ ଥିବା ତ୍ରିନାଥ ମନ୍ଦିର ପକ୍ଷରୁ ଏହାର ପରିଚାଳନା ଦାୟିତ୍ବ ନିଆଯାଇଥିବା ସ୍ଥାନୀୟ ସୁଇପର୍ କହୁଥିବା ବେଳେ କେବଳ ବ୍ୟବସାୟ କରିବା ପାଇଁ ପୋଖରୀକୁ ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ଲକ୍ଷ ଲକ୍ଷ ସରକାରୀ ଟଙ୍କା ବ୍ୟୟ କରି ପୁନରୁଦ୍ଧାର ହୋଇଥିବା ଏହି ପୋଖରୀକୁ ଲୋକଙ୍କ ଦଶାହ କର୍ମ ପାଇଁ ବ୍ୟବହାର କରାଯାଉଛି। ପ୍ରତି କର୍ମକୁ ୧୫ଶହ ଟଙ୍କା ନିଆଯାଉଥିବା ବେଳେ ମାସକୁ ଅତିକମ୍‌ରେ ୧୫ରୁ ୧୮ଟି ଦଶାହ କାର୍ଯ୍ୟ ହେଉଥିବା ନିଯୁକ୍ତ ଥିବା ସଫେଇ କର୍ମଚାରୀ କହିଛନ୍ତି। ତେବେ ଦଶାହ କାମ ପାଇଁ ପୋଖରୀ ତୁଠକୁ ଆସୁଥିବା ଲୋକେ ସେମାନଙ୍କ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ କାମ ସରିବା ପରେ ସେହିଠାରେ ପକାଇ ପଳାଉଥିବା ବେ​ଳେ ପୋଖରୀର ଚାରିପାଖ ସମେତ ଏହାର ପାଣିକୁ ଦୂଷିତ କରୁଛି।

ଏ ନେଇ ସ୍ଥାନୀୟ ବାସିନ୍ଦା ରାମ ରଣସିଂହଙ୍କ କହିବା କଥା ହେଉଛି, ପୋଖରୀ ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କାରେ ନିମ୍ନମାନର କାମ ହୋଇଛି। ପୋଖରୀ ପାଇଁ ବୋରିଂ ହୋଇଥିବା ସଂପ୍‌ର ପାଣି ପୋଖରୀ ପାଇଁ ଯଥେଷ୍ଟ ହେଉନଥିବା ବେଳେ ଏହାକୁ ଅନ୍ୟ ଲୋକମାନେ ମଧ୍ୟ ବ୍ୟବହାର କରୁଛନ୍ତି। ମାତ୍ର ପୂର୍ବତନ କର୍ପୋରେଟର୍ ସୁଜିତ୍ ସ୍ବାଇଁ ପୋଖରୀ କାମକୁ ନେଇ କହିଛନ୍ତି, ଭୂତଳ ଜଳସ୍ତର ହ୍ରାସ ହେବା ଯୋଗୁଁ ପୋଖରୀ ଅଧିକ ମାତ୍ରାରେ ପାଣି ଆବଶ୍ୟକ କରୁଛି। ଏହା ସହିତ ପୋଖରୀ ପାଣିର ଇନଲେଟ୍ ଓ ଆଉଟଲେଟ୍ ପାଇଁ ବ୍ୟବସ୍ଥା ହୋଇନଥିବାରୁ ପାଣି ଏକପ୍ରକାରର ସ୍ଥିର ହୋଇରହୁଛି। ଯେଉଁଥିପାଇଁ ପାଣି ଉପରେ ଏକ ପ୍ରକାରର ଆସ୍ତରଣ ସୃଷ୍ଟି ହୋଇ ଦଳ ହେଉଛି। ପ୍ରତି ସପ୍ତାହରେ ସଫା ହେଉଥିଲେ ମଧ୍ୟ ପାଣି ସ୍ଥିର ରହୁଥିବାରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ତେଣୁ ଆଗାମୀ ଦିନରେ ଏକ ଫ୍ଲୋଟର୍‌ ଲଗାଇ ପୋଖରୀ ପାଣିକୁ ସଫା କରିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି।

ବିଏମ୍‌ସିର ସାନିଟାରି ଇନ୍ସପେକ୍ଟର ଲକ୍ଷ୍ମୀକାନ୍ତ ଦାସ କହିଛନ୍ତି, ପୋଖରୀର ରକ୍ଷଣାବେକ୍ଷଣ ଦାୟିତ୍ବ ବିଏମ୍‌ସିକୁ ହସ୍ତାନ୍ତର ହୋଇନାହିଁ। ପାଣି ନଷ୍ଟ ହେବାରୁ ରକ୍ଷା କରିବା ଆମର କାମ ନୁହେଁ। କେବଳ ପୋଖରୀ ଚାରିପାଖକୁ ସଫା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରାଜଧାନୀର ମାଳମାଳ ପୋଖରୀ ପ୍ରତିଦିନ ସଫା ହେଉଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ କେହି ନେଉନଥିବାରୁ ଏହା ଯଥା ପୂର୍ବଂ ତଥା ପରଂ ପରିସ୍ଥିତିରେ ରହୁଥିବା ସ୍ଥାନୀୟ ଲୋକ କହୁଛନ୍ତି।

ଭଡ଼ାରେ ଲାଗୁଛି ସର୍ବସାଧାରଣଙ୍କ ଶୌଚାଳୟ
ଏନ୍‌ଏଚ୍‌ ୧୬ନିକଟକୁ ଲାଗିଥିବା ଏହି ପୋଖରୀ ଅତ୍ୟାଧୁନିକ ବସ୍‌ ଟର୍ମିନାଲ୍‌ ଠାରୁ କେଇ ମିଟର ଦୂରରେ। ବହୁ ଦୂର ଦୂରାନ୍ତରୁ ଆସୁଥିବା ଲୋକ ଓ ସ୍ଥାନୀୟ ଲୋକଙ୍କ ପାଇଁ ପୋଖରୀର ସୌନ୍ଦର୍ଯ୍ୟ ଉପଭୋଗ କରିବା ତଥା ଏଠାରେ ଉଭୟ ମହିଳା ଓ ପୁରୁଷଙ୍କ ଲାଗି ଦୁଇଟି ଶୌଚାଳୟ ରହିଛି। ତେବେ ଶୌଚାଳୟକୁ ସରକାରୀ ଟଙ୍କାରେ ନିର୍ମାଣ କରାଯାଇଥିଲେ ବି କିଛି ସ୍ଥାନୀୟ ଲୋକ ଶୌଚାଳୟରେ ତାଲା ପକାଇ ଲୋକଙ୍କ ଠାରୁ ବ୍ୟବହାର ପାଇଁ ୧୦ ଟଙ୍କା ଲେଖାଏ ଆଦାୟ କରୁଛନ୍ତି। ଏପରିକି ସ୍ଥାନୀୟ ଲୋକ ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି। ବେଆଇନ୍ ଭାବେ ଏଭଳି ଅର୍ଥ ହଡ଼ପ କରିବାକୁ ନେଇ ଲୋକେ ବିରୋଧ କରୁଥିଲେ ମଧ୍ୟ ଅସାମାଜିକ ଲୋକ ଟଙ୍କା ଆଦାୟ କରିବା ପାଇଁ ଏହାକୁ ଏକ ମାଧ୍ୟମ କରିଛନ୍ତି।

ସମ୍ବନ୍ଧିତ ଖବର