ରାସ୍ତା ମଝିରେ ପୋଖରୀ

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ସୁନ୍ଦରପଦା ଓ କପିଳପ୍ରସାଦ ରାସ୍ତାରେ ପାଣି ଜମି ରହି କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଡ୍ରେନ୍‌ ନ ଥିବାରୁ ରାସ୍ତାରେ ଦୂଷିତ ପାଣି ଜମି ରହି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି କପିଳ ପ୍ରସାଦ ହାଇସ୍କୁଲ ପଡ଼ିଆ ନିକଟ ବାସିନ୍ଦାଙ୍କ ପାଇଁ ଶୌଚାଳୟ ସୁବିଧା ନଥିବାରୁ ସ୍ଥାନୀୟ ଲୋକେ ସ୍କୁଲ ପଡ଼ିଆରେ ଶୌଚ ହେଉଛନ୍ତି। ବିଏମ୍‌ସି ୱାର୍ଡ ନଂ ୬୭ ଅନ୍ତର୍ଗତ ହରିଆ ଛକରୁ ନୂଆସାହିକୁ ଯିବା ବେଳେ ରାସ୍ତା ଉପରେ ସର୍ବଦା ଆଣ୍ଠୁଏ ଲେଖାଏଁ ପାଣି ଜମୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏଠାରେ ଡ୍ରେନ୍‌ର ସୁବିଧା ନଥିବାରୁ ରାସ୍ତାରେ ନର୍ଦମା ପାଣି ଭାସୁଛି। ସେହିପରି ଗ୍ରାମର ବେହେରା ସାହିରେ ମଧ୍ୟ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏହି ଅଞ୍ଚଳରେ ଭଲ ରାସ୍ତା ନଥିବାରୁ ମାଟି କାଦୁଅ ରାସ୍ତାରେ ଯାତାୟାତ କରିବାକୁ ପଡ଼ୁଛି ବୋଲି ଲୋକେ କହିଛନ୍ତି। ସ୍ଥାନୀୟ ସମାଜସେବୀ ବିଶ୍ୱଜିତ ମଙ୍ଗରାଜ କୁହନ୍ତି, ରାସ୍ତାରେ ଡ୍ରେନ୍‌ ପାଣି ଜମି ରହିବା ଏଠାକାର ନିତିଦିନିଆ ଘଟଣା। ତା’ ସାଙ୍ଗକୁ ପୁଣି ନା’ ଡ୍ରେନ୍‌ ଅଛି ନା’ ଭଲ ରାସ୍ତା। ଫଳରେ ଲୋକମାନଙ୍କ ଯିବା ଆସିବାରେ ବହୁ ସମସ୍ୟା ହେଉଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି କରାଯାଇଛି। ଏନେଇ ସ୍ଥାନୀୟ କର୍ପୋରେଟର୍‌ଙ୍କୁ ପଚାରିବାରୁ ଆଗକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର